ତେହେରାନ, ୦୨/୦୯: ଆମେରିକା ଓ ଇରାନ ମଧ୍ୟରେ ତୀବ୍ର ହେଉଛି ଉତ୍ତେଜନା। ପୁଣି ଅଶାନ୍ତ ମଧ୍ୟପ୍ରାଚ୍ୟ। କିଛି ଦିନର ନୀରବତା ପରେ ଉଭୟ ଦେଶ ମଧ୍ୟରେ ଘନଘନ ଆକ୍ରମଣ। ବାଲିଷ୍ଟିକ ମିସାଇଲ ଓ ଡ୍ରୋନ୍ ଆଟାକରେ ଥରି ଉଠୁଛି ଇରାନର ଅନେକ ସହର।
ଦକ୍ଷିଣ ଇରାନର ଅନେକ ସ୍ଥାନରେ ଆକ୍ରମଣ କରିଛି ଆମେରିକା। ବନ୍ଦର ଆବାସ, କେଶମ୍ ଦ୍ୱୀପ, ଜାସ୍କ ଓ ସିରିକ୍ ଅଞ୍ଚଳେ ଆମେରିକା ଆଟାକ୍ କରିଛି। ଏ ନେଇ ଟ୍ରୁଥ୍ ସୋସିଆଲରେ ଆମେରିକାର ଆକ୍ରମଣ ସ୍ପଷ୍ଟ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଇରାନ ନ ସୁଧୁରିଲେ ଆକ୍ରମଣକୁ ଜୋରଦାର କରାଯିବ କହିଛନ୍ତି ଟ୍ରମ୍ପ।
ଗତ କାଲି ଇରାନରେ ଏକ ବିବାହ ଉତ୍ସବ ଚାଲିଥିବା ସମୟରେ ଭୟଙ୍କର ମିସାଇଲର ଆଟାକ କରିଛି ଆମେରିକା। ଯେଉଁଥିପାଇଁ ଉତ୍ସବର ପରିବେଶ ମାତମରେ ପରିଣତ ହୋଇପଡ଼ିଛି।
ଇରାନର ସିରିକ ସହରରେ ଏକ ଆବାସିକ ଅଞ୍ଚଳରେ ଥିବା ଘରେ ବିବାହ କାର୍ଯ୍ୟକ୍ରମ ଚାଲିଥିବା ସମୟରେ ଅଚାନକ ଏକ କ୍ଷେପଣାସ୍ତ୍ର ଆସି ଘର ଉପରେ ପଡ଼ିଥିଲା। ବିସ୍ଫୋରଣର ତୀବ୍ରତା ଏତେ ଅଧିକ ଥିଲା ଯେ ଘରର ଛାତ ସମ୍ପୂର୍ଣ୍ଣ ଭାଙ୍ଗି ଚୂରମାର୍ ହୋଇଯାଇଥିଲା। ଏହି ଦୁର୍ଘଟଣାରେ ଶିଶୁଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଲୋକ ଗୁରୁତର ଭାବେ ଆହାତ ହୋଇଛନ୍ତି।
ସ୍ଥାନୀୟ ପ୍ରଶାସନ ଓ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଧ୍ୱଂସାବଶେଷ ତଳେ ଚାପି ହୋଇ ରହିଥିବା ଲୋକଙ୍କୁ ଉଦ୍ଧାର କରିଥିଲେ। ଆହାତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି, ଯେଉଁଥିରୁ କେତେକଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି।
ଏହି ଆକ୍ରମଣ ପାଇଁ ଇରାନ ଆମେରିକାକୁ ସିଧାସଳଖ ଦାୟୀ କରିଛି। ଆମେରିକାର ଏହି ବର୍ବରତାକୁ ଇରାନ ସରକାର ଏକ ‘ଯୁଦ୍ଧ ଅପରାଧ’ ବୋଲି ଅଭିହିତ କରିବା ସହ ଅନ୍ତର୍ଜାତୀୟ ସ୍ତରରେ ଏହାର କଡ଼ା ପ୍ରତିବାଦ କରିଛନ୍ତି। ସାଧାରଣ ନାଗରିକ ଓ ଶିଶୁଙ୍କୁ ଲକ୍ଷ୍ୟ କରି କରାଯାଇଥିବା ଏହି ଆକ୍ରମଣ ବିଶ୍ୱବ୍ୟାପୀ ଉଦବେଗ ପ୍ରକାଶ କରିଛି।
ଅନ୍ୟପଟେ ଆମେରିକା ଆକ୍ରମଣର ଜବାବ ରଖିଛି ଇରାନ। ଜୋର୍ଡାନ ଓ ବାହାରିନର ଆମେରିକୀୟ ବେସକୁ ଇରାନ ଘନଘନ ଆକ୍ରମଣ କରିଛି। ଜୋର୍ଡାନ ଏୟାରବେସ୍ ଓ ବାହାରିନ୍ ଏୟାରବେସ୍ ଉପରେ ମିଜାଇଲ ମାଡ ନେଇ ଆଇଆରଜିସି ସୂଚନା ଦେଇଛି।