ଦାରା ସିଂ ମୁକ୍ତି ମାମଲା: ସୁପ୍ରିମକୋର୍ଟରେ ପୁଣି ଘୁଞ୍ଚିଲା ଶୁଣାଣି
ରାଜ୍ୟ ସରକାରଙ୍କୁ ଶେଷ ସୁଯୋଗ ଦେଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ, ୦୮/୦୯: ଦାରା ସିଂଙ୍କ ମୁକ୍ତି ଆବେଦନକୁ ନେଇ ଘୁଞ୍ଚିଲା ସୁପ୍ରିମକୋର୍ଟରେ ଶୁଣାଣି। ସର୍ବୋଚ୍ଚ ଅଦାଲତ ଆସନ୍ତା ସେପ୍ଟେମ୍ବର ୧୭ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି। ରାଜ୍ୟ ସରକାରଙ୍କୁ ଏହାକୁ ନେଇ ଶେଷ ସୁଯୋଗ ଦେଲେ ସୁପ୍ରିମକୋର୍ଟ। ଷ୍ଟେଟ୍ ସେଣ୍ଟେନ୍ସ ରିଭ୍ୟୁ ବୋର୍ଡ ରିପୋର୍ଟ ଦାଖଲ କରି ନଥିବାରୁ ଶେଷ ସୁଯୋଗ ମିଳିଛି।
ଦାରା ସିଂ ଓରଫ ରବୀନ୍ଦ୍ର କୁମାର ପାଲ ୧୯୯୯ ମସିହାରେ ଅଷ୍ଟ୍ରେଲୀୟ ମିଶନାରୀ ଗ୍ରାହାମ୍ ଷ୍ଟେନ୍ସ ଓ ତାଙ୍କ ଦୁଇ ନାବାଳକ ପୁଅଙ୍କ ହତ୍ୟା ମାମଲାରେ ଜୀବନ କାରାଦଣ୍ଡ ଭୋଗୁଛନ୍ତି। ସେ ୨୬ ବର୍ଷରୁ ଅଧିକ ସମୟ ଜେଲରେ ରହିଥିବା ଦର୍ଶାଇ ସମୟ ପୂର୍ବରୁ ମୁକ୍ତି ପାଇଁ ଆବେଦନ କରିଛନ୍ତି।
ପୂର୍ବ ଶୁଣାଣିଗୁଡ଼ିକରେ ମଧ୍ୟ କୋର୍ଟ ରାଜ୍ୟକୁ ନିଷ୍ପତ୍ତି ନେବାକୁ ସମୟ ଦେଇଥିଲେ। କିନ୍ତୁ ପ୍ରକ୍ରିୟା ଶେଷ ହୋଇନଥିବାରୁ କୋର୍ଟ ଅସନ୍ତୋଷ ପ୍ରକାଶ କରିଥିଲେ। ଅଗଷ୍ଟ ୧୯ର ଶୁଣାଣିରେ ସୁପ୍ରିମକୋର୍ଟ ସ୍ପଷ୍ଟ ଭାବେ କହିଥିଲେ ଯେ, ରାଜ୍ୟ ସରକାର ନିଷ୍ପତ୍ତି ନନେଲେ କୋର୍ଟ ନିଜେ ଆବେଦନ ଉପରେ ନିଷ୍ପତ୍ତି ନେବ। ସେତେବେଳେ ଜଷ୍ଟିସ୍ ମନୋଜ ମିଶ୍ର ଓ ଜଷ୍ଟିସ୍ ବିଜୟ ବିଷ୍ଣୋଇଙ୍କ ଖଣ୍ଡପୀଠ ରାଜ୍ୟର ବିଳମ୍ବକୁ ନେଇ କଡ଼ା ଆଭିମୁଖ୍ୟ ଦେଖାଇଥିଲେ।
ଦାରା ସିଂ ୨୫ ବର୍ଷରୁ ଅଧିକ ସମୟ ଧରି ଜେଲରେ ଅଛନ୍ତି। ତେଣୁ ତାଙ୍କୁ ଆଇନ ଅନୁସାରେ ସମୟପୂର୍ବ ମୁକ୍ତି ଓଡ଼ିଶାର ସେଣ୍ଟେନ୍ସ ରିଭ୍ୟୁ ବୋର୍ଡ଼ ପୂର୍ବରୁ ‘ଉତ୍ତମ ଆଚରଣ’ ଆଧାରରେ ମୁକ୍ତି ପାଇଁ ସୁପାରିସ କରିଥିଲା। କିନ୍ତୁ ଏହା ପରେ ମଧ୍ୟ ସରକାର ଚୂଡ଼ାନ୍ତ ନିଷ୍ପତ୍ତି ନେଇନଥିଲେ। ଏହି ବିଳମ୍ବକୁ ନେଇ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ତୀବ୍ର ଭାବେ ଭର୍ତ୍ସନା କରିଥିଲେ। ସୁପ୍ରିମକୋର୍ଟ କହିଥିଲେ ଯେ, ମାମଲାକୁ ବାରମ୍ବାର ଘୁଞ୍ଚାଇ ନିଷ୍ପତ୍ତିକୁ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ରଖାଯାଇପାରିବ ନାହିଁ।