ସ୍ତ୍ରୀ ହତ୍ୟା ମାମଲାରେ ଜେଲରେ ସ୍ୱାମୀ, ୧୨ ବର୍ଷ ପରେ ଜୀବିତ ମିଳିଲେ ମୃତ ମହିଳା

ପୋଲିସର ତଦନ୍ତ ଜାରି

ସାସାରାମ, ୧୬/୦୯: ଯେଉଁ ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗରେ ସ୍ୱାମୀ ଓ ଶାଶୂଘର ଲୋକେ ଜେଲ୍‌ ଦଣ୍ଡ ଭୋଗିଥିଲେ ଏବଂ ମାମଲା ଦଫାରଫା ପାଇଁ ପୈତୃକ ସମ୍ପତ୍ତି ବିକ୍ରି କରିବାକୁ ବାଧ୍ୟ ହୋଇଥିଲେ, ସେହି ମହିଳା ଜଣକ ଦୀର୍ଘ ୧୨ ବର୍ଷ ପରେ ଜୀବିତ ଉଦ୍ଧାର ହୋଇଛନ୍ତି। ବିହାରର ରୋହତାସ ଜିଲ୍ଲାରୁ ସାମ୍ନାକୁ ଆସିଥିବା ଏହି ଅଜବ ଘଟଣା ଏବେ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି।

୨୦୦୨ ମସିହାରେ ସାସାରାମର ଅରୁଣ ମେହେତାଙ୍କ ସହ ଶକୁନ୍ତଳା ଦେବୀଙ୍କ ବିବାହ ହୋଇଥିଲା। କିନ୍ତୁ ଶାଶୂଘରେ ସବୁବେଳେ ବିବାଦ ଲାଗି ରହିବା ପରେ, ୨୦୧୪ ମସିହାରେ ଶକୁନ୍ତଳା ହଠାତ୍ ଗାୟବ ହୋଇଯାଇଥିଲେ। ଏହାପରେ ଶକୁନ୍ତଳାଙ୍କ ଭାଇ ପୋଲିସ ନିକଟରେ ଅରୁଣ ଓ ତାଙ୍କ ପରିବାର ବିରୋଧରେ ଯୌତୁକ ନିର୍ଯାତନାର ଅଭିଯୋଗ ଆଣିଥିଲେ।

ମାମଲା ରୁଜୁ ହେବାର ମାତ୍ର ଦୁଇ ଦିନ ପରେ ସ୍ଥାନୀୟ କେନାଲରୁ ଜଣେ ଅଜଣା ମହିଳାଙ୍କ ମୃତଦେହ ମିଳିଥିଲା। ଶକୁନ୍ତଳାଙ୍କ ଭାଇ ସେହି ମୃତଦେହଟି ତାଙ୍କ ଭଉଣୀର ବୋଲି ପୋଲିସ ଆଗରେ ଚିହ୍ନଟ କରିଥିଲେ। ପୋଷ୍ଟମର୍ଟମ ପରେ ଏହାକୁ ଏକ ହତ୍ୟା ମାମଲାର ରୂପ ଦିଆଯାଇଥିଲା। ଫଳରେ ସ୍ୱାମୀ ଅରୁଣ ମେହେତା, ତାଙ୍କ ବାପା ଦିଲୀପ ମେହେତା ଓ ଭାଇ ଗୋବିନ୍ଦ କୁମାରଙ୍କୁ ପୋଲିସ ଗିରଫ କରି ଜେଲ୍‌ ପଠାଇଥିଲା। ପରବର୍ତ୍ତୀ ସମୟରେ କୋର୍ଟ କଚେରୀ ଏବଂ ମାମଲାରେ ଆପୋଷ ବୁଝାମଣା ପାଇଁ ଶକୁନ୍ତଳାଙ୍କ ପରିବାର ୮ ଲକ୍ଷ ଟଙ୍କା ଦାବି କରିବାରୁ, ଅରୁଣଙ୍କ ପରିବାର ନିଜର ଜମି ବିକ୍ରି କରି ସେହି ଟଙ୍କା ଦେଇଥିଲେ।

ଘଟଣାର ପର୍ଦ୍ଦାଫାଶ କିପରି ହେଲା?

ଦୀର୍ଘ ଦିନ ପରେ ଅରୁଣଙ୍କ ବାପା ଦିଲୀପ ମେହେତା ଖବର ପାଇଥିଲେ ଯେ ତାଙ୍କ ବୋହୂ ଶକୁନ୍ତଳା ପଡ଼ୋଶୀ ଝାଡ଼ଖଣ୍ଡର ଗୋଟିଏ ଗାଁରେ ରହୁଛନ୍ତି। ସନ୍ଦେହ ଦୂର କରିବା ପାଇଁ ସେ ସେଠାକୁ ଯାଇ ଶକୁନ୍ତଳାଙ୍କୁ ନିଜ ଆଖିରେ ଦେଖି ଚିହ୍ନିଥିଲେ। ଏହାପରେ ପରିବାର ଲୋକେ ରୋହତାସ ଏସପିଙ୍କ ନିକଟରେ ଅଭିଯୋଗ କରିଥିଲେ।

ପୋଲିସର ତଦନ୍ତରୁ ଜଣାପଡ଼ିଛି ଯେ, ଶକୁନ୍ତଳା ଝାଡ଼ଖଣ୍ଡର ଗଡ଼ୱା ଜିଲ୍ଲାସ୍ଥିତ ଲଭରୀ ଗାଁରେ ‘କାନ୍ତି ଦେବୀ’ ନାମରେ ରତ୍ତୁ ସିଂହ ନାମକ ଜଣେ ବ୍ୟକ୍ତିଙ୍କ ସହ ରହୁଥିଲେ। ପୋଲିସ ତାଙ୍କୁ ଉଦ୍ଧାର କରି ରୋହତାସ ଆଣିବା ସହ ସାସାରାମ କୋର୍ଟରେ ହାଜର କରିଛି।

ସତ ସାମ୍ନାକୁ ଆସିବା ପରେ ପୋଲିସ ଏବେ ଶକୁନ୍ତଳାଙ୍କ ବିରୋଧରେ ଜାଲିଆତି, ପ୍ରତାରଣା ଓ ଅପରାଧିକ ଷଡ଼ଯନ୍ତ୍ର ମାମଲା ରୁଜୁ କରିଛି। ପୋଲିସ ଏହି ମାମଲାର ମୂଳରୁ ତଦନ୍ତ ଆରମ୍ଭ କରିଛି ଏବଂ ଏହି ଷଡ଼ଯନ୍ତ୍ରରେ ସାମିଲ ଥିବା ସମସ୍ତ ବ୍ୟକ୍ତିଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛି।