ଜଳବାୟୁ ସମ୍ମିଳନୀର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି

ପରିବେଶ ଓ ଜଳବାୟୁ ଗତିଶୀଳତାର ଭବିଷ୍ୟତକୁ ନେଇ ଗୁରୁତ୍ୱ ପ୍ରକାଶ

ନୂଆଦିଲ୍ଲୀ, ୧୯/୦୯: ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଶନିବାର ଆରମ୍ଭ ହୋଇଛି ଦୁଇଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀ ‘ଦ ଫ୍ୟୁଚର ଅଫ୍ ଏନଭାଇରନମେଣ୍ଟ ଆଣ୍ଡ କ୍ଲାଇମେଟ୍ ଡାଇନାମିକ୍ସ’। ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ୍‌ (ଏନଜିଟି) ପକ୍ଷରୁ ଆୟୋଜିତ ଏହି ସମ୍ମିଳନୀକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ଉଦବୋଧନରେ ପରିବେଶ ସୁରକ୍ଷା, ଜଳବାୟୁ ପରିବର୍ତ୍ତନର ମୁକାବିଲା ଏବଂ ସ୍ୱଚ୍ଛ ଶକ୍ତି କ୍ଷେତ୍ରରେ ଭାରତର ପଦକ୍ଷେପ ଉପରେ ଗୁରୁତ୍ୱ ଦେଇଛନ୍ତି।

ଏହି ଅନ୍ତର୍ଜାତୀୟ ସମ୍ମିଳନୀରେ ୧୭ଟି ଦେଶର ବିଚାରପତି ଓ ନ୍ୟାୟିକ ପ୍ରତିନିଧିଙ୍କ ସମେତ ପରିବେଶ ବିଶେଷଜ୍ଞ, ସୁପ୍ରିମକୋର୍ଟ ଓ ହାଇକୋର୍ଟର ବିଚାରପତି, ବିଭିନ୍ନ ମନ୍ତ୍ରଣାଳୟର ସଚିବ, ବରିଷ୍ଠ ସରକାରୀ ଅଧିକାରୀ ଓ ପରିବେଶ ସମ୍ପର୍କିତ ବିଭିନ୍ନ ସଂସ୍ଥାର ପ୍ରତିନିଧିମାନେ ସାମିଲ ହୋଇଛନ୍ତି। ପରିବେଶ ଓ ଜଳବାୟୁ ସମସ୍ୟାର ମୁକାବିଲା ପାଇଁ ନୀତି, ବିଜ୍ଞାନ, ନ୍ୟାୟିକ ଦୃଷ୍ଟିକୋଣ ଏବଂ ପରିବେଶ ଶାସନର ଅଭିଜ୍ଞତା ଆଦାନପ୍ରଦାନ ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ।

ଉଦବୋଧନରେ ପ୍ରଧାନମନ୍ତ୍ରୀ ମୋଦି ଭାରତର ଅକ୍ଷୟ ଶକ୍ତି କ୍ଷେତ୍ରର ଅଗ୍ରଗତିକୁ ଉଲ୍ଲେଖ କରିଛନ୍ତି। ଗତ ପ୍ରାୟ ୧୨ ବର୍ଷ ମଧ୍ୟରେ ଦେଶର ସୌର ଶକ୍ତି କ୍ଷମତା ପ୍ରାୟ ୨ ଗିଗାୱାଟ୍‌ରୁ ୧୬୦ ଗିଗାୱାଟ୍‌ରୁ ଅଧିକ ସ୍ତରକୁ ବଢ଼ିଥିବା କହିଛନ୍ତି। ନବୀକରଣୀୟ ଶକ୍ତିକୁ ବଢ଼ାଇବା ସହିତ ଦେଶର ଶକ୍ତି ଆବଶ୍ୟକତା ଓ ପରିବେଶ ସୁରକ୍ଷା ମଧ୍ୟରେ ସମନ୍ୱୟ ରଖିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ନିକଟର ସରକାରୀ ତଥ୍ୟ ଅନୁସାରେ, ଅଗଷ୍ଟ ୨୦୨୬ ସୁଦ୍ଧା ଭାରତର ସୌର କ୍ଷମତା ୧୬୮ ଗିଗାୱାଟ୍‌ରେ ପହଞ୍ଚିଛି।

