ଦୀର୍ଘ ୬ ବର୍ଷ ପରେ ଖୋଲିଲା ଗୁଣ୍ଡିଚା ମନ୍ଦିର

ଶ୍ରଦ୍ଧାଳୁଙ୍କ ସହ ପ୍ରବେଶ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ, ୩୦/୦୯: ଦୀର୍ଘ ୬ ବର୍ଷର ଅପେକ୍ଷାର ଅନ୍ତ। ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଲା ପୁରୀର ଶ୍ରୀଗୁଣ୍ଡିଚା ମନ୍ଦିର। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜନ୍ମବେଦୀ ଭାବେ ପରିଚିତ ଏହି ମନ୍ଦିର ଦୀର୍ଘଦିନ ଧରି ସାଧାରଣ ଭକ୍ତଙ୍କ ପାଇଁ ବନ୍ଦ ରହିଥିଲା। ଆଜି ପୂଜାର୍ଚ୍ଚନା ଓ ଆବଶ୍ୟକ ନୀତିକାନ୍ତି ସମ୍ପନ୍ନ ହେବା ପରେ ସକାଳ ପ୍ରାୟ ୭ଟା ୪୫ ମିନିଟ୍‌ରେ ମନ୍ଦିରର ଦ୍ୱାର ସର୍ବସାଧାରଣଙ୍କ ପାଇଁ ଖୋଲାଯାଇଛି।

ମନ୍ଦିର ଖୋଲିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ଶ୍ରଦ୍ଧାଳୁମାନେ ଗୁଣ୍ଡିଚା ମନ୍ଦିର ପରିସରକୁ ପ୍ରବେଶ କରି ଦର୍ଶନ କରିଥିଲେ। ଦୀର୍ଘ ସମୟ ପରେ ଗୁଣ୍ଡିଚା ମନ୍ଦିର ଖୋଲିଥିବାରୁ ଭକ୍ତମାନଙ୍କ ମଧ୍ୟରେ ଉତ୍ସାହ ଓ ଆନନ୍ଦ ପ୍ରକାଶ ପାଇଛି।

କରୋନା ମହାମାରୀ ସମୟରୁ, ଅର୍ଥାତ୍ ୨୦୨୦ ମସିହାରୁ ଗୁଣ୍ଡିଚା ମନ୍ଦିର ସାଧାରଣ ଦର୍ଶନ ପାଇଁ ବନ୍ଦ ରହିଥିଲା। ଏହି ସମୟ ମଧ୍ୟରେ ମନ୍ଦିରରେ ବିଭିନ୍ନ ଧାର୍ମିକ ନୀତିକାନ୍ତି ଓ ରଥଯାତ୍ରା ସମ୍ପର୍କିତ ପରମ୍ପରା ଜାରି ରହିଥିଲେ ମଧ୍ୟ ସାଧାରଣ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ କଟକଣା ରହିଥିଲା।

ମନ୍ଦିର ଖୋଲିବା ପରେ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରବେଶ ଶୁଳ୍କ ସମ୍ପର୍କରେ ମଧ୍ୟ ବ୍ୟବସ୍ଥା କରାଯାଇଛି। ପ୍ରଥମ ୩ ଦିନ ଭକ୍ତମାନଙ୍କ ପାଇଁ ମାଗଣା ପ୍ରବେଶର ବ୍ୟବସ୍ଥା ରହିବ। ଏହାପରେ ଗୁଣ୍ଡିଚା ମନ୍ଦିରକୁ ପ୍ରବେଶ ପାଇଁ ଶ୍ରଦ୍ଧାଳୁଙ୍କୁ ୧୦ ଟଙ୍କା ଶୁଳ୍କ ଦେବାକୁ ପଡ଼ିବ।

ବରିଷ୍ଠ ନାଗରିକ, ଛୋଟ ଶିଶୁ ଓ ଦିବ୍ୟାଙ୍ଗଙ୍କ ପାଇଁ ରହିଛି ମାଗଣା ଦର୍ଶନ ବ୍ୟବସ୍ଥା। ଭକ୍ତଙ୍କ ସୁବିଧା ପାଇଁ ଜୋତା ଓ ମୋବାଇଲ୍ ରଖିବାର ନିଶୁଳ୍କ ବ୍ୟବସ୍ଥା ସହ ଦିବ୍ୟାଙ୍ଗଙ୍କ ପାଇଁ କରାଯାଇଛି ରାମ୍ପ ବ୍ୟବସ୍ଥା। ସୁରକ୍ଷା ଦୃଷ୍ଟିରୁ ମନ୍ଦିର ପରିସରରେ ସିସିଟିଭି ଲଗାଯାଇଛି।