ବିକାଶ, ସ୍ଵାଭିମାନ ଓ ଭାରତୀୟତାର ପ୍ରତୀକ ନରେନ୍ଦ୍ର ମୋଦୀ: ମୋହନ ଚରଣ ମାଝୀ
ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନରେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା
ଭୁବନେଶ୍ୱର, ୧୭/୦୯: ଆଜି ହେଉଛି ଦେଶର ଯଶସ୍ଵୀ ପ୍ରଧାନମନ୍ତ୍ରୀ ମାନନୀୟ ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କର ଜନ୍ମ ଦିବସ। ତାଙ୍କର ସାରା ଜୀବନ ଦେଶ ସେବା ଓ ସମାଜରେ ପରିବର୍ତ୍ତନ ଆଣିବା ଦିଗରେ ସମର୍ପିତ। ତେଣୁ, ତାଙ୍କର ଏହି ଜନ୍ମ ଦିବସକୁ ‘ସେବା ସଂକଳ୍ପ’ ଭାବେ ଏକ ମାସ ବ୍ୟାପୀ ପାଳନ କରାଯିବ। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ କେବଳ ଜଣେ ରାଜନେତାଙ୍କ ଜୀବନର ଉତ୍ସବ ନୁହେଁ, ବରଂ ଗତ ଦଶନ୍ଧି ମଧ୍ୟରେ ଭାରତର ଆତ୍ମବିଶ୍ୱାସ, ଆକାଂକ୍ଷା ଏବଂ ବିକାଶ ଦିଗକୁ ଆକାର ଦେଇଥିବା ପରିବର୍ତ୍ତନ ଉପରେ ପ୍ରତିଫଳନ କରିବାର ଏକ ସୁଯୋଗ।
ଆଧୁନିକ ଭାରତ, ବିଶେଷ ଭାବେ ସ୍ଵାଧୀନତା ପରବର୍ତ୍ତୀ ଭାରତର ଇତିହାସ ଯେତେବେଳେ ବି ଲେଖାହେବ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କର କାଳଖଣ୍ଡ ବିଶେଷ ରୂପରେ ରେଖାଙ୍କିତ ହେବ। କାରଣ ଗତ ୨୦୧୪ ମସିହା ପରବର୍ତ୍ତୀ ଭାରତରେ ରାଷ୍ଟ୍ର ଗଠନ ପାଇଁ ଯେଉଁ ଉତ୍ସାହ, ଉଦ୍ଦୀପନା ଦେଖିବାକୁ ମିଳୁଛି ତାହା ଦେଶକୁ ବ୍ରିଟିଶ ଶାସକଙ୍କ ଦାଉରୁ ଦେଶକୁ ମୁଜକ୍ତି କରିବା ପାଇଁ ସ୍ଵାଧୀନତା ସଂଗ୍ରାମ ସମୟରେ ଦେଖାଯାଇଥିଲା। ଏହା ଅତ୍ଯୁକ୍ତି ନୁହେଁ, କାରଣ ସ୍ଵାଧୀନତାର ପ୍ରଥମ ପଚାଶ ଦଶକରେ ଅଭିବୃଦ୍ଧି ଏତେ କମ ଥିଲା ଯେ ପାଶ୍ଚାତ୍ୟ ଅର୍ଥଶାସ୍ତ୍ରୀମାନେ ଅପମାନ ସୂଚକ ‘ହିନ୍ଦୁ ଅଭିବୃଦ୍ଧି’ କହୁଥିଲେ। ଭାରତ ପରି ବିଶାଳ ଦେଶରେ ଅଭିବୃଦ୍ଧି କମ ରହୁଥିବାରୁ ଉତ୍କଟ ଦାରିଦ୍ର୍ୟ ତାଡନାରୁ ଦେଶ ମୁକୁଳିପାରି ନ ଥିଲା।
