ଆତ୍ମଘାତୀ ବିସ୍ଫୋରଣ: ୧୬ ମୃତ

୨୫ରୁ ଅଧିକ ଲୋକ ଗୁରୁତର

ଖାଇବର ପଖତୁନ୍‌ଖ୍ୱା, ୧୮/୦୯: ପାକିସ୍ତାନର ଖାଇବର ପଖତୁନ୍‌ଖ୍ୱା ପ୍ରଦେଶରେ ଆତ୍ମଘାତୀ ବିସ୍ଫୋରଣ ଘଟି ୧୬ ଜଣଙ୍କ ମୃତ୍ୟୁ ହୋଇଛି।‌ ନମାଜ ପାଠ ସମୟରେ ମସଜିଦ୍ ନିକଟରେ ଏହି ଆକ୍ରମଣ କରାଯାଇଛି। ବିସ୍ଫୋରଣରେ ୧୫ ଜଣଙ୍କର ପ୍ରାଣହାନୀ ଘଟିଛି। ୨୫ରୁ ଅଧିକ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି।

ଶୁକ୍ରବାର ଦିନ ମସଜିଦରେ ଅନେକ ଶ୍ରଦ୍ଧାଳୁ ନମାଜ ପଢ଼ିବା ପାଇଁ ଏକତ୍ରିତ ହୋଇଥିବା ସମୟରେ ଜଣେ ଆତ୍ମଘାତୀ ବିସ୍ଫୋରକ ନିଜକୁ ବିସ୍ଫୋରଣରେ ନିଜକୁ ଉଡ଼ାଇ ଦେଇଥିଲା। ବିସ୍ଫୋରଣର ତୀବ୍ରତା ଏତେ ଅଧିକ ଥିଲା ଯେ ଘଟଣାସ୍ଥଳରେ ହିଁ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିଲା।

ସୂଚନା ପାଇବା ମାତ୍ରକେ ସ୍ଥାନୀୟ ପୁଲିସ, ସୁରକ୍ଷାକର୍ମୀ ଓ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଗୁରୁତର ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି। ସୁରକ୍ଷା କର୍ମୀମାନେ ପୂରା ଅଞ୍ଚଳକୁ ସିଲ୍ କରି ତଦନ୍ତ ଜାରି ରଖିଛନ୍ତି।