ନାଲକୋର ସ୍ମେଲ୍ଟର ସମ୍ପ୍ରସାରଣ ପାଇଁ ଏମିରେଟ୍ସ ଗ୍ଲୋବାଲ୍ ଆଲୁମିନିୟମ ସହ ପ୍ରଯୁକ୍ତି ସହଭାଗିତା ଚୁକ୍ତି ସ୍ୱାକ୍ଷରିତ
ଆଲୁମିନିୟମ୍ ଉତ୍ପାଦନରେ ନାଲକୋର ବଡ଼ ପଦକ୍ଷେପ
ଦୁବାଇ / ଭୁବନେଶ୍ୱର, ୦୭/୦୯: ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧିନସ୍ଥ ନବରତ୍ନ ଲୋକ ଔଦ୍ୟୋଗ ନ୍ୟାସନାଲ ଆଲ୍ୟୁମିନିୟମ କମ୍ପାନୀ ଲିମିଟେଡ଼(ନାଲକୋ) ପକ୍ଷରୁ ଦୁବାଇ ସ୍ଥିତ ଏମିରେଟସ ଗ୍ଲୋବାଲ ଆଲ୍ୟୁମିନିୟମ(ଇଜିଏ) ସହିତ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଛି, ଯାହା ଦ୍ୱାରା ଓଡ଼ିଶାର ଅନୁଗୋଳଠାରେ ବାର୍ଷିକ ୦.୫ ନିୟୁତ ମେଟ୍ରିକ ଟନ ବ୍ରାଉନଫିଲ୍ଡ ସ୍ମେଲଟର ସମ୍ପ୍ରସାରଣ ପ୍ରକଳ୍ପ ପାଇଁ ଇଜିଏ ର ୟୁଏଇ ବିକଶିତ ଡ଼ିଏକ୍ସ ପ୍ଲସ ଅଲ୍ଟ୍ରା ଆଲୁମିନିୟମ ସ୍ମେଲଟିଂ ପ୍ରଯୁକ୍ତି ବ୍ୟବହୃତ ହେବ ।
ନାଲକୋ ସିଏମଡି ଶ୍ରୀ ବ୍ରିଜେନ୍ଦ୍ର ପ୍ରତାପ ସିଂହ ଏବଂ ଇଜିଏ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅବଦୁଲନାସେର ବିନ୍ କଲବାନଙ୍କ ଉପସ୍ଥିତିରେ ଏହି ପ୍ରଯୁକ୍ତି ଲାଇସେନ୍ସିଂ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଶ୍ରୀ ଜଗଦୀଶ ଆରୋରା ନିର୍ଦ୍ଦେଶକ (ପ୍ରକଳ୍ପ ଏବଂ ବୈଷୟିକ)ନାଲକୋ ଏବଂ ଶ୍ରୀ ଅଭୟ କୁମାର ବେହୁରିଆ, ନିର୍ଦ୍ଦେଶକ (ଅର୍ଥ) ମଧ୍ୟ ଉପସ୍ଥିତ ଥିଲେ। ନାଲକୋ ପକ୍ଷରୁ ମୁଖ୍ୟ ମହାପ୍ରବନ୍ଧକ (ପ୍ରକଳ୍ପ) ଶ୍ରୀ ବିଜୁ କେ. ଏବଂ ଇଜିଏ ପକ୍ଷରୁ କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ – ମିଡଷ୍ଟ୍ରିମ୍, ଶ୍ରୀ ଅବଦଲ୍ଲା ଜାରୌନି ଏହି ଚୁକ୍ତିନାମା ସ୍ୱାକ୍ଷର କରିଥିଲେ।
ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟର ମାର୍ଗଦର୍ଶନ ଏବଂ ସମର୍ଥନରେ ବିଶ୍ୱସ୍ତରରେ ଏକ ପ୍ରତିଯୋଗିତାମୂଳକ ଆଲୁମିନିୟମ ଉତ୍ପାଦକ ଭାବରେ ନିଜର ସ୍ଥିତିକୁ ସୁଦୃଢ଼ କରିବା ପାଇଁ ନାଲକୋ ର ସ୍ମେଲ୍ଟର ସମ୍ପ୍ରସାରଣ କାର୍ଯ୍ୟରେ ଏହି ଚୁକ୍ତି ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ। ଚୁକ୍ତିନାମା ଅନୁଯାୟୀ, ଇଜିଏ ନାଲକୋକୁ ପ୍ରକଳ୍ପ କାର୍ଯ୍ୟାନ୍ୱୟନର ବିଭିନ୍ନ ପର୍ଯ୍ୟାୟରେ ବୈଷୟିକ ସହାୟତା ସହିତ ଡ଼ିଏକ୍ସ ପ୍ଲସ ଅଲ୍ଟ୍ରା ପ୍ରଯୁକ୍ତି କାର୍ଯ୍ୟକାରୀ କରିବା ପାଇଁ ଆବଶ୍ୟକ ଲାଇସେନ୍ସ, ଜ୍ଞାନକୌଶଳ, ଡିଜାଇନ୍ ଏବଂ ସୂଚନା ପ୍ରଦାନ କରିବ ।