କିନ୍ତୁ, ୨୦୧୪ ମସିହାରେ ଦେଶର ରାଜନୈତିକ ମାନଚିତ୍ର ଯେ ବଦଳି ଥିଲା, ତାହା ନୁହେଁ, ପ୍ରଧାନମନ୍ତ୍ରୀଙ୍କ ଦୁରଦୃଷ୍ଟି ସମ୍ପନ୍ନ ନୀତି ଦେଶର ବିକାଶକୁ ଏକ ନୂତନ ଦଶା ଓ ଦିଶା ପ୍ରଦାନ କରିଥିଲା। ଜୁଲାଇ ୨୦୧୬ ରେ ନୀତି ଆୟୋଗର ୧୫ ବର୍ଷୀୟ ଭିଜନ ଡକ୍ୟୁମେଣ୍ଟର ଉନ୍ମୋଚନ ସମୟରେ ପ୍ରଧାନମନ୍ତ୍ରୀ ତାଙ୍କର ଦୁରଦୃଷ୍ଟି ସମ୍ପନ୍ନ ନୀତିକୁ ଲୋକ ଲୋଚନକୁ ଆଣିଥିଲେ। ଏହି ନୀତି ଅନୁସାରେ ଭାରତ ଆଉ ତାଳିପକା ବିକାଶ ଦିଗରେ ଚାଲି ପାରିବ ନାହିଁ। ଦେଶକୁ ବିକଶିତ କରିବାକୁ ହେଲେ ଦେଶର ନୀତିରେ ‘ରୂପାନ୍ତରିତ ପରିବର୍ତ୍ତନ’କୁ ଆଦୃତ କରିବାକୁ ହେବ ଯାହାରର ମୂଳଦୁଆ ହେଉଛି, ‘ଗତି, ପାରଦର୍ଶିତା ଓ ଉତ୍ତରଦାୟିତ୍ଵତା’ (Speed, Transformation & Accountability)। ଏହି ପରିବର୍ତ୍ତିତ ନୀତି ଓ ନୂତନ ସଂକଳ୍ପ ସହିତ ଆରମ୍ଭ ହେଲା ନୂତନ ରାଷ୍ଟ୍ର ଗଠନର ମହାଯଜ୍ଞ।
ବର୍ତ୍ତମାନ ମାନନୀୟ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକାଳ ବାର ବର୍ଷରୁ କିଛି ଅଧିକ ସମୟ ଅତିବାହିତ ହୋଇଛି। ଏହି ସମୟ ମଧ୍ୟରେ ଅନେକ ଆଭ୍ଯନ୍ତରୀଣ ତଥା ଆନ୍ତର୍ଜାତିକ ସମସ୍ଯା ଦେଶ ସମ୍ମୁଖରେ ଉପନୀତ ହୋଇଛି। ଯେପରିକି ରୁଷିଆ-ୟୁକ୍ରେନ ଯୁଦ୍ଧ, ବର୍ତ୍ତମାନ ଚାଲୁଥିବା ମଧ୍ୟପ୍ରାଚ୍ଯରେ ଯୁଦ୍ଧ। ଆଭ୍ଯନ୍ତରୀଣ କ୍ଷେତ୍ରରେ ଚଳିତ ଶତାବ୍ଦୀର ସବୁଠାରୁ ବଡ ସଙ୍କଟ କୋଭିଡ ତଥା ଦେଶ ଗତ ପଚାଶ ଦଶନ୍ଧି ଧରି ପ୍ରଭାବିତ ହୋଇଥିବା ନକ୍ସଲବାଦ ଓ ମାଓବାଦୀ ହିଂସା। କିନ୍ତୁ, ଏହି ପ୍ରତ୍ଯେକଟି ସମସ୍ଯାର ସମ୍ମୁଖୀନ ହୋଇ ଦେଶକୁ ଦୃଢ, ସ୍ଥିର ରଖି ବିକାଶର ଗତିକୁ ବଜାୟ ରଖିବା କୌଣସି ଚମତ୍କାରରୁ କମ ନୁହେଁ। ଏହାର ସଦ୍ୟତମ ପ୍ରମାଣ ହେଉଛି ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଦେଶର ଅଭିବୃଦ୍ଧି ହାର ୭.୮ ପ୍ରତିଶତ ଥିଲା। ଯେତେବେଳେ ସମଗ୍ର ବିଶ୍ଵ ନିଜ ଅର୍ଥନୀତି ମଙ୍ଗ ସଳଖିବା ପାଇଁ ସଂଗ୍ରାମ କରୁଛନ୍ତି, ଭାରତ ବିଶ୍ଵର ଦୃତତମ ଅଭିବୃଦ୍ଧି ହାସଲ କରିଥିବା ବୃହତ ଅର୍ଥନୀତି ଭାବେ ଉଭା ହୋଇଛି ଯାହା କେନ୍ଦ୍ର ସରକାରଙ୍କ ଆର୍ଥିକ ନୀତି ଓ ସୁପରିଚାଳନା ପାଇଁ ସମ୍ଭବ ହୋଇଅଛି।
