ପାଇଖାନା ଟାଙ୍କି ସଫା ବେଳେ ଅଘଟଣ: ଶ୍ୱାସରୁଦ୍ଧ ହୋଇ ୩ ମୃତ
ମୃତକଙ୍କ ମଧ୍ୟରେ ୨ ମିସ୍ତ୍ରୀ, ଜଣେ ଦିନ ମଜୁରିଆ
ଘଟଣାସ୍ଥଳରେ ବିଧାୟକ, ପୁଲିସର ତଦନ୍ତ ଜାରି
ରାୟଗଡା/ପଦ୍ମପୁର,(ଦକ୍ଷ ବାଥ୍ରା): ରାୟଗଡ଼ା ଜିଲ୍ଲା ପଦ୍ମପୁର ଥାନା ଅନ୍ତର୍ଗତ ଗୁଲୁଗୁଡ଼ା ପଞ୍ଚାୟତର ତାରପାଗୁଡ଼ା ଗାଁରେ ପାଇଖାନା ଟାଙ୍କି ସଫା କରିବା ବେଳେ ଅଘଟଣ ଘଟି ୩ ଜଣଙ୍କ ମୃତ୍ୟୁ ଘଟିଛି। ଟାଙ୍କି ଭିତରେ ବିଷାକ୍ତ ଗ୍ୟାସ୍ ଯୋଗୁଁ ଶ୍ୱାସରୁଦ୍ଧ ହୋଇ ସେମାନଙ୍କ ମୃତ୍ୟୁ ଘଟିଥିବା ପ୍ରାଥମିକ ଭାବେ ଜଣାପଡ଼ିଛି।ମୃତକମାନେ ହେଲେ ପଦ୍ମପୁର ଥାନା କେନ୍ଦୁଗୁଡ଼ା ନିକଟ ଜୀବଜଗତପୁର ଗାଁର ହରିଶ୍ଚନ୍ଦ୍ର ବିର (୪୬), ପ୍ରକାଶ ଲିମା (୪୫) ଓ ଆଲୋକ କରାଡ଼ (୪୭)। ମୃତକଙ୍କ ମଧ୍ୟରୁ ଦୁଇଜଣ ମିସ୍ତ୍ରୀ ଓ ଜଣେ ଦିନ ମଜୁରିଆ ବୋଲି ଜଣାପଡ଼ିଛି।ସୂଚନା ଅନୁଯାୟୀ, ତାରପାଗୁଡ଼ା ଗାଁରେ ଏକ ଘରର ନୂଆ ପାଇଖାନା ଟାଙ୍କି ସଫା କରିବା ପାଇଁ ୩ ଜଣ ଟାଙ୍କି ଭିତରକୁ ପ୍ରବେଶ କରିଥିଲେ। ତେବେ ଟାଙ୍କି ଭିତରେ ପ୍ରବେଶ କରିବା ପରେ ହଠାତ୍ ସେମାନେ ଅସୁସ୍ଥ ହୋଇପଡ଼ିଥିଲେ। ଶ୍ୱାସକଷ୍ଟ ଯୋଗୁଁ ତିନିଜଣ ଟାଙ୍କି ଭିତରେ ଅଚେତ ହୋଇପଡ଼ିଥିଲେ।ଘଟଣା ସମ୍ପର୍କରେ ଖବର ପାଇ ପଦ୍ମପୁର ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା। ଦମକଳ କର୍ମଚାରୀମାନେ ସତର୍କତାର ସହ ଟାଙ୍କି ଭିତରୁ ତିନିଜଣଙ୍କୁ ଉଦ୍ଧାର କରିଥିଲେ। ତେବେ ସେତେବେଳକୁ ସେମାନଙ୍କ ମୃତ୍ୟୁ ଘଟିସାରିଥିଲା।ପରେ ପଦ୍ମପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତଦେହ ଗୁଡ଼ିକୁ ପଦ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରଖାଯାଇଛି। ଘଟଣାକୁ ନେଇ ତାରପାଗୁଡ଼ା ସମେତ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।ଖବର ପାଇ ଘଟଣାସ୍ଥଳରେ ବିଧାୟକ ସତ୍ୟଜିତ ଗମାଙ୍ଗ ମଧ୍ୟ ପହଞ୍ଚି ଘଟଣା ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି।