ଭୁବନେଶ୍ୱର, ୧୮/୦୯: ଝାଡ଼ଖଣ୍ଡ ସମବାୟ ବ୍ୟାଙ୍କରୁ ହୋଇଥିବା ୩୨ କୋଟି ଟଙ୍କାର ଋଣ ଘୋଟାଲା ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ବଡ଼ ରେଡ୍ କରାଯାଇଛି। ଆର୍ଥିକ ହେରଫେର ଓ କାଗଜପତ୍ର ଜାଲିଆତିର ତଦନ୍ତ ପାଇଁ ଇଡି ଝାଡ଼ଖଣ୍ଡ ଏବଂ ଓଡ଼ିଶାର ମୋଟ ୭ଟି ସ୍ଥାନରେ ଏକାସାଙ୍ଗରେ ଚଢ଼ାଉ ଜାରି ରଖିଛି। ଝାଡ଼ଖଣ୍ଡର ୫ଟି ଏବଂ ଓଡ଼ିଶାର ୨ଟି ଭିନ୍ନ ଭିନ୍ନ ସ୍ଥାନରେ ଇଡି ଟିମ୍ ସର୍ଚ୍ଚ ଅପରେସନ୍ ଚଲାଉଛନ୍ତି। ଜଣେ ପ୍ରମୁଖ ଖଣି ବ୍ୟବସାୟୀ ଏବଂସଞ୍ଜୟ ଡାଲମିଆ ଓ ତାଙ୍କର ନିକଟତର ସହଯୋଗୀମାନଙ୍କ ଘର ଓ କାର୍ଯ୍ୟାଳୟ ଉପରେ ଏହି ରେଡ୍ କରାଯାଉଛି।
ନକଲି କାଗଜପତ୍ର ବ୍ୟବହାର କରି ବ୍ୟାଙ୍କରୁ ବେଆଇନ ଭାବେ ୩୨ କୋଟି ଟଙ୍କାର ଋଣ ନିଆଯାଇଥିବା ଅଭିଯୋଗ ହୋଇଛି।ଖଣି ବ୍ୟବସାୟୀ ଓ ତାଙ୍କ ସହଯୋଗୀମାନେ ବ୍ୟାଙ୍କ ଅଧିକାରୀଙ୍କ ସହ ମିଶି ଜାଲିଆତି ମାଧ୍ୟମରେ ୩୨ କୋଟି ଟଙ୍କା ଋଣ ଆକାରରେ ହଡ଼ପ କରିଥିବା ସନ୍ଦେହ କରାଯାଉଛି।
ତେବେ ବ୍ୟାଙ୍କରୁ ନିଆଯାଇଥିବା ଏହି ଅର୍ଥକୁ କେଉଁ କେଉଁ ସ୍ଥାନରେ ନିବେଶ କରାଯାଇଛି ଏବଂ ଆର୍ଥିକ ହେରଫେର କିପରି ହୋଇଛି, ସେ ନେଇ ବ୍ୟାଙ୍କ ଆକାଉଣ୍ଟ ଓ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଯାଞ୍ଚ କରାଯାଉଛି।