ଗଣଦୁଷ୍କର୍ମ ପରେ ଛୁରୀ ଭୁଷି ହତ୍ୟା: ଶରୀରକୁ ଖାଇଦେଲେ ବୁଲା କୁକୁର

ଶରୀରଠୁ ଦୂରରେ ମିଳିଲା ଖିନଭିନ ହାତ, ପଚା ମୃତଦେହ ଉଦ୍ଧାର

ନୂଆଦିଲ୍ଲୀ, ୧୮/୦୯: ଜଘନ୍ୟ… ଲୋମ ଟାଙ୍କୁରା… ଅତି ବିଭତ୍ସ। ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ପରେ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିବା ଘଟଣା ସାରା ଦେଶରେ ଆଲୋଡନ ସୃଷ୍ଟି କରିଛି। ଏଭଳି ଏକ ଘଟଣା ଘଟିଛି ରାଜଧାନୀ ଦିଲ୍ଲୀରେ। ଦିଲ୍ଲୀର ସ୍ୱରୂପ ନଗରର ଏକ ବିଲରେ ଜଣେ ନାବାଳିକାଙ୍କ ମୃତଦେହ ଠାବ ହେବା ପରେ ଏହି ଘଟଣା ସାମନାକୁ ଆସିଥିଲା। ଏହି ଜଘନ୍ୟ କାଣ୍ଡରେ ସାମିଲ ଥିବା ୪ ଜଣଙ୍କୁ ଅଟକ ରଖାଯାଇ ପଚରାଉଚରା କରୁଛି ପୋଲିସ। ୪ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଜଣ ନାବାଳକ ଓ ଜଣେ ସାବାଳକ। ଯିଏ କି ସୁଦାମା ବୋଲି ଚିହ୍ନଟ କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଗତ ୧୩ ତାରିଖରେ ସ୍ୱରୂପ ନଗରର କୁଶକ ରୋଡରେ ଏକ ବିଲରେ ଏକ ଗଳିତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକେ ଏ ସମ୍ପର୍କରେ ପୋଲିସକୁ ଖବର ଦେବା ପରେ ପୋଲିସ ଓ ଫୋରେନ୍ସିକ ଟିମ୍ ପହଞ୍ଚି ମୃତଦେହ ଜବତ କରିବା ସହ ଛାନଭିନ ଆରମ୍ଭ କରିଥିଲେ। କିନ୍ତୁ ମୃତଦେହଟି ଏତେ ନଷ୍ଟ ହୋଇଯାଇଥିଲା ଯେ, ମୃତଦେହଟି ପୁଅ କି ଝିଅ ତାହା ସ୍ପଷ୍ଟ କରିବା ସହଜ ହୋଇନଥିଲା ଏବଂ ପରିଚୟ ମିଳିପାରିନଥିଲା। ଶେଷରେ ପୋଲିସ ତଦନ୍ତରୁ ଜାଣିବାକୁ ପାଇଥିଲା ଯେ, ମୃତ ନାବାଳିକାଙ୍କ ସହ ଅଭିଯୁକ୍ତମାନଙ୍କ ଚିହ୍ନାଜଣା ଥିଲେ। ଅଭିଯୁକ୍ତମାନଙ୍କ ସହ ନାବାଳିକା ଜଣକ ଅଟୋରେ ଯିବା ସମୟରେ ସେମାନେ ଏକାଠି ବସି ପ୍ରଥମେ ମଦ୍ୟପାନ କରିଥିଲେ। ଏହା ପରେ ଅଭିଯୁକ୍ତ ମାନେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ। ଏ ନେଇ ନାବାଳିକା ଜଣକ ପୋଲିସକୁ ଖବର ଦେବେ ବୋଲି କହିବାରୁ ଅଭିଯୁକ୍ତମାନେ ତାଙ୍କୁ ଛୁରୀ ଭୁଷି ହତ୍ୟା କରିଥିଲେ। ୮ ଥର ଛୁରୀ ଭୁଷି ହତ୍ୟା କରିବା ପରେ ମୃତଦେହକୁ ଫିଙ୍ଗି ଦେଇଥିଲେ।

ପୋଲିସ କହିଛି ଯେ, ମୃତଦେହ ସମ୍ପୂର୍ଣ୍ଣ ପଚି ଯାଇଥିଲା। କିଛି ବୁଲା କୁକୁର ବି ଶରୀରକୁ ଅତ୍ୟନ୍ତ ଖିନଭିନ କରି ଖାଇ ଦେଇଛନ୍ତି। ଶରୀରଠୁ ଅଲଗା କିଛି ଦୂରରେ ନାବାଳିକାଙ୍କ ହାତ ମିଳିଛି। କିନ୍ତୁ ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ, ନାବାଳିକାଙ୍କ ଘର ଲୋକ ଏ ସମ୍ପର୍କରେ ପୋଲିସକୁ ଝିଅର ନିଖୋଜ ଖବର ନେଇ ରିପୋର୍ଟ କରିନାହାନ୍ତି। ବରଂ କହିଛନ୍ତି, ଝିଅ ଏମିତି କେତେବେଳେ କେମିତି ବାହାରକୁ ଯାଏ, ଏବଂ କିଛି ଦିନ ପରେ ଘରକୁ ଫେରି ଆସେ।

ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ଅଟୋକୁ ଚିହ୍ନଟ କରିବା ପାଇଁ ପୋଲିସ ୫୦ରୁ ଅଧିକ ସିସିଟିଭି ଯାଞ୍ଚ କରିଥିଲା। ପରେ ଖାଡା କଲୋନୀରୁ ଅଟୋକୁ ଜବତ କରାଯାଇଥିଲା। ଅଟୋ ନମ୍ବରକୁ ଟ୍ରେସ କରି ଚାଳକଙ୍କ ନିକଟରେ ପହଞ୍ଚିଥିଲା ପୋଲିସ। ଏହା ପରେ ଅଟୋ ଚାଳକଙ୍କ ବୟାନ ଅନୁସାରେ ପୋଲିସ ସବୁ ଅଭିଯୁକ୍ତମାନଙ୍କୁ ଧରିବାରେ ସଫଳ ହୋଇଥିଲା। ପୋଲିସ ଦୁଇଟି ଛୁରୀ ଜବତ କରିବା ସହ ରକ୍ତ ଭିଜା ପୋଷାକ ଜବତ କରିଛି‌। ସବୁ ଅଭିଯୁକ୍ତମାନଙ୍କୁ ଅଟକ ରଖି ଅଧିକ ପଚରାଉଚରା କରାଯିବା ସହ ତଦନ୍ତ ଜାରି ରହିଛି।