ରାୟଗଡା, ୩୦/୦୯(ଦକ୍ଷ ବାଥ୍ରା): ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ ରେଳ କଲୋନୀସ୍ଥିତ ହନୁମାନ ମନ୍ଦିର ନିକଟରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟି ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ଜଣକ ହେଲେ ମୁନିଗୁଡ଼ା ଥାନା ଅନ୍ତର୍ଗତ ଇଚ୍ଛାପୁର ଗ୍ରାମର ପ୍ରଶାନ୍ତ କୁସୁଳିଆ (୩୮)।
ଘଟଣାରୁ ପ୍ରକାଶ ଯେ, ଗତକାଲି ସନ୍ଧ୍ୟା ପ୍ରାୟ ୬ଟା ସମୟରେ ପ୍ରଶାନ୍ତ ତାଙ୍କ ସମ୍ପର୍କୀୟ ଜାକି ବାଗଙ୍କ ସହ ଏକ ହୋଣ୍ଡା ସାଇନ୍ ମୋଟରସାଇକେଲ୍ (ଚେସିସ୍ ନଂ: ME4HC152GPG066056) ଯୋଗେ ଅମ୍ବାଦଳାରୁ ବଡ଼ କୁମୁଡାବାଲି ଅଭିମୁଖେ ଫେରୁଥିଲେ। ଏହି ସମୟରେ ଅମ୍ବାଦଳା ରେଳ କଲୋନୀସ୍ଥିତ ହନୁମାନ ମନ୍ଦିର ନିକଟରେ ବିପରୀତ ଦିଗରୁ ଦ୍ରୁତ ଓ ବେପରୁଆ ଭାବେ ଆସୁଥିବା ଏକ ଅଜଣା ମୋଟରସାଇକେଲ ସେମାନଙ୍କ ଗାଡ଼ିକୁ ସମ୍ମୁଖରୁ ଶକ୍ତ ଧକ୍କା ଦେଇ ଫେରାର ହୋଇଯାଇଥିଲା।
ଧକ୍କା ଏତେ ଜୋରଦାର ଥିଲା ଯେ ଉଭୟ ରାସ୍ତା ଉପରକୁ ଛିଟିକି ପଡ଼ି ରକ୍ତାକ୍ତ ଅବସ୍ଥାରେ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ତୁରନ୍ତ ଉଭୟଙ୍କୁ ଉଦ୍ଧାର କରି ଅମ୍ବାଦଳା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଡାକ୍ତର ତାଙ୍କୁ ମୁନିଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରିଥିଲେ। ହେଲେ ମୁନିଗୁଡ଼ା ଡାକ୍ତରଖାନା ନେବା ବାଟରେ ପ୍ରଶାନ୍ତଙ୍କ ମୃତ୍ୟୁ ଘଟିଥିବା ଡାକ୍ତର ଘୋଷଣା କରିଥିଲେ। ଅନ୍ୟପଟେ ଗୁରୁତର ଆହତ ଜାକି ବାଗଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ଭବାନୀପାଟଣା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।
ଏ ନେଇ ମୃତକଙ୍କ ସାନଭାଇ ରାମବାବୁ କୁସୁଳିଆ ଅମ୍ବାଦଳା ଥାନାରେ ଏକ ଲିଖିତ ଏତଲା ଦାଏର କରିଛନ୍ତି। ଅମ୍ବାଦଳା ପୋଲିସ ଏତଲାକୁ ଭିତ୍ତି କରି ଘଟଣାର ତଦନ୍ତ ଆରମ୍ଭ କରିବା ସହ ଦୁର୍ଘଟଣା ଘଟାଇ ଫେରାର ହୋଇଯାଇଥିବା ଅଜଣା ଗାଡ଼ି ଚାଳକକୁ ଖୋଜୁଥିବା ଜଣାପଡ଼ିଛି।