ଡ଼ିଏକ୍ସ ପ୍ଲସ ଅଲ୍ଟ୍ରା ପ୍ରଯୁକ୍ତି ଏକ ଉଚ୍ଚ-ଆମ୍ପେରେଜ୍ ଏବଂ ଦକ୍ଷ ଆଲୁମିନିୟମ୍ ସ୍ମେଲ୍ଟିଂ ପ୍ରଯୁକ୍ତି, ଯାହା ଉଚ୍ଚ ଉତ୍ପାଦକତା ଏବଂ ଉନ୍ନତ ଶକ୍ତି କାର୍ଯ୍ୟଦକ୍ଷତାକୁ ସମର୍ଥନ କରିବା ପାଇଁ ଡିଜାଇନ୍ କରାଯାଇଛି। ଏହି ପ୍ରଯୁକ୍ତି ଦ୍ୱାରା ନାଲକୋ ଏକ ଦକ୍ଷ ଏବଂ ପ୍ରତିଯୋଗିତାମୂଳକ ସ୍ମେଲ୍ଟର ବିକଶିତ କରିପାରିବ ବୋଲି ଆଶା କରାଯାଉଛି।
ପ୍ରସ୍ତାବିତ ବ୍ରାଉନଫିଲ୍ଡ ସମ୍ପ୍ରସାରଣ ଦ୍ଵାରା ଅନୁଗୋଳରେ ପ୍ରତିବର୍ଷ ପ୍ରାୟ ୦.୫ ନିୟୁତ ଟନ୍ ଆଲୁମିନିୟମ୍ ଉତ୍ପାଦନ କ୍ଷମତା ବୃଦ୍ଧି ପାଇବ। ନାଲକୋର ବର୍ତ୍ତମାନ ଉତ୍ପାଦନ କ୍ଷମତା ସହିତ, ଏହି ସମ୍ପ୍ରସାରଣ କମ୍ପାନୀକୁ ବାର୍ଷିକ ପ୍ରାୟ ୧ ନିୟୁତ ଟନ୍ ଆଲୁମିନିୟମ୍ ଉତ୍ପାଦନ କ୍ଷମତା ଆଡ଼କୁ ଆଗେଇନେବ ।
ଏହି ଅବସରରେ, ସିଏମଡି ଶ୍ରୀ ବ୍ରିଜେନ୍ଦ୍ର ପ୍ରତାପ ସିଂହ କହିଛନ୍ତି ଯେ, “ଇଜିଏ ର ଡ଼ିଏକ୍ସ ପ୍ଲସ ଅଲ୍ଟ୍ରା ପ୍ରଯୁକ୍ତି ସହିତ, ଆମର ଦୃଢ ବିଶ୍ୱାସ ଯେ, ଅନୁଗୋଳ ସ୍ମେଲ୍ଟର ସମ୍ପ୍ରସାରଣ ପ୍ରକଳ୍ପ ଭାରତର ଏକ ଦକ୍ଷତା ସମ୍ପନ୍ନ ତଥା ଅଗ୍ରଣୀ ଆଲୁମିନିୟମ୍ ସ୍ମେଲ୍ଟର ଭାବରେ ଉଭା ହେବ । ଏହି ପ୍ରଯୁକ୍ତି ବ୍ୟବହାର କମ୍ପାନୀର ଅଭିବୃଦ୍ଧି ଏବଂ ସମ୍ପ୍ରସାରଣ ଯୋଜନାକୁ ସମର୍ଥନ କରିବା ସହ ଭାରତର ଆଲୁମିନିୟମ୍ ଇକୋସିଷ୍ଟମକୁ ମଧ୍ୟ ସୁଦୃଢ଼ କରିବ । ପ୍ରସ୍ତାବିତ ସ୍ମେଲ୍ଟର ସମ୍ପ୍ରସାରଣ ଭାରତର ଅର୍ଥନୈତିକ ଅଭିବୃଦ୍ଧି, ପରିବେଶଗତ ଦକ୍ଷତା ଏବଂ ଏକ ବିକଶିତ ଭାରତ ଗଠନ ଦିଗରେ ମଧ୍ୟ ସହାୟକ ହେବ”।
ସୂଚନାଯୋଗ୍ୟ ଯେ, ନାଲକୋ ଏବଂ ଇଜିଏ ମଧ୍ୟରେ ହୋଇଥିବା ସହଭାଗୀତା କମ୍ପାନୀର ପ୍ରଯୁକ୍ତି ଦକ୍ଷତା, ଉତ୍ପାଦକତା ଏବଂ ଦୀର୍ଘସ୍ଥାୟୀ ଅଭିବୃଦ୍ଧି ନିମନ୍ତେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ। ଅନୁଗୋଳ ଠାରେ ୦.୫ ନିୟୁତ ଟନ୍ ବ୍ରାଉନଫିଲ୍ଡ ସମ୍ପ୍ରସାରଣ ନାଲକୋ ର ଉତ୍ପାଦନ କ୍ଷମତାକୁ ଆହୁରି ସୁଦୃଢ଼ କରିବ ଏବଂ ଆଲୁମିନିୟମର ବର୍ଦ୍ଧିତ ଚାହିଦା ପୂରଣ ସହ ଭାରତୀୟ ଅର୍ଥନୀତିର ଅଭିବୃଦ୍ଧିରେ ଯୋଗଦାନ ଦେବ ।