ଏହି ଦଶ ବର୍ଷରେ ମାନନୀୟ ପ୍ରଧାନମନ୍ତ୍ରୀ ‘ସବ୍କା ସାଥ, ସବ୍କା ବିକାଶ, ସବ୍କା ବିଶ୍ବାସ ଓ ସବ୍କା ପ୍ରୟାସ’ ମନ୍ତ୍ରରେ ଭାରତକୁ ୨୦୪୭ ସୁଦ୍ଧା ବିକଶିତ ଭାରତରେ ପରିଣତ କରିବା ପାଇଁ ରୋଡମ୍ଯାପ ପ୍ରସ୍ତୁତ କରି ଅଗ୍ରସର ହେଉଛନ୍ତି। ଏହି ବାର ବର୍ଷରେ ମୋଦୀ ଜୀଙ୍କର ଉପଲବ୍ଧିର ତାଲିକା ବହୁତ ଲମ୍ବା। ଏହି ସଫଳତା ମଧ୍ୟରେ ୨୫ କୋଟି ଭାରତୀୟଙ୍କୁ ଉତ୍କଟ ଦାରିଦ୍ର୍ୟ ତାଡନାରୁ ମୁକ୍ତ କରିବା ଏକ ମାପଦଣ୍ଡ। ସ୍ଵଚ୍ଛ ଭାରତ, ଉଜ୍ଜ୍ୱାଲା ଯୋଜନା, ପିଏମ କିଷାନ, ଆୟୁଷ୍ମାନ ଭାରତ, ନୂତନ ଶିକ୍ଷାନୀତି, ମେକ ଇନ ଇଣ୍ଡିଆ, ନାରୀ ଶକ୍ତି ବନ୍ଦନ ଅଧିନିୟମ, ୟୁପିଆଇ, ଜିଏସଟି, ଖେଲୋ ଇଣ୍ଡିଆ ପରି ଯୁଗାନ୍ତକାରୀ ନୀତି ଓ କାର୍ଯ୍ୟକ୍ରମ ଫଳରେ ଦେଶର ପ୍ରତ୍ଯେକ ବର୍ଗଙ୍କ ଜୀବନଶୈଳୀ ସୁଲଳିତ ଓ ସ୍ଵାଚ୍ଛନ୍ଦ୍ୟ ହୋଇପାରିଛି।
ମାନନୀୟ ପ୍ରଧାନମନ୍ତ୍ରୀଙ୍କ ପରିକଳ୍ପିତ ବିକଶିତ ଭାରତରେ ଓଡିଶା ଏକ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ଯାଉଛି। ଗତ ଜୁନ, ୨୦୨୪ରେ ରାଜ୍ୟରେ ଏକ ନୂତନ ସରକାର ଆସିବା ଏହି ଭୂମିକାକୁ ସାର୍ଥକ କରିବାରେ ନିଶ୍ଚିତ ଭାବେ ସହାୟକ ହେବ। ଦୀର୍ଘଦିନ ଧରି ଓଡିଶାର ପ୍ରକୃତିକ ପ୍ରାଚୁର୍ଜ୍ୟ, ଯେପରିକି ଖଣିଜ ଦ୍ରବ୍ଯ, ସୁଦୀର୍ଘ ତଟ, ପାଣି, ଜଳ, ଜଙ୍ଗଲର ସଦୁପୋଯୋଗ ହୋଇପାରି ନ ଥିଲା। ଏହି କାରଣରୁ ରାଜ୍ୟର ପ୍ରକୃତ ସାମର୍ଥ୍ୟର ସୁଫଳ ଏହାର ଜନସାଧାରଣ ପାଇ ପାରି ନ ଥିଲେ। କିନ୍ତୁ, ଗତ ଦୁଇ ବର୍ଷରେ ପ୍ରଧାନମନ୍ତ୍ରୀଙ୍କ ମାର୍ଗ ଦର୍ଶନରେ ଓଡିଶାରେ ଏକ ପ୍ରକାର ଦ୍ଵିତୀୟ ଶିଳ୍ପ ବିପ୍ଲବ ଚାଲିଛି। ମାତ୍ର ଦୁଇ ବର୍ଷରେ ଓଡିଶା ପାଇଁ ୨୨ ଲକ୍ଷ କୋଟି ଟଙ୍କାରୁ ବି ଅଧିକ ନିବେଶ ସମ୍ଭାବନା ସୃଷ୍ଟି ହୋଇଛି ଯାହା ମଧ୍ୟରୁ ତିନି ଲକ୍ଷ କୋଟି ଟଙ୍କାରୁ ବି ଅଧିକ ବ୍ୟୟରେ ୧୫୪ ଗୋଟି ଶିଳ୍ପର ଉଦ୍ଘାଟନ କିମ୍ବା ଗ୍ରାଉଣ୍ଡ ବ୍ରେକିଙ୍ଗ କରାଯାଇଛି। ଆଗାମୀ ଦିନରେ ରାଜ୍ୟରେ ଅତି କମରେ ୧୭ ଲକ୍ଷ ନୂଆ ରୋଜଗାର ସୃଷ୍ଟି ହେବାକୁ ଯାଉଛି। ଏହା ସମ୍ଭବ ହୋଇଥିଲା ମୋଦୀ ଜୀଙ୍କର ଗୋଟିଏ ଆହ୍ଵାନ, ‘ଓଡିଶାରେ ନିବେଶ ପାଇଁ ୟେହି ସମୟ ହୈ, ସହି ସମୟ ହୈ’।
