ପାଠ୍ୟପୁସ୍ତକ ତ୍ରୁଟି ମାମଲାରେ ପିଏମଓର ହସ୍ତକ୍ଷେପ, ରାଜ୍ୟକୁ ଜବାବ ତଲବ

ଗଣଶିକ୍ଷା ବିଭାଗକୁ ବହି ତ୍ରୁଟି ପ୍ରସଙ୍ଗରେ ସବିଶେଷ ତଥ୍ୟ ଦେବାକୁ ଚିଠି

ଭୁବନେଶ୍ୱର, ୨୯/୦୯: ଓଡ଼ିଶାରେ ନୂଆ ପାଠ୍ୟପୁସ୍ତକରେ ତ୍ରୁଟି ପରିଲକ୍ଷିତ ହେବା ଘଟଣାରେ ହସ୍ତକ୍ଷେପ କରିଛି ପିଏମଓ। ପାଠ୍ୟପୁସ୍ତକ ମୁଦ୍ରଣ ଓ ବଣ୍ଟନକୁ ନେଇ ହୋଇଥିବା ଅଭିଯୋଗ ଉପରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ହସ୍ତକ୍ଷେପ କରିଛି। କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରଣାଳୟର ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ଓଡ଼ିଶାର ଗଣଶିକ୍ଷା ବିଭାଗକୁ ଏହି ପ୍ରସଙ୍ଗରେ ଜବାବ ମାଗିଛି।

୨୦୨୬-୨୭ ଶିକ୍ଷାବର୍ଷ ପାଇଁ ପ୍ରଥମରୁ ଅଷ୍ଟମ ଶ୍ରେଣୀର ନୂଆ ପାଠ୍ୟପୁସ୍ତକରେ ଅନେକ ତଥ୍ୟଗତ, ବ୍ୟାକରଣ, ମୁଦ୍ରଣ ଓ ବନାନ ତ୍ରୁଟି ଚିହ୍ନଟ ହୋଇଥିଲା। ବିଧାନସଭାରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଦ୍ୱାରା ଦିଆ ଯାଇଥିବା ତଥ୍ୟ ଅନୁସାରେ, ଏହି ସଂଖ୍ୟା ୧,୭୪୧ଟି ତ୍ରୁଟି ଥିଲା।

ତ୍ରୁଟିଗୁଡ଼ିକ ମଧ୍ୟରେ ବିଷୟବସ୍ତୁ ସମ୍ପର୍କିତ ଭୁଲ୍‌ଠାରୁ ଆରମ୍ଭ କରି ଫଟୋ, ସ୍ଥାନ ଓ ଐତିହାସିକ ତଥ୍ୟରେ ଭୁଲ୍‌ ରହିଥିବା ଜଣାପଡ଼ିଛି। ଏହି ତ୍ରୁଟି ସଂଶୋଧନ ପାଇଁ ସ୍କୁଲଗୁଡ଼ିକୁ ସଂଶୋଧିତ ପୁସ୍ତକ ବଣ୍ଟନ ପ୍ରକ୍ରିୟା ମଧ୍ୟ ଚାଲିଛି।

ପାଠ୍ୟପୁସ୍ତକ ପ୍ରସ୍ତୁତି ପ୍ରକ୍ରିୟା ନେଇ ରାଜ୍ୟ ସରକାର ଗଠନ କରିଥିବା ତିନିଜଣିଆ ଉଚ୍ଚସ୍ତରୀୟ କମିଟି ମଧ୍ୟ ଯାଞ୍ଚ କରିଥିଲା। କମିଟି ରିପୋର୍ଟରେ ପୁସ୍ତକ ପ୍ରସ୍ତୁତି ଓ ସମୀକ୍ଷା ପ୍ରକ୍ରିୟାରେ ନିରୀକ୍ଷଣ ଏବଂ ରିଭ୍ୟୁ ସମ୍ପର୍କିତ ତ୍ରୁଟି ଥିବା କଥା ଉଲ୍ଲେଖ ହୋଇଛି।

ସରକାରୀ ତଥ୍ୟ ଅନୁସାରେ, ନୂଆ ପାଠ୍ୟପୁସ୍ତକ ମୁଦ୍ରଣ ପାଇଁ ପ୍ରାୟ ୧୭୫ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ତ୍ରୁଟି ଚିହ୍ନଟ ପରେ ପୂର୍ବତନ ନିର୍ଦ୍ଦେଶକ ଓ ତିନିଜଣ ସହକାରୀ ନିର୍ଦ୍ଦେଶକଙ୍କୁ ସସ୍‌ପେଣ୍ଡ କରାଯାଇଥିବା ସହ ଅନ୍ୟ ଛଅଜଣ ଏସସିଇଆରଟି ସହକାରୀ ନିର୍ଦ୍ଦେଶକଙ୍କ ବିରୋଧରେ ବିଭାଗୀୟ ପଦକ୍ଷେପ ଆରମ୍ଭ ହୋଇଛି। ଏହି ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ।