ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ଆଜି ସୁପ୍ରିମକୋର୍ଟରେ ଶୁଣାଣି

ପିଟିସନରଙ୍କ ରିଜଏଣ୍ଡର, ସଲିସିଟର ଜେନେରାଲଙ୍କ ରିପୋର୍ଟ ଦାଖଲ

ନୂଆଦିଲ୍ଲୀ, ୦୭/୦୯: ଓଡ଼ିଶା ଡିଜିପି ନିଯୁକ୍ତିକୁ ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ। ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗଚୀ ଓ ବିଚାରପତି ଭି. ମୋହନାଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ।

ଏହି ମାମଲାରେ ଆବେଦନକାରୀଙ୍କ ପକ୍ଷରୁ ରିଜଏଣ୍ଡର ଦାଖଲ କରାଯାଇଛି। ଅନ୍ୟପଟେ, ମାମଲାରେ କୋର୍ଟଙ୍କୁ ସହଯୋଗ କରୁଥିବା ଆମିକସ୍ କ୍ୟୁରି ରାଜୁ ରାମଚନ୍ଦ୍ରନ ମଧ୍ୟ ତାଙ୍କ ରିପୋର୍ଟ ଦାଖଲ କରିଛନ୍ତି। ପୂର୍ବ ଶୁଣାଣିରେ ସଲିସିଟର ଜେନେରାଲ ତୁଷାର ମେହତା ଓଡ଼ିଶା ସରକାରଙ୍କ ପକ୍ଷରୁ ରାଜ୍ୟର ଉତ୍ତର ଦାଖଲ ହୋଇଥିବା କୋର୍ଟଙ୍କୁ ଜଣାଇଥିଲେ।

ଓଡ଼ିଶାର ପରବର୍ତ୍ତୀ DGP ଚୟନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ UPSCକୁ ପଠାଯାଇଥିବା ସମ୍ଭାବ୍ୟ ଅଧିକାରୀଙ୍କ ତାଲିକାକୁ ନେଇ ଆପତ୍ତି ଉଠିଛି। ଆବେଦନକାରୀଙ୍କ ଅଭିଯୋଗ ହେଉଛି, ଜଣେ କନିଷ୍ଠ ଅଧିକାରୀଙ୍କୁ ମଧ୍ୟ ଡିଜିପି ଚୟନ ପାଇଁ ବିଚାରକୁ ନିଆଯାଇଥିବାରୁ ସୁପ୍ରିମକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ଉଲ୍ଲଂଘନ ହୋଇଛି। ଓଡ଼ିଶା ସରକାର ତେବେ ଏହି ଅଭିଯୋଗକୁ ବିରୋଧ କରିଛନ୍ତି।