ୟୁଏଇ ନିବେଶ ସମ୍ମିଳନୀରେ ଯୋଗଦେବା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ

ଓଡ଼ିଶାରେ ନୂତନ ଶିଳ୍ପ ଓ ପୁଞ୍ଜିନିବେଶ ପାଇଁ ନୂଆ ଦ୍ୱାର ଫିଟାଇବ

ଆବୁଧାବି/ଭୁବନେଶ୍ବର, ୦୯/୦୯: ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଗତ କାଲି ଆବୁଧାବିରେ ପହଞ୍ଚିଥିଲେ। ଆଜି ନିବେଶ ସମ୍ମିଳନୀରେ ଯୋଗଦେବା ପୂର୍ବରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ଭବ୍ୟ ସ୍ୱାଗତ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସ୍ୱାଗତ କରିଛନ୍ତି ଭାରତର ରାଷ୍ଟ୍ରଦୂତ ଡକ୍ଟର ଦୀପକ ମିତ୍ତଲ ଓ ପ୍ରବାସୀ ଓଡ଼ିଆ।

ଆଜିଠୁ ୧୧ ପର୍ଯ୍ୟନ୍ତ ପ୍ରମୁଖ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଏବଂ ସେପ୍ଟେମ୍ବର ୧୨ରେ ସେ ଭାରତ ଫେରିବାର କାର୍ଯ୍ୟକ୍ରମ ରହିଛି। ୟୁଏଇ ସହିତ ଓଡ଼ିଶାର ଆର୍ଥିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଏବଂ ନିବେଶ, ମାନୁଫ୍ୟାକଚରିଂ, ଭିତ୍ତିଭୂମି, ଶକ୍ତି ଓ ଏମର୍ଜିଂ ଇଣ୍ଡଷ୍ଟ୍ରି କ୍ଷେତ୍ରରେ ଭାଗିଦାରୀ ଗଢ଼ି ତୋଳିବା ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ।

ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ଗଠିତ ଏହି ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀରେ ରାଜ୍ୟ ଶିଳ୍ପ ମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ବାଇଁ, ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଏବଂ ଶିଳ୍ପ ବିଭାଗ ଓ ଇପିକଲର ବରିଷ୍ଠ ଅଧିକାରୀମାନେ ସାମିଲ ଅଛନ୍ତି।

ଏହି ଆବୁଧାବି କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଶା ପ୍ରତିନିଧି ମଣ୍ଡଳୀ ୟୁଏଇର ପ୍ରମୁଖ ଅନୁଷ୍ଠାନ, ନିବେଶକ ଏବଂ ବ୍ୟବସାୟିକ ଗୋଷ୍ଠୀଙ୍କ ସହ ସିଧାସଳଖ ଆଲୋଚନା କରିବେ। ଏହି ଆଲୋଚନାଗୁଡ଼ିକ କେବଳ ନିବେଶ ଆକୃଷ୍ଟ କରିବାରେ ସୀମିତ ନରହି, ଓଡ଼ିଶାରେ ନିର୍ଦ୍ଦିଷ୍ଟ ଭାଗିଦାରୀ, ପ୍ରଯୁକ୍ତିବିଦ୍ୟାର ସହଯୋଗ ଏବଂ ଦୀର୍ଘକାଳୀନ ଶିଳ୍ପ ଭାଗିଦାରୀ ପାଇଁ ନୂଆ ସୁଯୋଗ ଚିହ୍ନଟ କରିବା ଲକ୍ଷ୍ୟରେ ପ୍ରସ୍ତୁତ କରାଯାଇଛି। ଏହି UAE ଅଭିଯାନ ଓଡ଼ିଶାର ଶିଳ୍ପ ରୂପାନ୍ତରଣର ଏକ ଗୁରୁତ୍ବପୂର୍ଣ୍ଣ ସମୟରେ ଆରମ୍ଭ ହୋଇଛି। ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଓଡ଼ିଶାର ପ୍ରାକୃତିକ ସମ୍ପଦ, ଶିଳ୍ପ ଭିତ୍ତିଭୂମି, ବନ୍ଦର, ସୁଲଭ ବିଦ୍ୟୁତ୍ ସେବା, ଦକ୍ଷ ମାନବସମ୍ବଳ ଏବଂ ଭାରତୀୟ ଓ ଅନ୍ତର୍ଜାତୀୟ ବଜାର ସହ ଥିବା ସହଜ ସଂଯୋଗର ସୁବିଧାଗୁଡ଼ିକୁ ପ୍ରମୁଖ ଭାବରେ ଉପସ୍ଥାପନ କରିବେ।