ବରଗଡ଼ ବରପାଲିର ୨୦୦୦ ବର୍ଷର ପ୍ରାଚୀନ ‘ଅସୁରଗଡ଼’ ପ୍ରତ୍ନତାତ୍ତ୍ୱିକ ସ୍ଥଳୀ ପରିଦର୍ଶନ କଲେ ସାଂସଦ
ବରଗଡ ବରପାଲିରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜନ୍ମପୀଠ କଲେ ପରିଦର୍ଶନ
ଅସୁରଗଡ଼ ଐତିହ୍ୟର ସୁରକ୍ଷା ଆମ ଦାୟିତ୍ୱ: ଧର୍ମେନ୍ଦ୍ର ପ୍ରଧାନ
ବରଗଡ଼, ୦୬/୦୯: ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ବରଗଡ଼ ଜିଲ୍ଲା ଗସ୍ତ ଅବସରରେ ବିଭିନ୍ନ ଐତିହ୍ୟ, ଐତିହାସିକ ଏବଂ ପର୍ଯ୍ୟଟନ ସ୍ଥାନ ପରିଦର୍ଶନ କରିଛନ୍ତି ।
ଶ୍ରୀ ପ୍ରଧାନ ବରପାଲି ନିକଟସ୍ଥ ପ୍ରାୟ ୨୦୦୦ ବର୍ଷର ପ୍ରାଚୀନ ‘ଅସୁରଗଡ଼’ ପ୍ରତ୍ନତାତ୍ତ୍ୱିକ ସ୍ଥଳୀ ଦେଖିବା ସହ ଉପସ୍ଥିତ ଜିଲ୍ଲା ପ୍ରଶାସନିକ ଅଧିକାରୀ, ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ(ଏଏସଆଇ) ଅଧିକାରୀ ଏବଂ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଗବେଷକ ଓ ଛାତ୍ରଛାତ୍ରୀଙ୍କ ସହ ବିସ୍ତୃତ ଆଲୋଚନା କରିବା ସହ ଖୋଦନରୁ ମିଳିଥିବା ପ୍ରଶସ୍ତ ଐତିହାସିକ ଅବଶେଷ ଓ ପ୍ରାଚୀନ ସଭ୍ୟତାର ପ୍ରମାଣଗୁଡ଼ିକୁ ପ୍ରତ୍ୟକ୍ଷ ଭାବେ ନିରୀକ୍ଷଣ କରିଥିଲେ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ବରପାଲିର ଅନତି ଦୂରରେ ଅବସ୍ଥିତ ଏହି ‘ଅସୁରଗଡ଼’ ପ୍ରାୟ ୨୦୦୦ ବର୍ଷରୁ ଉର୍ଦ୍ଧ୍ୱ ପୁରାତନ । ଏହି ପ୍ରାଚୀନ ସ୍ଥଳୀ ଆମ ସମୃଦ୍ଧ ସଂସ୍କୃତି, କଳା ଓ ସଭ୍ୟତାର ଏକ ଅନନ୍ୟ ଗନ୍ତାଘର । ପ୍ରାଚୀନ ସଭ୍ୟତାରେ ହରପ୍ପା ଓ ମୋହେଞ୍ଜୋଦାରୋ ଭଳି, ଅବିଭକ୍ତ ସମ୍ବଲପୁର ଅଞ୍ଚଳରେ ଅନେକ ଐତିହାସିକ ପ୍ରତ୍ନତାତ୍ତ୍ୱିକ ଧରୋହର ରହିଛି । ଅସୁରଗଡ଼, ଭୀମମଣ୍ଡଳୀ ଭଳି ଅଞ୍ଚଳଗୁଡ଼ିକରେ କାଳଜୟୀ ସଭ୍ୟତାର ଅନେକ ପ୍ରମାଣ ବିଦ୍ୟମାନ ।
