ପୌର ନିର୍ବାଚନ ନେଇ ୱାର୍ଡ ସୀମା ନିର୍ଦ୍ଧାରଣ ପାଇଁ ସଂଶୋଧିତ ସମୟସୂଚୀ ଜାରି

ଅକ୍ଟୋବର ୩୧ ସୁଦ୍ଧା ପ୍ରକାଶ ପାଇବ ଚୂଡ଼ାନ୍ତ ବିଜ୍ଞପ୍ତି

ଭୁବନେଶ୍ୱର, ୧୮/୦୯: ରାଜ୍ୟରେ ଆଗାମୀ ପୌର ନିର୍ବାଚନକୁ ସୁଚାରୁରୂପେ ସମ୍ପାଦନ କରିବା ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ପୌରସଂସ୍ଥା ଓ ବିଜ୍ଞାପିତ ଅଞ୍ଚଳ ପରିଷଦଗୁଡ଼ିକର ୱାର୍ଡ ସୀମା ନିର୍ଦ୍ଧାରଣ ଏବଂ ଆସନ ସଂରକ୍ଷଣ ପାଇଁ ଏକ ନୂତନ ଓ ସଂଶୋଧିତ କାର୍ଯ୍ୟସୂଚୀ ଜାରି କରାଯାଇଛି।

ସେପ୍ଟେମ୍ବର ୨୪ ସୁଦ୍ଧା ରାଜ୍ୟର ବିଭିନ୍ନ ପୌରସଂସ୍ଥା ଓ ଏନଏସିଗୁଡ଼ିକରେ ୱାର୍ଡଗୁଡ଼ିକର ସୀମା ନିର୍ଦ୍ଧାରଣ ଏବଂ ସଂରକ୍ଷଣ ସମ୍ପର୍କିତ ଡ୍ରାଫ୍ଟ ବିଜ୍ଞପ୍ତି ଜାରି କରାଯିବ।

ଡ୍ରାଫ୍ଟ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଅକ୍ଟୋବର ୩ ଶେଷ ତାରିଖ ସୁଦ୍ଧା ଏହା ଉପରେ ଜନସାଧାରଣ ନିଜର ଦାବି, ଆପତ୍ତି ବା ପରାମର୍ଶ ଦାଖଲ କରିପାରିବେ। ଅକ୍ଟୋବର ୭ ସୁଦ୍ଧା ଜନସାଧାରଣଙ୍କଠାରୁ ମିଳିଥିବା ଆପତ୍ତିଗୁଡ଼ିକର ପ୍ରାରମ୍ଭିକ ଯାଞ୍ଚ ଓ ସମୀକ୍ଷା ପରେ ପ୍ରୋଭିଜନାଲ୍‌ ବିଜ୍ଞପ୍ତି ପ୍ରକାଶ ପାଇବ।

ଯଦି କୌଣସି ନାଗରିକ ବା ପ୍ରତିନିଧି ଏହି ପ୍ରୋଭିଜନାଲ୍‌ ବିଜ୍ଞପ୍ତିରେ ଅସନ୍ତୁଷ୍ଟ ରହନ୍ତି, ତେବେ ସେମାନେ ଅକ୍ଟୋବର ୭ ରୁ ୨୧ ମଧ୍ୟରେ ନଗର ଉନ୍ନୟନ ବିଭାଗ ନିକଟରେ ଆବେଦନ କରିପାରିବେ।

ଅକ୍ଟୋବର ୨୬ ରୁ ୨୮ ମଧ୍ୟରେ ଦାଖଲ ହୋଇଥିବା ଅପିଲ୍‌ଗୁଡ଼ିକର ଶୁଣାଣି କରାଯାଇ ସରକାରୀ ସ୍ତରରେ ନିଷ୍ପତ୍ତି ଗ୍ରହଣ କରାଯିବ। ଅପିଲ୍‌ ପ୍ରକ୍ରିୟା ଶେଷ ହେବା ପରେ ଅକ୍ଟୋବର ୩୧ ସୁଦ୍ଧା ୱାର୍ଡ ସୀମା ନିର୍ଦ୍ଧାରଣ ଓ ଆସନ ସଂରକ୍ଷଣର ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶ ପାଇବ।

ସରକାରଙ୍କ ଏହି ସଂଶୋଧିତ ନିଷ୍ପତ୍ତି ଅନୁଯାୟୀ ଅକ୍ଟୋବର ୩୧ ସୁଦ୍ଧା ସମସ୍ତ ଆଇନଗତ ଓ ପ୍ରଶାସନିକ ପ୍ରକ୍ରିୟା ଶେଷ ହେବ, ଯାହା ପରେ ରାଜ୍ୟ ନିର୍ବାଚନ କମିଶନ ପୌର ନିର୍ବାଚନ ପାଇଁ ପରବର୍ତ୍ତୀ ପ୍ରକ୍ରିୟାକୁ ଆଗେଇ ନେବେ।