ବିକ୍ରମ ପଣ୍ଡାଙ୍କ ନାଁରେ ପୁଣି ମାମଲା: ଜେଲ୍ ଭିତରୁ ଫୋନରେ ଧମକାଇଥିବା ଅଭିଯୋଗ

ମଦନ ଦଳାଇଙ୍କ ନାଁରେ ମଧ୍ୟ ହୋଇଛି ସାନି ମାମଲା

ବ୍ରହ୍ମପୁର, ୧୬/୦୯: ଜାମିନ୍‌ରେ ଆସିବା ପରେ ପୁଣି ବୃଦ୍ଧି ପାଇଛି ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ଅସୁବିଧା। ସାକ୍ଷୀଙ୍କୁ ଫୋନ୍‌ରେ ଧମକଚମକ ଦେବା ଅଭିଯୋଗରେ ତାଙ୍କ ନାଁରେ ବ୍ରହ୍ମପୁର ପୋଲିସ୍ ପକ୍ଷରୁ ଏକ ନୂଆ ମାମଲା ରୁଜୁ କରାଯାଇଛି।ବ୍ରହ୍ମପୁର ଏସ୍‌ପି ଶରବଣା ବିବେକଙ୍କ ସୂଚନା ଅନୁଯାୟୀ , ଜେଲ୍ ଭିତରେ ଥିବା ସମୟରେ ବିକ୍ରମ ପଣ୍ଡା ଜଣେ ସାକ୍ଷୀଙ୍କୁ ଫୋନ୍ କରି ଧମକାଉଥିବା ନେଇ ଅଭିଯୋଗ ହୋଇଥିଲା। ଏହି ଘଟଣାରେ ଗୋଷାଣୀ ନୂଆଗାଁ ଥାନାରେ ଏତଲା ଦିଆଯିବା ପରେ ପୋଲିସ୍ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।ଜେଲ୍ ଭିତର ସିସିଟିଭି ଫୁଟେଜ୍‌ ଯାଞ୍ଚ କରିବା ପରେ ଫୋନ୍‌ ବାର୍ତ୍ତାଳପର ସ୍ପଷ୍ଟ ପ୍ରମାଣ ମିଳିଛି। ଅଭିଯୋଗ ଅନୁସାରେ, ଡାକ୍ତର ସୁଶାନ୍ତ ପାଣିଗ୍ରାହୀଙ୍କ ଫୋନ୍‌ ବ୍ୟବହାର କରି ଜେଲ୍ ଭିତରୁ ସାକ୍ଷୀଙ୍କୁ ଏହି ଧମକ ଦିଆଯାଇଥିଲା।

ଜେଲ୍ ଭିତରେ ଅଭିଯୁକ୍ତଙ୍କୁ ଫୋନ୍ ଯୋଗାଇ ଦେବାରେ ସହଯୋଗ କରିଥିବାରୁ ଡା. ସୁଶାନ୍ତ ପାଣିଗ୍ରାହୀଙ୍କ ବିରୋଧରେ ଦୃଢ଼ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସରକାରଙ୍କୁ ଚିଠି ଲେଖାଯିବ। କେବଳ ବିକ୍ରମ ନୁହଁନ୍ତି, ଏହି ସମାନ ଅଭିଯୋଗରେ ମଦନ ଦଳାଇଙ୍କ ନାଁରେ ମଧ୍ୟ ସାନି ମାମଲା ରୁଜୁ କରାଯାଇଛି।

ସୂଚନାଯୋଗ୍ୟ, ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ହୋଇ ଜେଲ୍‌ରେ ଥିବା ବିକ୍ରମ ପଣ୍ଡା ନିକଟରେ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସର୍ତ୍ତମୂଳକ ଜାମିନରେ ଜେଲ୍‌ରୁ ମୁକୁଳିଥିଲେ। ହେଲେ ଜାମିନ୍ ପାଇବାର କିଛି ଦିନ ମଧ୍ୟରେ ସାକ୍ଷୀଙ୍କୁ ଧମକାଇବା ଅଭିଯୋଗରେ ପୁଣି ତାଙ୍କ ଆଇନଗତ ସମସ୍ୟା ବଢ଼ିଯାଇଛି।