ଝରଣାର ପ୍ରଖର ସ୍ରୋତରେ ଭାସିଗଲା ପୂରା ପରିବାର, ବିମାନରେ ଆସିବ ୭ ଓଡ଼ିଆଙ୍କ ମରଶରୀର
ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ, ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା
ଭୁବନେଶ୍ୱର, ୧୯/୦୯: ମଧ୍ୟପ୍ରଦେଶରେ ଘଟିଯାଇଛି ଏକ ଅତ୍ୟନ୍ତ ହୃଦୟବିଦାରକ ଅଘଟଣ। ଏକ କାର୍ ଝରଣାର ପ୍ରବଳ ସ୍ରୋତରେ ଭାସିଯିବା ଫଳରେ ୮ ଜଣଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରୁ ୭ ଜଣ ଓଡ଼ିଆ ଓ ଡ଼୍ରାଇଭର ଜଣକ ଅଣ ଓଡ଼ିଆ। ମୃତ ୭ ଜଣ ଓଡ଼ିଆ ପର୍ଯ୍ୟଟକ ଭୁବନେଶ୍ୱର ଜୟଦେବ ବିହାର ଅଞ୍ଚଳର ବୋଲି ସୂଚନା ମିଳିଛି। ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ପୁଅ, ଝିଅ, ଜ୍ୱାଇଁ, ଦୁଇ ନାତି, ନାତୁଣୀ ଓ ଆଉ ଜଣେ ଅବିବାହିତ ଝିଅ ପ୍ରାଣ ହରାଇଛନ୍ତି। ମୃତକ ହେଉଛନ୍ତି ପୁଅ ଶିବ ପ୍ରସାଦ ବେହେରା, ଝିଅ ରାଧା ରାଣୀ ବେହେରା, ରୀତା ରାଣୀ ବେହେରା, ଜ୍ଵାଇଁ ଜ୍ଞାନେନ୍ଦ୍ର ବେହେରା, ନାତି କ୍ରିଷ୍ଣା ଓ ବି. ସାଇ ସ୍ୱସ୍ତିକ, ନାତୁଣୀ ସାହିରା ସ୍ୱୟଂପ୍ରଭା ଏବଂ ଡ୍ରାଇଭର ଅରୁଣ। ଆସନ୍ତା କିଛି ଦିନ ମଧ୍ୟରେ ରାନୀଙ୍କର ରିଙ୍ଗ୍ ସେରିମନି (ନିର୍ବନ୍ଧ) ହୋଇଥାନ୍ତା, ମାତ୍ର ଏହା ପୂର୍ବରୁ ଏହି ଦୁଃଖଦ ଦୁର୍ଘଟଣା ସାରା ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।
ମିଳିଥିବା ସୂଚନା ଅନୁଯାୟୀ, ପରିବାର ସଦସ୍ୟ ଓ ବନ୍ଧୁବାନ୍ଧବ ମିଶି ବାହାରକୁ ବୁଲିବାକୁ ଯାଇଥିଲେ। ଉଜ୍ଜୟିନୀରୁ ମହାନଗର ବଗଳାମୁଖି ମନ୍ଦିର ଦର୍ଶନ ପାଇଁ ସେମାନେ କାର୍ ଯୋଗେ ବାହାରିଥିଲେ। ଅଗର ମାଲୱା ଜିଲ୍ଲାର ନଲଖେଡ଼ା ସ୍ଥିତ ଏକ ଝରଣାରେ ବଢ଼ିପାଣି ଆସିଥିବା ସତ୍ତ୍ୱେ, ଡ୍ରାଇଭରଙ୍କ ଦୁଃସାହସିକ ଭାବେ ପାଣି ପାର୍ ହେବାର ପ୍ରୟାସ ଯୋଗୁଁ ଗାଡ଼ିଟି ପ୍ରବଳ ସ୍ରୋତରେ ଭାସି ଯାଇଥିଲା।
ମଧ୍ୟପ୍ରଦେଶରୁ ୭ ଜଣ ଓଡ଼ିଆଙ୍କ ମରଶରୀର ବିମାନ ଯୋଗେ ଓଡ଼ିଶା ଅଣାଯିବ। ଏହି ବାବଦରେ ସମସ୍ତ ବିମାନ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ରାଜ୍ୟ ସରକାରଙ୍କ ପ୍ରତିନିଧି ମୃତକଙ୍କ ଜୟଦେବ ବିହାରସ୍ଥିତ ବାସଭବନରେ ପହଞ୍ଚି ପରିବାର ସଦସ୍ୟଙ୍କୁ ଏହି ସୂଚନା ଦେଇଛନ୍ତି।
ଏହି ଦୁଃଖଦ ଘଟଣାରେ ମୁଖ୍ୟମନ୍ତ୍ରୀ ଗଭୀର ଦୁଃଖ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ମଧ୍ୟପ୍ରଦେଶର ସ୍ଥାନୀୟ ପ୍ରଶାସନ ସହ ନିରନ୍ତର ସମନ୍ୱୟ ରକ୍ଷା କରିବାକୁ ସେ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ, ମୃତକଙ୍କ ପାର୍ଥିବ ଶରୀରକୁ ସସମ୍ମାନେ ଓଡ଼ିଶା ଫେରାଇ ଆଣିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି।
ଅନ୍ୟପଟେ, ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ଏହି ଅଘଟଣରେ ଗଭୀର ଦୁଃଖପ୍ରକାଶ କରିବା ସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ଏବଂ ଅମର ଆତ୍ମାର ସଦଗତି କାମନା କରିଛନ୍ତି।
ସେହିପରି ଦୁର୍ଘଟଣାକୁ ନେଇ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ମୃତକଙ୍କ ପରିବାରକୁ ଗଭୀର ସମବେଦନା ଜଣାଇବା ସହ ମୃତକଙ୍କ ପରିବାର ବର୍ଗଙ୍କ ପାଇଁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି। ଯଥାସମ୍ଭବ ସହାୟତା ପାଇଁ ଅଧିକାରୀଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।