ଖୋଲିବ ଓରାଙ୍ଗଉଟାନ୍‌ଙ୍କ ରହସ୍ୟ ! ସନ୍ଦେହ ଘେରରେ କଳା ଥାର୍

ସିସିଟିଭିରେ ଥାରକୁ ନେଇ ବଢ଼ିଲା ସସପେନ୍ସ

ରାତିରେ ଆସିଲା, ୧୫ ମିନିଟ୍‌ ପରେ ଫେରିଗଲା; କିଏ ସେହି ଗାଡ଼ି ମାଲିକ

ବାଲେଶ୍ୱର, ୦୯/୦୯: ବାଲେଶ୍ୱର ଜିଲ୍ଲାର ଭୋଗରାଇ ବ୍ଲକର ରଣକୋଠା ବଡ଼ପାହି ଅଞ୍ଚଳ ବିଚିତ୍ରପୁର ଜଙ୍ଗଲରୁ ୫ଟି ଓରାଙ୍ଗଉଟାନ ଠାବ ହେବା ପରେ ବିଭିନ୍ନ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଭାରତରେ ନଥିବା ଏହି ଓରାଙ୍ଗଉଟାନ୍ ଓଡ଼ିଶାକୁ କିପରି ଆସିଲା, ତାହା ଏବେ ରହସ୍ୟ ଘେରରେ। କିଏ ସେମାନଙ୍କୁ ଆଣିଲା ଏବଂ କାହିଁକି ଜଙ୍ଗଲରେ ଛାଡ଼ିଦିଆଗଲା—ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଖୋଜୁଛି ତଦନ୍ତକାରୀ ଟିମ୍। ଏହା ମଧ୍ୟରେ ଏକ କଳା ରଙ୍ଗର ମହିନ୍ଦ୍ରା ଥାର ସନ୍ଦେହ ବଢ଼ାଇଛି। ଜଙ୍ଗଲ ନିକଟର ସିସିଟିଭି ଫୁଟେଜ୍‌ରେ ଏହି ଗାଡ଼ିକୁ ଦେଖିବାକୁ ମିଳିଛି। ଗାଡ଼ିର ନମ୍ବର, ମାଲିକ କିଏ ଏବଂ ଏହାର ଗତିବିଧି କେଉଁଠାକୁ ଥିଲା—ଏସବୁ ଯାଞ୍ଚ କରାଯାଉଛି।

ସୂଚନା ଅନୁସାରେ, ଓରାଙ୍ଗଉଟାନ୍‌ଗୁଡ଼ିକୁ ମିଳିବାର ଠିକ୍ ପୂର୍ବ ରାତିରେ ଏକ କଳା ଏସୟୁଭି ଏହି ଅଞ୍ଚଳ ଦେଇ ଯାଇଥିଲା। ସିସିଟିଭିରେ ଗାଡ଼ିଟି ପ୍ରାୟ ରାତି ୧୧ଟା ୨୫ ମିନିଟ୍‌ରେ ସେହି ଅଞ୍ଚଳ ଦେଇ ଯାଉଥିବା ଏବଂ ପ୍ରାୟ ୧୫ ମିନିଟ୍ ପରେ ପୁଣି ଫେରୁଥିବା ଦେଖାଯାଇଛି। ତେବେ ଏହି ଗାଡ଼ି ଓ ଓରାଙ୍ଗଉଟାନ୍‌ଗୁଡ଼ିକ ମଧ୍ୟରେ କୌଣସି ସିଧାସଳଖ ସମ୍ପର୍କ ରହିଛି ବୋଲି ଏପର୍ଯ୍ୟନ୍ତ ତଦନ୍ତକାରୀମାନେ ନିଶ୍ଚିତ କରିନାହାନ୍ତି। ଏହି ଘଟଣାର ତଦନ୍ତ ପାଇଁ ଚାରିଜଣିଆ ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ) ଗଠନ କରାଯାଇଛି।

ଓଡ଼ିଶାର ବନମନ୍ତ୍ରୀ ଗଣେଶ ରାମ ସିଂହଖୁଣ୍ଟିଆଙ୍କ କହିବା ଅନୁସାରେ, ଓରାଙ୍ଗଉଟାନ୍‌ଗୁଡ଼ିକୁ ବିମାନ, ରେଳ କିମ୍ବା ଜଳପଥ ମାଧ୍ୟମରେ ରାଜ୍ୟକୁ ଅଣାଯାଇଥାଇପାରେ। ଏ ନେଇ ଜାଣିବାକୁ ବିମାନବନ୍ଦର, ରେଳ ଷ୍ଟେସନ ଓ ବନ୍ଦରଗୁଡ଼ିକର ସିସିଟିଭି ଯାଞ୍ଚ କରିବାକୁ ୱାଇଲ୍ଡଲାଇଫ କ୍ରାଇମ୍ କଣ୍ଟ୍ରୋଲ ବ୍ୟୁରୋକୁ ମଧ୍ୟ ତଦନ୍ତରେ ସାମିଲ କରିବାକୁ କୁହାଯାଇଛି।

ଅନ୍ୟପଟେ ଉଦ୍ଧାର ହୋଇଥିବା ୫ଟି ଓରାଙ୍ଗଉଟାନ୍‌କୁ ଭୁବନେଶ୍ୱରସ୍ଥିତ ନନ୍ଦନକାନନକୁ ଅଣାଯାଇଛି। ବର୍ତ୍ତମାନ ସେମାନଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି ଏବଂ ବନ ବିଭାଗର ଡାକ୍ତରମାନେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି। ଆବଶ୍ୟକ ହେଲେ ଜାତୀୟସ୍ତରର ବନ୍ୟଜନ୍ତୁ ବିଶେଷଜ୍ଞଙ୍କ ସହାୟତା ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।

ବନ୍ୟଜନ୍ତୁ ଚୋରାଚାଲାଣ ଦିଗରୁ ମଧ୍ୟ ତଦନ୍ତ ହେଉଛି। ପ୍ରତ୍ୟେକ ଓରାଙ୍ଗଉଟାନ୍‌ର ଅନ୍ତର୍ଜାତୀୟ ବଜାର ମୂଲ୍ୟ ପ୍ରାୟ ୨୦–୨୫ ଲକ୍ଷ ଟଙ୍କା ହୋଇପାରେ ବୋଲି ମନ୍ତ୍ରୀ କହିଛନ୍ତି। ତେଣୁ ଏହି ଘଟଣା ପଛରେ କୌଣସି ବଡ଼ ବନ୍ୟଜନ୍ତୁ ଚୋରାଚାଲାଣ ନେଟୱର୍କ ଅଛି କି ନାହିଁ, ତାହା ତଦନ୍ତ କରାଯାଉଛି।