ଗାଡ଼ି ଭାଙ୍ଗିବା ସହ ଅବକାରୀ ଟିମ୍ କୁ ମାଡ଼ ମାରି ଲହୁଲୁହାଣ କଲେ ମଦ ମାଫିଆ

ମହିଳା କର୍ମଚାରୀଙ୍କ ମୁଣ୍ଡ ଫାଟିଲା, ୫ ଅଟକ

ସୁନ୍ଦରଗଡ଼, ୨୯/୦୯: ଚୋରା ମଦ କାରବାର ବିରୋଧରେ ଚଢ଼ାଉ କରିବାକୁ ଯାଇ ମଦ ମାଫିଆଙ୍କ ଆକ୍ରମଣର ଶିକାର ହୋଇଛି ଅବକାରୀ ବିଭାଗର ଟିମ୍। ସୁନ୍ଦରଗଡ଼ ଜିଲ୍ଲା ଧୁରୁଆଡିହି ଥାନା ଅଧୀନ ଅଲଙ୍ଗପାଣି ଗାଁରେ ଏହି ଘଟଣା ଘଟିଛି। ଚଢ଼ାଉ ସମୟରେ ଅବକାରୀ କର୍ମଚାରୀଙ୍କୁ ଆକ୍ରମଣ କରିବା ସହ ସରକାରୀ ଗାଡ଼ି ଭଙ୍ଗାରୁଜା କରାଯାଇଥିବା ଅଭିଯୋଗ ହୋଇଛି।

ସୂଚନା ଅନୁସାରେ, ଅଲଙ୍ଗପାଣି ଗାଁରେ ଦୀର୍ଘଦିନ ଧରି ଦେଶୀ ଓ ବିଦେଶୀ ମଦର ଚୋରା କାରବାର ଚାଲିଥିବା ନେଇ ଅବକାରୀ ବିଭାଗ ନିକଟରେ ଅଭିଯୋଗ ରହିଥିଲା। ଏହି ସୂଚନା ଆଧାରରେ ଅବକାରୀ ଟିମ୍‌ ଗାଁରେ ଚଢ଼ାଉ କରିବା ସମୟରେ କିଛି ଲୋକ ଏହାକୁ ବିରୋଧ କରିଥିଲେ।

ପରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବା ସହ ଅବକାରୀ କର୍ମଚାରୀଙ୍କ ଉପରେ ଆକ୍ରମଣ କରି ଲହୁଲୁହାଣ କରିଥିଲେ ମଦ ମାଫିଆ। ଆକ୍ରମଣକାରୀମାନେ ଅବକାରୀ ବିଭାଗର ଗାଡ଼ିକୁ ଭାଙ୍ଗିବା ସହ କର୍ମଚାରୀଙ୍କୁ ମାଡ଼ ମାରିଥିଲେ। ଏଥିରେ ଜଣେ ମହିଳା ଅବକାରୀ କର୍ମଚାରୀଙ୍କ ମୁଣ୍ଡ ଫାଟିଥିବା ବେଳେ ଆଉ ଜଣେ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି।

ଘଟଣା ପରେ ଅବକାରୀ ବିଭାଗ ପକ୍ଷରୁ ପୋଲିସକୁ ଖବର ଦିଆଯାଇଥିଲା। ଖବର ପାଇ ଧୁରୁଆଡିହି ପୋଲିସ ଘଟଣାସ୍ଥଳରେ ପହଞ୍ଚି ୫ ଅଭିଯୁକ୍ତଙ୍କୁ ଅଟକ ରଖିଛି। ଅନ୍ୟ ଫେରାର ଅଭିଯୁକ୍ତଙ୍କୁ ଖୋଜାଖୋଜି ଜାରି ରହିଛି।