ଭୁବନେଶ୍ୱର, ୨୮/୦୯: ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଖଣିଜ ପରିବହନ କରିଡରରେ ରେଳ ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବାକୁ ବଡ଼ ପଦକ୍ଷେପ ନେଇଛି ଭାରତୀୟ ରେଳବାଇ। ଦକ୍ଷିଣ ପୂର୍ବ ରେଳବାଇ ଅଧୀନରେ ଥିବା ବଡ଼ବିଲ–ବଲାଣିଖାଦାନ ୬ କିଲୋମିଟର ରେଳପଥର ଦୋହରୀକରଣ ପ୍ରକଳ୍ପକୁ ୧୨୨ କୋଟି ଟଙ୍କା ବ୍ୟୟରେ ମଞ୍ଜୁରୀ ମିଳିଛି। ଏହି ଦୋହରୀକରଣ ଦ୍ୱାରା ଲୁହାପଥର ପରିବହନ କ୍ଷମତା ବଢ଼ିବା ସହ ମାଲବାହୀ ଟ୍ରେନ୍ ଚଳାଚଳରେ ବିଳମ୍ବ ମଧ୍ୟ କମିବ ବୋଲି ଆଶା କରାଯାଉଛି।
ଭାରତୀୟ ରେଳବାଇର ‘ଏନର୍ଜି, ମିନେରାଲ ଆଣ୍ଡ ସିମେଣ୍ଟ କରିଡର’ ଅଧୀନରେ ଏହି ରେଳପଥକୁ ଚିହ୍ନଟ କରାଯାଇଛି। ବର୍ତ୍ତମାନ ବଡ଼ବିଲ–ବଲାଣିଖାଦାନ ମଧ୍ୟରେ ଏକକ ରେଳ ଲାଇନ୍ ରହିଛି। ଏହି ରୁଟ୍ରେ ପ୍ରାୟ ୯ ମିଲିୟନ ଟନ୍ ପ୍ରତିବର୍ଷ (MTPA) ମାଲ ପରିବହନ ହେଉଛି। ପ୍ରତିଦିନ ପ୍ରାୟ ୬ଟି ଲୋଡେଡ୍ ରେକ୍ ମାଧ୍ୟମରେ ଲୁହାପଥର ପରିବହନ କରାଯାଉଛି।
ଏହି ରୁଟ୍ ଦେଇ ମୁଖ୍ୟତଃ ସେଲ୍ ର ବଲାଣି ଖଣି ଏବଂ ଘରୋଇ ସାଇଡିଂଗୁଡ଼ିକରୁ ଉଚ୍ଚମାନର ଲୁହାପଥର ଓ ପେଲେଟ୍ ଦେଶର ବିଭିନ୍ନ ଇସ୍ପାତ କାରଖାନା ଓ ବନ୍ଦରକୁ ପଠାଯାଉଛି। ରୁଙ୍ଗଟା ଓ ଖାଟାଉ ନରଭେରାମ୍ ଭଳି ଘରୋଇ ସାଇଡିଂଗୁଡ଼ିକ ମଧ୍ୟ ଏହି ରେଳପଥ ବ୍ୟବହାର କରୁଛନ୍ତି।
ପ୍ରକଳ୍ପଟି କାର୍ଯ୍ୟକାରୀ ହେବା ପରେ ଏହି ୬ କିଲୋମିଟର ରୁଟ୍ରେ ଅତିରିକ୍ତ ୮.୯ ଏମଟିପିଏ ମାଲ ପରିବହନ କରିବାର କ୍ଷମତା ସୃଷ୍ଟି ହେବ। ଫଳରେ ଲୁହାପଥର ଓ ଅନ୍ୟାନ୍ୟ ଖଣିଜ ପରିବହନ ପାଇଁ ରେଳ ନେଟୱର୍କ ଉପରେ ଥିବା ଚାପ କମିବା ସହ ମାଲବାହୀ ଟ୍ରେନ୍ ଚଳାଚଳ ଅଧିକ ସୁଗମ ହେବ।
ବିଶେଷକରି ସେଲ୍ ର ଖଣି ସମ୍ପ୍ରସାରଣ ସହ ଆଗାମୀ ଦିନରେ ବନ୍ଦର ଓ ଇସ୍ପାତ କାରଖାନାଗୁଡ଼ିକର କ୍ଷମତା ବୃଦ୍ଧି ହେବାକୁ ଥିବାରୁ ଲୁହାପଥର ପରିବହନ ଚାହିଦା ବଢ଼ିବ। ଏହାକୁ ଦୃଷ୍ଟିରେ ରଖି ଆଗୁଆ ଭାବେ ଏହି ରେଳପଥର ଦୋହରୀକରଣ କରାଯାଉଛି। ଏହା ଦ୍ୱାରା ଭବିଷ୍ୟତରେ ରେଳପଥର କ୍ଷମତା ଅଭାବଜନିତ ସମସ୍ୟାକୁ ଏଡ଼ାଇବାରେ ସହାୟତା ମିଳିବ।
ଦୋହରୀକରଣ ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ଲୁହାପଥର ଖଣି ଅଞ୍ଚଳରୁ ଇସ୍ପାତ କାରଖାନା ଓ ବନ୍ଦରଗୁଡ଼ିକୁ ଖଣିଜ ପରିବହନ ଅଧିକ ଦ୍ରୁତ ଓ ସୁଗମ ହେବ। ଏହା ସହିତ ଅଞ୍ଚଳରେ ଖଣି, ଶିଳ୍ପ ଓ ବନ୍ଦର ସମ୍ପର୍କିତ କାର୍ଯ୍ୟକଳାପ ବଢ଼ିବା ସହ ରେଳ ମାଲ ପରିବହନ କ୍ଷମତାକୁ ମଧ୍ୟ ମଜବୁତ କରିବ। ଏହି ପ୍ରକଳ୍ପ ଓଡ଼ିଶାର ଖଣିଜ ସମ୍ପଦ ଆଧାରିତ ଶିଳ୍ପ ଓ ମାଲ ପରିବହନ ବ୍ୟବସ୍ଥା ପାଇଁ ମଧ୍ୟ ଗୁରୁତ୍ୱ ବହନ କରୁଛି।