ଦଶମ ଓ ଦ୍ୱାଦଶ ହେବ ଗୋଟିଏ ବୋର୍ଡ଼

ଆସନ୍ତାବର୍ଷଠୁ ବଦଳିବ ଦଶମ ପାଠ୍ୟପୁସ୍ତକ

ଛାତ୍ରଛାତ୍ରୀ ଓଡ଼ିଆରେ ପଢ଼ିବେ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ

ଭୁବନେଶ୍ୱର, ୦୭/୦୯: ଓଡ଼ିଶାର ସ୍କୁଲ୍‌ ଶିକ୍ଷା ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ। ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ଗୋଟିଏ ବୋର୍ଡ ଗଠନ କରିବା ନେଇ ରାଜ୍ୟ ସରକାର ବିଚାର କରୁଥିବା ବେଳେ, ଏହା ସହ ମୁକ୍ତ ବିଦ୍ୟାଳୟରେ +୨ ଶିକ୍ଷା ଏବଂ ମାଗଣା ଡିଜିଟାଲ ଶିକ୍ଷା ପ୍ରଦାନ କରାଯିବ। ରାଜ୍ୟ ସ୍କୁଲ୍‌ ଓ ଗଣଶିକ୍ଷା ବିଭାଗର କମିଶନର-କମ୍-ସଚିବ ଡ. ଏନ୍. ଥିରୁମାଲା ନାୟକ ଏ ନେଇ ସୂଚନା ଦେଇଛନ୍ତି।

ବର୍ତ୍ତମାନ ଓଡ଼ିଶାରେ ଦଶମ ଶ୍ରେଣୀର ପରୀକ୍ଷା ମାଧ୍ୟମିକ ଶିକ୍ଷା ପରିଷଦ ବା ବିଏସଇ ଅଧୀନରେ ହେଉଥିବା ବେଳେ, ଦ୍ୱାଦଶ ଶ୍ରେଣୀର ପରୀକ୍ଷା ସିଏଚଏସଇ ଅଧୀନରେ ହେଉଛି। ଏହି ଦୁଇଟି ବ୍ୟବସ୍ଥାକୁ ଏକାଠି କରି ଦଶମରୁ ଦ୍ୱାଦଶ ପର୍ଯ୍ୟନ୍ତ ଗୋଟିଏ ବୋର୍ଡ ଅଧୀନରେ ଆଣିବା ନେଇ ସରକାର ଯୋଜନା କରିଛନ୍ତି।

ସିବିଏସଇ ଭଳି ବିଏସଇ ଓ ସିଏଚଏସଇ ଗୋଟିଏ ବୋର୍ଡ଼ ହେବ। ଏଥିପାଇଁ ଡ୍ରାଫ୍ଟ ଆଇନ ପ୍ରସ୍ତୁତ ଚାଲିଛି। ସିଲାବସ ପାଇଁ ଏବେଠୁ ପ୍ରସ୍ତୁତ ରହିବାକୁ ବିଶେଷଜ୍ଞଙ୍କୁ ପରାମର୍ଶ ଦେଇଛନ୍ତି ଗଣଶିକ୍ଷା ସଚିବ। କାର୍ଯ୍ୟାଳୟ କେଉଁଠାରେ ହେବ, ତାହାର‌ମଧ୍ୟ ନିଷ୍ପତ୍ତି ଖୁବଶୀଘ୍ର ନିଆଯିବ।

ସେହିପରି ଆସନ୍ତାବର୍ଷଠାରୁ ଦଶମ ପାଠ୍ୟପୁସ୍ତକ ବଦଳିବ। ନୂଆ ବ୍ୟବସ୍ଥାରେ ଓଡ଼ିଆ ମାଧ୍ୟମରେ +୨ ବିଜ୍ଞାନ ଓ ବାଣିଜ୍ୟ ପଢ଼ିବାର ସୁଯୋଗ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି। ଏହା ଲାଗୁ ହେଲେ ମାତୃଭାଷାରେ ଉଚ୍ଚମାଧ୍ୟମିକ ଶିକ୍ଷା ପାଇବାକୁ ଇଚ୍ଛୁକ ଛାତ୍ରଛାତ୍ରୀ ଅଧିକ ସୁବିଧା ପାଇପାରିବେ।