ପ୍ରଧାନମନ୍ତ୍ରୀ ‘ପିଏମ୍ ସୂର୍ଯ୍ୟ ଘର: ମାଗଣା ବିଜଲି ଯୋଜନା’ ଉପଲବ୍ଧିକୁ ସମ୍ପର୍କରେ ମଧ୍ୟ ଉଦବୋଧନ ରେ କହିଛନ୍ତି। ଏହି ଯୋଜନା ମାଧ୍ୟମରେ ଦେଶର ୫୦ ଲକ୍ଷରୁ ଅଧିକ ଘରେ ରୁଫ୍‌ଟପ୍ ସୋଲାର ସିଷ୍ଟମ୍ ଲାଗିସାରିଛି। ସରକାରୀ ତଥ୍ୟ ଅନୁସାରେ, ଅଗଷ୍ଟ ୪, ୨୦୨୬ ସୁଦ୍ଧା ୫୦.୦୬ ଲକ୍ଷରୁ ଅଧିକ ପରିବାର ଏହି ଯୋଜନାରୁ ଲାଭ ପାଇଛନ୍ତି।

ଏହି ଯୋଜନାର ଲକ୍ଷ୍ୟ ହେଉଛି ଘରର ଛାତ ଉପରେ ସୌର ପ୍ୟାନେଲ୍ ଲଗାଇ ଘରୋଇ ବିଦ୍ୟୁତ୍ ଆବଶ୍ୟକତାର ଏକ ଅଂଶ ସୌର ଶକ୍ତିରୁ ପୂରଣ କରିବା। ଏହା ଫଳରେ ବିଦ୍ୟୁତ୍ ବିଲ୍ କମିବା ସହିତ ଅତିରିକ୍ତ ବିଦ୍ୟୁତ୍ ଗ୍ରିଡ୍‌କୁ ଦେଇ ଆୟ କରିବାର ସୁଯୋଗ ମଧ୍ୟ ରହିଛି। ଯୋଜନା ପାଇଁ କେନ୍ଦ୍ର ସରକାର ୭୫,୦୨୧ କୋଟି ଟଙ୍କାର ଆର୍ଥିକ ବ୍ୟବସ୍ଥା କରିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ କହିଛନ୍ତି, ସୌର ଶକ୍ତିର ବ୍ୟାପକ ବ୍ୟବହାର ଫଳରେ ବହୁ ପରିମାଣରେ କାର୍ବନ ନିର୍ଗମନକୁ ରୋକାଯାଇପାରିଛି। ଭାରତର ସ୍ୱଚ୍ଛ ଶକ୍ତି ରୂପାନ୍ତରଣରେ ଘର, କୃଷି ଏବଂ ଶିଳ୍ପ କ୍ଷେତ୍ରକୁ ସାମିଲ କରାଯାଉଛି।

କୃଷି କ୍ଷେତ୍ରରେ ସୌର ଶକ୍ତିର ବ୍ୟବହାର ବଢ଼ାଇବା ପାଇଁ ପିଏମ୍-କୁସୁମ୍ ଯୋଜନା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଏହାର ଉଦ୍ଦେଶ୍ୟ କୃଷି କ୍ଷେତ୍ରରେ ଡିଜେଲ୍ ନିର୍ଭରତା କମାଇବା ଏବଂ ସୌର ପମ୍ପ ମାଧ୍ୟମରେ ଜଳସେଚନ ସୁବିଧା ବଢ଼ାଇବା। ଅଗଷ୍ଟ ୩୧, ୨୦୨୬ ସୁଦ୍ଧା ପିଏମ୍-କୁସୁମ୍ ଅଧୀନରେ ୭,୩୮,୯୧୭ଟି ସ୍ୱତନ୍ତ୍ର ସୌର ପମ୍ପ ସ୍ଥାପିତ ହୋଇଛି।

କେବଳ ସୌର ଶକ୍ତି ନୁହେଁ, ପବନ ଶକ୍ତି କ୍ଷେତ୍ରରେ ମଧ୍ୟ ଭାରତ ନିଜ କ୍ଷମତା ବଢ଼ାଇଛି। ଅକ୍ଷୟ ଶକ୍ତିର ବିଭିନ୍ନ ଉତ୍ସକୁ ଏକାଠି କରି ଦେଶର ସ୍ୱଚ୍ଛ ଶକ୍ତି ଭିତ୍ତିକୁ ଆହୁରି ମଜବୁତ କରାଯାଉଛି।

ଭାରତ ପ୍ରାଚୀନ ପରିବେଶ ଚିନ୍ତାଧାରାକୁ ଆଧୁନିକ ବିଜ୍ଞାନ ସହ ଯୋଡ଼ି ଆଗକୁ ବଢ଼ୁଛି। ପ୍ରକୃତି ସହ ସନ୍ତୁଳନ ରଖି ବିକାଶର ମାର୍ଗ ଆପଣାଇବା ହିଁ ଦୀର୍ଘମିଆଦୀ ଜଳବାୟୁ ସମାଧାନର ଏକ ମୁଖ୍ୟ ଦିଗ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।