୨୦୨୨ ମସିହାରେ ଭାରତ ସରକାରଙ୍କ ସଂସ୍କୃତି ବିଭାଗକୁ ପତ୍ର ଲେଖି ଏହି ସ୍ଥାନର ସର୍ବେକ୍ଷଣ ପାଇଁ ଅନୁରୋଧ କରିଥିଲି । ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ସହଯୋଗ ଓ ଏଏସଆଇର ଉଦ୍ୟମରେ ଏଠାରେ ଖୋଦନ କାର୍ଯ୍ୟ କରାଯାଇ ବୈଜ୍ଞାନିକ ପ୍ରମାଣ ସବୁ ସଂଗ୍ରହ କରାଯାଇଛି । ଆଗାମୀ ଦିନରେ ଏଏସଆଇ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଓ ସ୍ଥାନୀୟ ଶିକ୍ଷାନୁଷ୍ଠାନଗୁଡ଼ିକର ମିଳିତ ପ୍ରଚେଷ୍ଟାରେ ଏହି ଗବେଷଣା, ଅନୁସନ୍ଧାନ ଓ ଖୋଦନ କାର୍ଯ୍ୟକୁ ଆହୁରି ବ୍ୟାପକ କରାଯିବ ।
ସେ ଆହୁରି ମଧ୍ୟ ପ୍ରକାଶ କରିଛନ୍ତି ଯେ, ଡବଲ ଇଞ୍ଜିନ ସରକାରଙ୍କ ମିଳିତ ସହଯୋଗରେ ଆମର ଏହି ପ୍ରାଚୀନ ଐତିହ୍ୟକୁ ଲୋକଲୋଚନକୁ ଆଣିବା ଦ୍ୱାରା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଇତିହାସ ବୋଧ ଓ ସଭ୍ୟତା ବୋଧ ବୃଦ୍ଧି ପାଇବ। ଏହାଦ୍ୱାରା ଏହି ଅଞ୍ଚଳରେ ପର୍ଯ୍ୟଟନର ବ୍ୟାପକ ସମ୍ଭାବନା ସୃଷ୍ଟି ହେବା ସହ ସ୍ଥାନୀୟ ଆର୍ଥ-ସାମାଜିକ ପ୍ରଗତିକୁ ନୂତନ ଦିଶା ମିଳିବ। ଆମର ଏହି ଗୌରବମୟ ଐତିହ୍ୟକୁ ସଂରକ୍ଷିତ ରଖିବା ଓ ଆଗାମୀ ପିଢ଼ି ନିକଟରେ ପହଞ୍ଚାଇବା ଆମ ସମସ୍ତଙ୍କର ମିଳିତ ଦାୟିତ୍ୱ ।
ବରପାଲି ଗସ୍ତ ଅବସରରେ ଓଡ଼ିଆ ସାହିତ୍ୟର ଅମର ସାଧକ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ପବିତ୍ର ଜନ୍ମପୀଠ ପରିଦର୍ଶନ କରିବା ସହ ତାଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ କହିଛନ୍ତି, “ବରପାଲି ସ୍ଥିତ ‘ସ୍ୱଭାବ କବି ଗଙ୍ଗାଧର ମେହେର ଜନ୍ମପୀଠ’ ଓ କବି ଭବନ ପରିଦର୍ଶନ କରିବାର ସୌଭାଗ୍ୟ ଲାଭ କଲି । ଏହି ପବିତ୍ର ଜନ୍ମପୀଠରେ କବିଙ୍କର କାଳଜୟୀ କାବ୍ୟ-ସୃଜନଶୀଳତା ଓ ମହାନ ସଂସ୍କାର ଆଜି ବି ଉଜ୍ଜୀବିତ ହୋଇ ରହିଛି । ଏହି ଜନ୍ମପୀଠ ଆମ ସଂସ୍କୃତି ଓ ଅସ୍ମିତାର ଏକ ମହାନ ସ୍ୱାକ୍ଷର ଓ ଚିରନ୍ତନ ପ୍ରେରଣାର ସ୍ରୋତ । ଓଡ଼ିଆ ସାହିତ୍ୟ ଓ ସଂସ୍କୃତି ପ୍ରତି ତାଙ୍କର ଅମୂଲ୍ୟ ଅବଦାନ ଚିର ସ୍ମରଣୀୟ ହୋଇରହିବ । ଏହା ପୂର୍ବରୁ ଶ୍ରୀ ପ୍ରଧାନ ବରପାଲି ଠାରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମଧ୍ୟ ମାଲ୍ୟାର୍ପଣ କରିଥିଲେ ।
