ଗଣ ଗୁଳିକାଣ୍ଡ: ୨୭ ଜଣଙ୍କ ମୃତ୍ୟୁ

ନରସଂହାର ପରେ ବି ଅପରାଧୀଙ୍କ ଟେର୍ ପାଇନି ପୋଲିସ

ଜୋହାନ୍ସବର୍ଗ/କେପଟାଉନ୍‌, ୨୭/୦୯: ଦକ୍ଷିଣ ଆଫ୍ରିକାରେ ଗଣହିଂସା ଓ ଗୁଳିକାଣ୍ଡରେ ଗଲାଣି ୨୭ ଜୀବନ। ଶନିବାର ରାତିରୁ ରବିବାର ସକାଳ ମଧ୍ୟରେ ଜୋହାନ୍ସବର୍ଗ ଓ କେପଟାଉନ୍‌ ନିକଟରେ ଘଟିଥିବା ଦୁଇଟି ପୃଥକ ଗୁଳିକାଣ୍ଡରେ ଅତି କମରେ ୨୭ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୬ ଜଣ ଆହତ ହୋଇଛନ୍ତି। ଉଭୟ ଘଟଣାରେ ଏପର୍ଯ୍ୟନ୍ତ କୌଣସି ଗିରଫ ହୋଇନାହିଁ। ଆକ୍ରମଣର ପ୍ରକୃତ କାରଣ ମଧ୍ୟ ସ୍ପଷ୍ଟ ହୋଇନାହିଁ।

ପ୍ରଥମ ଘଟଣା ଶନିବାର ରାତି ପ୍ରାୟ ୯ଟା ୩୦ ମିନିଟ୍‌ରେ ଜୋହାନ୍ସବର୍ଗଠାରୁ ପ୍ରାୟ ୮୦ କିଲୋମିଟର ଦୂରରେ ଥିବା ୱେଡେଲା ଟାଉନସିପ୍‌ର ଏକ ବାର୍‌ରେ ଘଟିଥିଲା। ପୁଲିସର କହିବା ଅନୁସାରେ, ଏକାଧିକ ଆକ୍ରମଣକାରୀ ସେଠାରେ ପହଞ୍ଚି ଲୋକଙ୍କ ଉପରେ ଗୁଳି ଚଳାଇଥିଲେ। ପ୍ରଥମେ ବାହାରେ ଥିବା ଲୋକଙ୍କୁ ଟାର୍ଗେଟ କରିବା ପରେ ସେମାନେ ବାର୍‌ ଭିତରକୁ ପଶି ଗୁଳି ଚଳାଇଥିବା ପୁଲିସ କହିଛି।

ଏହି ଘଟଣାରେ ୧୩ ଜଣ ପୁରୁଷ ଓ ୪ ଜଣ ମହିଳାଙ୍କ ସମେତ ୧୭ ଜଣଙ୍କ ମୃତ୍ୟୁ ହୋଇଛି। ଆଉ ୧୫ ଜଣ ଗୁଳିମାଡ଼ରେ ଆହତ ହୋଇଛନ୍ତି। ପୁଲିସ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରି ଅଭିଯୁକ୍ତଙ୍କୁ ଧରିବାକୁ ବ୍ୟାପକ ଖୋଜାଖୋଜି ଚଳାଇଛି।

ପୁଲିସର କହିବାନୁସାରେ, ଆକ୍ରମଣକାରୀମାନେ ଘଟଣାସ୍ଥଳରୁ ଚାଲିଯିବା ପୂର୍ବରୁ କିଛି ଲୋକଙ୍କୁ ଯାଞ୍ଚ କରି ସେମାନଙ୍କ ମୋବାଇଲ ଫୋନ୍‌ ନେଇଯାଇଥିଲେ। ପରେ ଦୁଇଟି ଗାଡ଼ିରେ ଘଟଣାସ୍ଥଳରୁ ପଳାଇଥିଲେ। ନିକଟରେ ଦୁଇଟି ଜଳିଯାଇଥିବା ଗାଡ଼ି ମିଳିଥିଲେ ମଧ୍ୟ ସେଗୁଡ଼ିକର ଏହି ଘଟଣା ସହ ସମ୍ପର୍କ ଅଛି କି ନାହିଁ, ତାହା ସ୍ପଷ୍ଟ କରିନାହିଁ।

ପ୍ରଥମ ଘଟଣାର ପ୍ରାୟ ଚାରି ଘଣ୍ଟା ପରେ କେପଟାଉନ୍‌ ଉପକଣ୍ଠର ଲାଣ୍ଡୱେଲ୍‌ ଟାଉନସିପ୍‌ରେ ଆଉ ଏକ ଗୁଳିକାଣ୍ଡ ଘଟିଥିଲା। ରବିବାର ବିଳମ୍ବିତ ରାତି ପ୍ରାୟ ୧ଟା ୪୬ ମିନିଟ୍‌ରେ ଆକ୍ରମଣ ହୋଇଥିଲା। ଏଥିରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୧ ଜଣ ଆହତ ହୋଇଛନ୍ତି।

ପୁଲିସ କହିଛି, ଘଟଣାରେ ଏକାଧିକ ସନ୍ଦିଗ୍ଧ ସାମିଲ ଥିବା ଆଶଙ୍କା କରାଯାଉଛି। ତେବେ କେତେ ଜଣ ଆକ୍ରମଣକାରୀ ଥିଲେ, ତାହା ଏପର୍ଯ୍ୟନ୍ତ ପୁଲିସ ସ୍ପଷ୍ଟ କରିନାହିଁ। ମୃତକଙ୍କ ମଧ୍ୟରୁ କିଛି ଘଟଣାସ୍ଥଳରେ ପ୍ରାଣ ହରାଇଥିବାବେଳେ ଅନ୍ୟମାନେ ଆହତ ଅବସ୍ଥାରେ ହସ୍ପିଟାଲ ନିଆଯିବା ପରେ ପ୍ରାଣ ହରାଇଥିଲେ।

ଏହି ଦୁଇଟି ଘଟଣାର କିଛି ଦିନ ପୂର୍ବରୁ ଦକ୍ଷିଣ ଆଫ୍ରିକାର ଡର୍ବାନ୍‌ ନିକଟସ୍ଥ କ୍ୱାମାଖୁଥା ଟାଉନସିପ୍‌ରେ ଏକ ଘରୋଇ ପାର୍ଟିରେ ଗୁଳିକାଣ୍ଡ ଘଟିଥିଲା। ସେଠାରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିଲା। ଯାହା ମାତ୍ର କିଛି ଦିନ ମଧ୍ୟରେ ଦେଶର ବିଭିନ୍ନ ଟାଉନସିପ୍‌ରେ ଘଟିଥିବା ଏହି ଗୁଳିକାଣ୍ଡଗୁଡ଼ିକ ଦକ୍ଷିଣ ଆଫ୍ରିକାରେ ବେଆଇନ ଅସ୍ତ୍ର, ଅପରାଧୀ ଗ୍ୟାଙ୍ଗ୍‌ ଓ ସଂଗଠିତ ଅପରାଧକୁ ନେଇ ପୁଣିଥରେ ଚିନ୍ତା ବଢ଼ିଛି।