ଭୁବନେଶ୍ୱର, ୦୨/୦୯: “ନିଶାକୁ ନା, ଜୀବନକୁ ହଁ” ଏହି ଦୃଢ଼ ସଂକଳ୍ପ ସହ ଆଜି ରାଜଧାନୀ ମହାବିଦ୍ୟାଳୟ ପରିସରରେ “ନିଶାମୁକ୍ତ ଯୁବ ସମାଜ, ବିକଶିତ ଭାରତ ପାଇଁ ସଂକଳ୍ପ ଅଭିଯାନ” ଅନୁଷ୍ଠିତ ହୋଇଯାଇଛି। କମିଶନରେଟ୍ ପୋଲିସ, କଟକ-ଭୁବନେଶ୍ୱର ଏବଂ ରାଜଧାନୀ ମହାବିଦ୍ୟାଳୟ NSS ୟୁନିଟ୍ର ମିଳିତ ସହଯୋଗରେ ଆୟୋଜିତ ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଯୁବପିଢ଼ିଙ୍କୁ ନିଶାର କୁପ୍ରଭାବ ସମ୍ପର୍କରେ ସଚେତନ କରିବା ସହ ଏକ ସୁସ୍ଥ, ସଶକ୍ତ ଓ ନିଶାମୁକ୍ତ ସମାଜ ଗଠନ ପାଇଁ ସାମୂହିକ ସଂକଳ୍ପ ସୃଷ୍ଟି କରିବା। କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ମହାବିଦ୍ୟାଳୟ ଅଡିଟୋରିଅମ୍ରେ ଏକ ସଚେତନତାମୂଳକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ନିଶାସେବନର ସାମାଜିକ, ଶାରୀରିକ ଓ ମାନସିକ କୁପ୍ରଭାବ, ଯୁବପିଢ଼ିଙ୍କ ଉପରେ ଏହାର ପ୍ରଭାବ ଏବଂ ନିଶାମୁକ୍ତ ସମାଜ ଗଠନରେ ଛାତ୍ର-ଯୁବଶକ୍ତିର ଭୂମିକା ସମ୍ପର୍କରେ ଆଲୋଚନା ହୋଇଥିଲା।
ଏହି ଅବସରରେ ଖଣ୍ଡଗିରି ଥାନାର ଭାରପ୍ରାପ୍ତ ଥାନା ଅଧିକାରୀ ଅଭିମନ୍ୟୁ ଦାସ, ଆଡିଶନାଲ୍ ଇନ୍ସପେକ୍ଟର କୃପାସିନ୍ଧୁ ବରାଡ଼, ରାଜଧାନୀ ମହାବିଦ୍ୟାଳୟର ପୂର୍ବତନ ଛାତ୍ର ସଂସଦ ସଭାପତି ତଥା ଆଲୁମନି ଆସୋସିଏସନ୍ର ସମ୍ପାଦକ ରଜତ କୁମାର ପରିଡ଼ା, ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ସରୋଜ କାନ୍ତ ଚୌଧୁରୀ, ବରିଷ୍ଠ ଅଧ୍ୟାପକ ଡ଼. ମନ୍ମଥ ଘଡ଼େଇ ଏବଂ NSS ୟୁନିଟ୍ ମୁଖ୍ୟ ଡ଼. ସନ୍ଧ୍ୟାରାଣୀ ନାୟକଙ୍କ ସମେତ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ-ଅଧ୍ୟାପିକା ଓ ବହୁ ସଂଖ୍ୟକ ଛାତ୍ର-ଛାତ୍ରୀ ଯୋଗଦେଇଥିଲେ।ବୈଠକ ପରେ ମହାବିଦ୍ୟାଳୟ ପରିସରରୁ ଏକ ବିଶାଳ ନିଶାବିରୋଧୀ ସଚେତନତା ରାଲି ବାହାରିଥିଲା। ଛାତ୍ର-ଛାତ୍ରୀମାନେ ବିଭିନ୍ନ ସଚେତନତାମୂଳକ ପ୍ଲାକାର୍ଡ ଓ ସ୍ଲୋଗାନ୍ ମାଧ୍ୟମରେ “ନିଶାକୁ ନା, ଜୀବନକୁ ହଁ”ର ବାର୍ତ୍ତା ଦେଇଥିଲେ। ରାଲି ମାଧ୍ୟମରେ ଯୁବପିଢ଼ିଙ୍କୁ ନିଶାଠାରୁ ଦୂରେଇ ଶିକ୍ଷା, କୌଶଳ, କ୍ରୀଡ଼ା ଓ ରାଷ୍ଟ୍ର ନିର୍ମାଣରେ ନିଜର ଶକ୍ତି ବିନିଯୋଗ କରିବାକୁ ଆହ୍ୱାନ ଦିଆଯାଇଥିଲା।
ଏହି ଅବସରରେ ବକ୍ତାମାନେ କହିଥିଲେ, “ଯେଉଁ ହାତରେ ଆସନ୍ତାକାଲିର ଭାରତ ଗଢ଼ିବାର ଶକ୍ତି ରହିଛି, ସେହି ହାତରେ ନିଶା ନୁହେଁ କଲମ ଥାଉ, କୌଶଳ ଥାଉ, ସ୍ୱପ୍ନ ଥାଉ।” ଯୁବପିଢ଼ିର ଅମୂଲ୍ୟ ସମୟ ନିଶାରେ ନଷ୍ଟ ନହୋଇ ରାଷ୍ଟ୍ର ନିର୍ମାଣରେ ବିନିଯୋଗ ହେବା ଆବଶ୍ୟକ। ଆଜିର ଯୁବକ-ଯୁବତୀ ଯଦି ନିଶାମୁକ୍ତ, ସୁସ୍ଥ, ଶିକ୍ଷିତ ଓ ଦକ୍ଷ ହେବେ, ତେବେ ଆସନ୍ତାକାଲିର ଭାରତ ନିଶ୍ଚିତ ଭାବେ ଆହୁରି ଶକ୍ତିଶାଳୀ, ସମୃଦ୍ଧ ଓ ବିକଶିତ ହେବ।ଏହି ଅଭିଯାନ ମାଧ୍ୟମରେ ଉପସ୍ଥିତ ସମସ୍ତେ ନିଜେ ନିଶାମୁକ୍ତ ରହିବା, ଅନ୍ୟମାନଙ୍କୁ ନିଶାଠାରୁ ଦୂରେଇବା ଏବଂ ଏକ ସୁସ୍ଥ, ସଶକ୍ତ ଓ ନିଶାମୁକ୍ତ ଭାରତ ଗଠନରେ ଯୁବଶକ୍ତିକୁ ଆଗେଇ ନେବା ପାଇଁ ସାମୂହିକ ସଂକଳ୍ପ ନେଇଥିଲେ। ନିଶାମୁକ୍ତ ଯୁବଶକ୍ତି ହିଁ ବିକଶିତ ଭାରତର ନୂଆ ପରିଚୟ। ନିଶାକୁ ନା ଜୀବନକୁ ହଁ। ଯୁବଶକ୍ତି ଆଗେଇଲେ ଭାରତ ଆଗେଇବ।