ଏହି ଗସ୍ତ ଅବସରରେ ସାଂସଦ ଡେବ୍ରୀଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟ ବୁଲି ଦେଖିବା ସହ ଏଠାକୁ ଆସିଥିବା ପର୍ଯ୍ୟଟକମାନଙ୍କ ସହ ସୌଜନ୍ୟମୂଳକ ଆଲୋଚନା କରିଥିଲେ । ଏହାପରେ ସେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ‘ମନ୍ କୀ ବାତ୍’ କାର୍ଯ୍ୟକ୍ରମରେ ପ୍ରଶଂସିତ ଡେବ୍ରୀଗଡ଼ର ‘ଧୋଡ଼୍ରୋକୁସୁମ୍’ ଗ୍ରାମକୁ ଯାଇ ପ୍ରକୃତି ହୋମ-ଷ୍ଟେ ବୁଲିବା ସହ ସ୍ଥାନୀୟ ମୈଥିଲୀ ଭୁଏଙ୍କ ଘରକୁ ଯାଇ ଆଲୋଚନା କରିଥିଲେ।
ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ, ‘ଧୋଡ଼୍ରୋକୁସୁମ୍’ ଭଳି ଅଭିନବ ପ୍ରକୃତି ହୋମ-ଷ୍ଟେ ପରିକଳ୍ପନା ରାଜସ୍ୱ ବୃଦ୍ଧି ସମେତ ସ୍ଥାନୀୟ ଜନସାଧାରଣଙ୍କ ସାମାଜିକ ଓ ଆର୍ଥିକ ସଶକ୍ତିକରଣ କ୍ଷେତ୍ରରେ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛି। ପୂର୍ବରୁ ଜଙ୍ଗଲ ଉପରେ ନିର୍ଭର କରୁଥିବା ଏହି ମହିଳାମାନେ ବର୍ତ୍ତମାନ ‘ଡେବ୍ରୀଗଡ଼ ଇକୋ-ଟୁରିଜମ୍’ ସହ ଯୋଡ଼ିହୋଇ ପ୍ରକୃତି ସୁରକ୍ଷା ସହ ନିଜର ଜୀବିକା ଅର୍ଜନ କରୁଛନ୍ତି। ବନ୍ୟପ୍ରାଣୀ ସଂରକ୍ଷଣ, ଗ୍ରାମାଞ୍ଚଳର ବିକାଶ ଓ ସ୍ଥାନୀୟ ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବାରେ ଏହି ଗ୍ରାମବାସୀଙ୍କ ପ୍ରଶଂସନୀୟ ଉଦ୍ୟମକୁ ‘ମନ୍ କୀ ବାତ୍’ ମାଧ୍ୟମରେ ଜାତୀୟ ସ୍ତରରେ ସ୍ୱତନ୍ତ୍ର ପରିଚୟ ଦେଇଥିବାରୁ ସେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପରିବେଶ ସୁରକ୍ଷା ସହ ଆତ୍ମନିର୍ଭରଶୀଳ ହେବାର ଏହି ପ୍ରୟାସ ସମଗ୍ର ସମାଜ ପାଇଁ ଏକ ପ୍ରେରଣାର ସ୍ରୋତ ବୋଲି ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି।