ରାୟଗଡ଼ା, ୧୭/୦୯ (ଦକ୍ଷ ବାଥ୍ରା): ନିଜ ସ୍ତ୍ରୀଙ୍କୁ ଟାଙ୍ଗିଆରେ ଆକ୍ରମଣ କରି ହତ୍ୟା କରିବା ମାମଲାରେ ଅଭିଯୁକ୍ତ ସ୍ୱାମୀକୁ ଆଜୀବନ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି ରାୟଗଡ଼ା ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ଅଳ୍ପନା ସ୍ୱାଇଁ। ଏଥିସହ ଦୋଷୀଙ୍କ ଉପରେ ୨୦ ହଜାର ଟଙ୍କା ଜୋରିମାନା ଲାଗୁ ହୋଇଛି। ଜୋରିମାନା ଅର୍ଥ ପୈଠ ନ କଲେ ଅତିରିକ୍ତ ୬ ମାସ ସଶ୍ରମ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ଅଦାଲତ ରାୟ ଦେଇଛନ୍ତି।ଘଟଣାଟି ୨୦୨୪ ଫେବୃଆରୀ ୬ ତାରିଖରେ କାଶୀପୁର ଥାନା ଅଞ୍ଚଳରେ ଘଟିଥିଲା। କୌଣସି କାରଣରୁ ଉତ୍କ୍ଷିପ୍ତ ହୋଇ ଗୁରୁନାଥ ଗୌଡ଼ ତାଙ୍କ ପତ୍ନୀ ପୁଷ୍ପା ଗୌଡ଼ଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲେ। ଆକ୍ରମଣରେ ପୁଷ୍ପାଙ୍କ ମୃତ୍ୟୁ ଘଟିଥିଲା।ଘଟଣାକୁ ନେଇ କାଶୀପୁର ଥାନାରେ କେସ୍ ନଂ ୩୦/୨୪ ରୁଜୁ ହୋଇଥିଲା। ପୋଲିସ ତଦନ୍ତ କରି ଗୁରୁନାଥଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଥିଲା। ପ୍ରଥମେ କାଶୀପୁର ଜେଏମ୍ଏଫ୍ସି କୋର୍ଟରେ କେସ୍ ନଂ ୮୬/୨୪ ରୁଜୁ ହୋଇଥିବା ବେଳେ ପରେ ମାମଲାଟି ରାୟଗଡ଼ା ଏଡିଜେ କୋର୍ଟକୁ ସ୍ଥାନାନ୍ତରିତ ହୋଇଥିଲା। ସେଠାରେ ଏହା ସି.ଟି. କେସ୍ ନଂ ୩୦/୨୪ ଭାବେ ବିଚାରାଧୀନ ଥିଲା।ମାମଲାର ବିଚାର ସମୟରେ ମୋଟ ୧୪ ଜଣ ସାକ୍ଷୀଙ୍କ ବୟାନ ଓ ଅନ୍ୟାନ୍ୟ ସାକ୍ଷ୍ୟପ୍ରମାଣକୁ ଅଦାଲତ ବିଚାରକୁ ନେଇଥିଲେ। ଉପସ୍ଥାପିତ ପ୍ରମାଣ ଆଧାରରେ ଗୁରୁନାଥ ଗୌଡ଼ଙ୍କୁ ଭାରତୀୟ ପିଙ୍ଗଳ କୋଡ୍ର ଧାରା ୩୦୨ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରି ଅଦାଲତ ଆଜୀବନ ସଶ୍ରମ କାରାଦଣ୍ଡ ଓ ୨୦ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି।ଏହି ମାମଲାର ତଦନ୍ତକାରୀ ଅଧିକାରୀ ଭାବେ ପୋଲିସ ଅଧିକାରୀ ସୂର୍ଯ୍ୟ ପ୍ରକାଶ ନାୟକ ଓ ପ୍ରଶାନ୍ତ କୁମାର ସ୍ୱାଇଁ ଦାୟିତ୍ୱ ତୁଲାଇଥିଲେ। ସରକାରଙ୍କ ପକ୍ଷରୁ ଅତିରିକ୍ତ ପବ୍ଲିକ୍ ପ୍ରସିକ୍ୟୁଟର ରଜତ ରଞ୍ଜନ ଖଟୁଆ ଏବଂ ସହଯୋଗୀ ଆଇନଜୀବୀ ଏସ୍.ଏନ୍. ପ୍ରଧାନ ମାମଲା ପରିଚାଳନା କରୁଥିଲେ।