ନୂଆଦିଲ୍ଲୀ, ୧୧/୧୧: ଉତ୍ତରପ୍ରଦେଶର ବାଗପତ ଜିଲ୍ଲାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ଜଣେ ଯବାନଙ୍କୁ ଗୁଳିମାଡ଼ ହୋଇଛି। ଦୀପାବଳି ରାତିରେ ବାଣ ଫୁଟାଇବାକୁ ନେଇ ପଡ଼ୋଶୀଙ୍କ ସହ ବଚସାରୁ ଏହି ଘଟଣା ଘଟିଛି। ଗୁଳିଟି ଯବାନଙ୍କ ମୁଣ୍ଡରେ ବାଜିଥିବା ବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ମିରଟର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଆହତ ଯବାନ ହେଉଛନ୍ତି ୨୬ ବର୍ଷୀୟ ସୌରଭ ତୋମାର। ସେ ୨୦୨୧ରେ ଭାରତୀୟ ସେନାରେ ଯୋଗ ଦେଇଥିଲେ। ବର୍ତ୍ତମାନ ସେ ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତିଙ୍କ ବଡିଗାର୍ଡ ଭାବେ ନିୟୋଜିତ ଅଛନ୍ତି। ଦୀପାବଳି ପାଳନ ପାଇଁ ସେ ଛୁଟିରେ ନିଜ ଗାଁ ବାଗପତ ଜିଲ୍ଲାର ଗୋପାଳପୁର ଖଡ଼ାନାକୁ ଆସିଥିଲେ।
ପୁଲିସର ସୂଚନା ଅନୁସାରେ, ନଭେମ୍ବର ୮ ତାରିଖ ଦୀପାବଳି ରାତିରେ ସୌରଭ ନିଜ ଭାଇ ବିନୀତ ଓ ମିଣ୍ଟୁଙ୍କ ସହ ଘର ବାହାରେ ବାଣ ଫୁଟାଉଥିଲେ। ଏହି ସମୟରେ ଗାଁର ଦୁଇ ଜଣ ବ୍ୟକ୍ତି ଧୀରଜ ଓ ତାଙ୍କ ଭାଇ ମୋନୁ ଓରଫ ପ୍ରବୀଣ ଏହାକୁ ବିରୋଧ କରିଥିଲେ। ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ପ୍ରଥମେ ଯୁକ୍ତିତର୍କ ଏବଂ ପରେ ଉତ୍ତେଜନା ସୃଷ୍ଟି ହୋଇଥିଲା।
ଅଭିଯୋଗ ଅନୁସାରେ, ଧୀରଜ ଏକ ଦେଶୀ ବନ୍ଧୁକରୁ ଗୁଳି ଚଳାଇଥିଲେ। ଗୁଳିଟି ପ୍ରଥମେ ଏକ କାନ୍ଥରେ ବାଜିବା ପରେ ସୌରଭଙ୍କ ମୁଣ୍ଡରେ ଆଘାତ କରିଥିଲା। ଏଥିରେ ସେ ଗୁରୁତର ହୋଇପଡ଼ିଥିଲେ। ଅନ୍ୟପଟେ ମୋନୁ ସୌରଭଙ୍କ ଭାଇ ବିନୀତଙ୍କୁ ଠେଙ୍ଗାରେ ଆକ୍ରମଣ କରିଥିବା ମଧ୍ୟ ଅଭିଯୋଗ ହୋଇଛି।
ଗୁଳିମାଡ଼ ପରେ ପରିବାର ଲୋକେ ସୌରଭଙ୍କୁ ପ୍ରଥମେ ବାରୌତସ୍ଥିତ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ପରେ ତାଙ୍କୁ ମିରଟର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଡାକ୍ତରମାନେ ଅସ୍ତ୍ରୋପଚାର କରି ମୁଣ୍ଡରୁ ଗୁଳିକୁ ବାହାର କରିଛନ୍ତି। କିନ୍ତୁ ତାଙ୍କ ଅବସ୍ଥା ଗୁରୁତର ରହିଛି। ତେବେ ଏହି ଘଟଣାରେ ଯବାନଙ୍କ ବାପା ଉଭୟ ଅଭିଯୁକ୍ତଙ୍କ ବିରୋଧରେ ଏକ ଏଫଆଇଆର ରୁଜୁ କରିବା ପରେ ସେମାନଙ୍କୁ ଧରିବା ପାଇଁ ବ୍ୟାପକ ତଲାସୀ ଆରମ୍ଭ ହୋଇଛି। ଗୁଳିମାଡ଼ ପରେ ସେମାନେ ଫେରାର ଥିବା ସୂଚନା ମିଳିଛି।