ଦେବଗଡ଼, ୧୭/୦୯: ଯୁବକଙ୍କୁ ହତ୍ୟା ପରେ ପେଟ୍ରୋଲ ଢାଳି ଜାଳିଦେଲେ। ଦେବଗଡ଼ ଜିଲ୍ଲା ରିଆମାଳ ଅଞ୍ଚଳରେ ଘଟିଛି ଏଭଳି ନିର୍ମମ ହତ୍ୟାକାଣ୍ଡ। ପ୍ରେମିକା ଘର ବାରଣ୍ଡାରେ ପ୍ରେମିକକୁ ନିର୍ମମ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ଯୁବକ ବାବରାକୋଟ ଗାଁର ସିଲୁ ରାଏ।
ମିଳିଥିବା ସୂଚନା ମୁତାବକ, ରିଆମାଳ ଗାଁର ଜଣେ ଯୁବତୀ ସିଲୁ ରାଏଙ୍କ ସହ ଫେରାର ହୋଇଯାଇଥିଲେ। ହେଲେ, ଗତ କିଛି ଦିନ ପୂର୍ବରୁ ଯୁବକ ନିର୍ଯାତନା ଦେଉଥିବା ଅଭିଯୋଗ କରି ଘରକୁ ଫେରି ଆସିଥିଲେ ଯୁବତୀ ଜଣକ। ହେଲେ, ନିୟମିତ ମଦପିଇ ତାଙ୍କ ଘରକୁ ଯାଇ ଉତ୍ପାତ କରୁଥିଲେ ସିଲୁ। କାଲି ରାତିରେ ମଧ୍ୟ ଯୁବକ ତାଙ୍କ ଘରେ ପଶି ପାଟିତୁଣ୍ଡ କରିବାରୁ ଏଥିରେ ଉତକ୍ଷିପ୍ତ ହୋଇ ଯୁବତୀଙ୍କ ପରିବାର ଲୋକେ ତାଙ୍କୁ ପିଟିପିଟି ହତ୍ୟା କରିବା ପରେ ଏଭଳି ନିର୍ମମ ଭାବେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ଏହି ଘଟଣାରେ ଯୁବତୀଙ୍କ ସମେତ ୩ ଜଣଙ୍କୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ପୋଲିସ୍।