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ବିକାଶ ଦୃଷ୍ଟିକୋଣର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୈଶିଷ୍ଟ୍ୟ ହେଉଛି ଯେ ଏହା ବିକାଶ ଏବଂ ମର୍ଯ୍ୟାଦାକୁ ପରସ୍ପରଠାରୁ ପୃଥକ ବୋଲି ବିବେଚନା କରେ ନାହିଁ। ତାଙ୍କ ମତରେ ଦେଶର ବିକାଶର ଫଳ ସମାଜର ଶେଷ ପାହୁଚରେ ଥିବା ବ୍ୟକ୍ତି ପାଖରେ ପହଞ୍ଚି ପାରିବ।
ତେଣୁ, ପ୍ରଧାନମନ୍ତ୍ରୀ ସବୁବେଳେ ଚାରି ବର୍ଗ ବିଶେଷ ଭାବେ ‘ମହିଳା, ଗରିବ, ଅନ୍ନଦାତା ଓ ଯୁବା’ଙ୍କ ଉପରେ ଗୁରୁତ୍ଵ ଦେଇ ଆସିଛନ୍ତି। ପୂର୍ବ ବ୍ୟବସ୍ଥା ଅନୁସାରେ ଏମାନେ କେବଳ ଲାଭାର୍ଥୀ ଭାବେ ପରିଗଣିତ ହେଉଥିଲେ, କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ନୂତନ ଶାସନ ପଦ୍ଧତିରେ ତାଙ୍କୁ ‘ବିକାଶ ଯାତ୍ରାରେ ଅଂଶୀଦାର’ ଭାବେ ଗୁରୁତ୍ଵ ଦିଏ। ଏହି ଚିନ୍ତନର ପ୍ରତିଛବି ହେଉଛନ୍ତି ଦେଶର ପ୍ରଥମ ନାଗରିକ ମାନନୀୟ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ମହୋଦୟା ଯିଏ କି ସାଧାରଣ ଜନଜାତି ପଡ଼ିବାରୁ ଯାତ୍ରା ଆରମ୍ଭ କରି ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦ ଅଳଙ୍କୃତ କରି ପଡ଼ିଛନ୍ତି।
ଏକ ଆଦିବାସୀ ପରିବାରରେ ଜନ୍ମିତ ହୋଇ ବ୍ୟକ୍ତିଗତ ଭାବରେ ଏହି ଭାବନାକୁ ହୃଦୟଙ୍ଗମ କରେ। କେନ୍ଦୂଝରର ଏକ ଅଖ୍ୟାତ ପଲ୍ଲୀରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ପଦ ପର୍ଯ୍ୟନ୍ତ ମୋର ଯାତ୍ରା ପ୍ରମାଣ କରେ ଯେ ଲୋକତନ୍ତ୍ରରେ ସର୍ବୋତ୍ତମ ସମ୍ଭାବନା ସୁଯୋଗ ସୃଷ୍ଟି କରିପାରେ। ନୂତନ ଭାରତ ଏହି ବାର୍ତ୍ତା ପ୍ରଦାନ କରେ ଯେ ‘ଜନ୍ମ’ ଜଣେ ବ୍ୟକ୍ତିକୁ ସୀମିତ କରେ ନାହିଁ। କଠିନ ପରିଶ୍ରମ, ସେବା, ସଚ୍ଚୋଟତା ଏବଂ ସୁଯୋଗ ସେମାନଙ୍କୁ ଅଧିକ ଦାୟିତ୍ୱରେ ପହଞ୍ଚାଇପାରେ।