ଅର୍ଥମନ୍ତ୍ରୀଙ୍କୁ ହତ୍ୟା ଧମକ

ଘର ଛାଡ଼ି ମିଲିଟାରୀ ବେସକୁ ସ୍ଥାନାନ୍ତର

ୱାଶିଂଟନ ଡିସି, ୧୧/୧୧: ଆମେରିକା ଓ ଇରାନ ମଧ୍ୟରେ ଜାରି ରହିଥିବା ଉତ୍ତେଜନା ଏବେ ଆମେରିକାର ଶୀର୍ଷ ସରକାରୀ ଅଧିକାରୀଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢ଼ାଇଛି। ଇରାନ ପକ୍ଷରୁ ହତ୍ୟା ଧମକ ମିଳିଥିବା ଆଶଙ୍କା ପରେ ଆମେରିକାର ଅର୍ଥମନ୍ତ୍ରୀ ସ୍କଟ୍ ବେସେଣ୍ଟ ନିଜ ବାସଭବନ ଛାଡ଼ି ଏକ ସାମରିକ ଘାଟିକୁ ସ୍ଥାନାନ୍ତର ହୋଇଛନ୍ତି। ନ୍ୟୁୟର୍କ ଟାଇମ୍ସର ଏକ ରିପୋର୍ଟକୁ ଆଧାର କରି ରଏଟର୍ସ ଏହି ଖବର ପ୍ରକାଶ କରିଛି।

ରିପୋର୍ଟ ଅନୁସାରେ, ଇରାନଠାରୁ ହତ୍ୟା ଧମକ ମିଳିବା ପରେ ସୁରକ୍ଷା ଦୃଷ୍ଟିରୁ ସ୍କଟ୍ ବେସେଣ୍ଟଙ୍କୁ ସାମରିକ ଘାଟିକୁ ସ୍ଥାନାନ୍ତର କରାଯାଇଛି। କେବଳ ବେସେଣ୍ଟ ନୁହନ୍ତି, ଅନ୍ୟ ଆମେରିକୀୟ ଅଧିକାରୀ ଓ ନାଗରିକଙ୍କ ସୁରକ୍ଷାକୁ ନେଇ ମଧ୍ୟ ଆମେରିକାର ଗୁଇନ୍ଦା ବିଭାଗ ଚିନ୍ତା ପ୍ରକଟ କରିଛି। ଗତ ଅକ୍ଟୋବରରେ ଆମେରିକାର ଜାତୀୟ ଗୁଇନ୍ଦା ନିର୍ଦ୍ଦେଶକ ଜୟ କ୍ଲେଟନ୍ ଏକ ମେମୋ ଜରିଆରେ ସତର୍କ କରାଇଥିଲେ ଯେ, ଆମେରିକୀୟ କର୍ମଚାରୀଙ୍କୁ ଟାର୍ଗେଟ୍ କରିବା ପାଇଁ ଇରାନର ପ୍ରୟାସ ବଢ଼ିଛି।

ଏପରିକି ମଧ୍ୟପ୍ରାଚ୍ୟ ସମେତ ଅନ୍ୟ କେତେକ ଦେଶରେ ଆମେରିକୀୟ ନାଗରିକଙ୍କ ବିରୋଧରେ ହିଂସାତ୍ମକ ଷଡ଼ଯନ୍ତ୍ର ଅଧିକ ଗମ୍ଭୀର ପର୍ଯ୍ୟାୟରେ ପହଞ୍ଚିଥିବା ଗୁଇନ୍ଦା ସୂଚନା ମିଳିଥିବା ମେମୋରେ ଉଲ୍ଲେଖ ଥିଲା। ଏହାପରେ ମଧ୍ୟପ୍ରାଚ୍ୟରେ ଥିବା ଆମେରିକୀୟ ଦୂତାବାସଗୁଡ଼ିକର ସୁରକ୍ଷା ବ୍ୟବସ୍ଥା ଓ କର୍ମଚାରୀଙ୍କ ଉପସ୍ଥିତିକୁ ନେଇ ସମୀକ୍ଷା ଆରମ୍ଭ ହୋଇଛି।

ସ୍କଟ୍ ବେସେଣ୍ଟ ହେଉଛନ୍ତି ଡୋନାଲ୍ଡ ଟ୍ରମ୍ପ ପ୍ରଶାସନର ଆର୍ଥିକ ନୀତିର ଜଣେ ପ୍ରମୁଖ ଚେହେରା। ଇରାନ ଉପରେ ଆମେରିକାର ଆର୍ଥିକ ଚାପ ବଢ଼ାଇବା ଅଭିଯାନରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛନ୍ତି। ଇରାନର ତୈଳ ରପ୍ତାନି, ବ୍ୟାଙ୍କିଂ ବ୍ୟବସ୍ଥା, ବାଣିଜ୍ୟିକ ନେଟୱର୍କ ଏବଂ ଆର୍ଥିକ ଆୟର ଉତ୍ସ ଉପରେ କଟକଣା ଲଗାଇବାରେ ତାଙ୍କ ଭୂମିକା ର‌ହିଛି। ତେଣୁ ସେ ଇରାନର ଟାର୍ଗେଟର ଥିବା ଆମେରିକାର ଗୁଇନ୍ଦା ସୂତ୍ରରୁ ଜଣାପଡ଼ିଛି।