ଯେତେବେଳେ କୌଣସି ଦେଶର ସାଂସ୍କୃତିକ, ସାମାଜିକ କିମ୍ବା ରାଷ୍ଟ୍ରୀୟ ପରିଚୟ ଆଇନ ଓ ନ୍ୟାୟପାଳିକାର ପରିସରକୁ ଆସେ, ସେତେବେଳେ ସମ୍ବିଧାନ, ବ୍ୟକ୍ତିଗତ ସ୍ୱାଧୀନତା ଓ ଜନଭାବନା ମଧ୍ୟରେ ସନ୍ତୁଳନର ପ୍ରଶ୍ନ ଉଠିଥାଏ । ‘ବନ୍ଦେ ମାତରମ୍’କୁ ନେଇ ବର୍ତ୍ତମାନର ଆଇନଗତ ବିତର୍କ ମଧ୍ୟ ଏହି ବଡ଼ ପ୍ରଶ୍ନ ସହ ଜଡ଼ିତ ।
ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ରଚିତ ‘ବନ୍ଦେ ମାତରମ୍?’ ଭାରତର ରାଷ୍ଟ୍ରୀୟ ଗୀତ । ସ୍ୱାଧୀନତା ସଂଗ୍ରାମରେ ଏହା ଦେଶପ୍ରେମ ଓ ଆନ୍ଦୋଳନର ଏକ ପ୍ରମୁଖ ପ୍ରତୀକ ଥିଲା । ୧୮୯୬ର କଂଗ୍ରେସ ଅଧିବେଶନରେ ରବୀନ୍ଦ୍ରନାଥ ଠାକୁର ଏହାକୁ ଗାଇଥିଲେ ଏବଂ ୧୯୦୫ର ସ୍ୱଦେଶୀ ଆନ୍ଦୋଳନରେ ଏହା ରାଷ୍ଟ୍ରୀୟ ଚେତନାର ଏକ ଶକ୍ତିଶାଳୀ ପ୍ରତୀକ ହୋଇଉଠିଥିଲା ।
୨୪ ଜାନୁଆରୀ ୧୯୫୦ର ସମ୍ବିଧାନ ସଭାର କାର୍ଯ୍ୟବାହୀରେ ‘ଜନ ଗଣ ମନ’କୁ ରାଷ୍ଟ୍ରୀୟ ସଙ୍ଗୀତ ଭାବେ ଗ୍ରହଣ କରାଯିବା ସହ ‘ବନ୍ଦେ ମାତରମ୍’କୁ ମଧ୍ୟ ସମାନ ସମ୍ମାନ ଦିଆଯିବାର କଥା ତତ୍କାଳୀନ ସଭାପତି ଡ. ରାଜେନ୍ଦ୍ର ପ୍ରସାଦ ଉଲ୍ଲେଖ କରିଥିଲେ ।
କେନ୍ଦ୍ର ସରକାର ‘ରାଷ୍ଟ୍ରୀୟ ସମ୍ମାନ ଅପମାନ ନିବାରଣ ଆଇନ’ରେ ସଂଶୋଧନ ଆଣି ସରକାରୀ କାର୍ଯ୍ୟକ୍ରମରେ ବନ୍ଦେ ମାତରମ୍ର ସମସ୍ତ ୬ଟି ଅନ୍ତରା ଗାଇବାକୁ ବାଧ୍ୟତାମୂଳକ କରିଥିଲେ । ସଙ୍ଗୀତଜ୍ଞ ଟି.ଏମ୍. କ୍ରିଷ୍ଣା ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରି ଯୁକ୍ତି ଦେଇଥିଲେ ଯେ ବନ୍ଦେ ମାତରମ୍ର ଶେଷ ୪ଟି ପଦରେ ହିନ୍ଦୁ ଦେବଦେବୀ—ଦୁର୍ଗା, ଲକ୍ଷ୍ମୀ ଓ ସରସ୍ୱତୀଙ୍କ ଆରାଧନା ରହିଛି । ତାଙ୍କ ମତରେ, ଏହାକୁ ଗାଇବା ପାଇଁ ବାଧ୍ୟ କରିବା ଦ୍ୱାରା ଦେଶର ଧର୍ମନିରପେକ୍ଷତାର ଆଦର୍ଶ କ୍ଷୁଣ୍ଣ ହେବାର ଆଶଙ୍କା ରହିଛି । ଏହି ମାମଲାରେ ସୁପ୍ରିମକୋର୍ଟ କହିଥିବା ମତ ଅନୁଯାୟୀ, ‘ବନ୍ଦେ ମାତରମ୍’ ରାଷ୍ଟ୍ରୀୟ ଗୀତ । ଏହାର କେତେ ଅନ୍ତରା ରହିବ କିମ୍ବା ସଙ୍ଗୀତର ରୂପରେଖ କିପରି ହେବ, ତାହା ନିର୍ଦ୍ଧାରଣ କରିବା କୋର୍ଟର କାମ ନୁହେଁ; ଏହା ଗଣତାନ୍ତ୍ରିକ ସରକାରଙ୍କ ଅଧିକାର ଭିତରେ ଆସେ । ସୁପ୍ରିମକୋର୍ଟ ଏହି ପ୍ରସଙ୍ଗରେ ୧୯୮୬ର ‘ବିଜୋଇ ଇମାନୁଏଲ ବନାମ କେରଳ ସରକାର’ (ଈସହକ୍ଟର ଋଜ୍ଞଜ୍ଞବଦ୍ଭଙ୍କରକ୍ଷ ଙ୍ଖ. ଝଗ୍ଧବଗ୍ଧର କ୍ଟଲ କରକ୍ସବକ୍ଷବ) ମାମଲାର ଉଦାହରଣ ଦେଇଛନ୍ତି । ସେହି ମାମଲାରେ କୋର୍ଟ କହିଥିଲେ ଯେ, ଯଦି କେହି ନିଜ ଧାର୍ମିକ ବିଶ୍ୱାସ କାରଣରୁ ରାଷ୍ଟ୍ରୀୟ ସଙ୍ଗୀତ ଗାନ କରୁନାହାନ୍ତି, ମାତ୍ର ସମ୍ମାନର ସହ ଠିଆ ହେଉଛନ୍ତି, ତେବେ ସେ ଦଣ୍ଡନୀୟ ନୁହନ୍ତି ।
ବନ୍ଦେ ମାତରମ୍କୁ ନେଇ ଚାଲିଥିବା ଏହି ଆଇନଗତ ଲଢ଼େଇ ପୁଣିଥରେ ରାଷ୍ଟ୍ରୀୟ ଅସ୍ମିତାକୁ ଅଦାଲତର କାଠଗଡ଼ାରେ ଠିଆ କରିଛି । ପ୍ରଶ୍ନ ହେଉଛି—ରାଷ୍ଟ୍ରୀୟ ପ୍ରତୀକଗୁଡ଼ିକର ସମ୍ମାନ ମଧ୍ୟ ବ୍ୟକ୍ତିର ବ୍ୟକ୍ତିଗତ ପସନ୍ଦ ଉପରେ ନିର୍ଭର କରିବା ଉଚିତ୍ କି? ଏଠାରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସ୍ପଷ୍ଟ ହେବା ଆବଶ୍ୟକ । ସଂଶୋଧନ ଏହା କହେ ନାହିଁ ଯେ ପ୍ରତ୍ୟେକ ନାଗରିକଙ୍କୁ ବନ୍ଦେ ମାତରମ୍ ଗାଇବାକୁ ହିଁ ପଡ଼ିବ ଏବଂ ନ ଗାଇଲେ ତାଙ୍କୁ ଜେଲ୍ ହେବ । ସଂଶୋଧିତ ଆଇନ ରାଷ୍ଟ୍ରୀୟ ଗୀତର ଗାନକୁ ରୋକିବା କିମ୍ବା ଏହାର ଗାନ ହେଉଥିବା ସଭାରେ ବାଧା ସୃଷ୍ଟି କରିବାକୁ ଦଣ୍ଡନୀୟ କରିଥାଏ । ଏଥିପାଇଁ ସର୍ବାଧିକ ତିନି ବର୍ଷ ପର୍ଯ୍ୟନ୍ତ ଜେଲ୍, ଜୋରିମାନା କିମ୍ବା ଉଭୟର ବ୍ୟବସ୍ଥା ଥିବା କଥା ମଧ୍ୟ ଉଲ୍ଲେଖ କରାଯାଇଛି । ଅର୍ଥାତ୍, କୌଣସି ବ୍ୟକ୍ତିଙ୍କର ଶାନ୍ତିପୂର୍ଣ୍ଣ ଉପାୟରେ ଗୀତ ନ ଗାଇବା ଏବଂ କୌଣସି ସାର୍ବଜନୀନ ଆୟୋଜନରେ ଜାଣିଶୁଣି ବାଧା ସୃଷ୍ଟି କରିବା ମଧ୍ୟରେ ଆଇନଗତ ପାର୍ଥକ୍ୟ ରହିଛି । ସୁପ୍ରିମକୋର୍ଟଙ୍କ ବର୍ତ୍ତମାନର ଶୁଣାଣି ଏହି ସାମ୍ବିଧାନିକ ସୀମାର ପରୀକ୍ଷା କରୁଛି ।
ଏଠାରେ ମୂଳ ପ୍ରଶ୍ନ କେବଳ କେହି ଗୀତ ଗାଇବେ କି ନାହିଁ ତାହା ନୁହେଁ । ପ୍ରଶ୍ନ ହେଉଛି—ରାଷ୍ଟ୍ରୀୟ ପ୍ରତୀକ ପ୍ରତି ସମ୍ମାନ ଏବଂ ନାଗରିକଙ୍କ ମୌଳିକ ଅଧିକାର ମଧ୍ୟରେ ସୀମାରେଖା କେଉଁଠି ରହିବ?
ଭାରତୀୟ ଧର୍ମନିରପେକ୍ଷତାର ମୂଳ ଭାବନା ହେଉଛି—ରାଷ୍ଟ୍ର ସମସ୍ତ ଧର୍ମ ପ୍ରତି ସମାନ ବ୍ୟବହାର କରିବ । ସମ୍ବିଧାନର ଅନୁଚ୍ଛେଦ ୨୫ରୁ ୨୮ ଧାର୍ମିକ ସ୍ୱାଧୀନତାକୁ ସୁରକ୍ଷା କରେ । ତେଣୁ ଧର୍ମନିରପେକ୍ଷତାର ଅର୍ଥ କୌଣସି ଧର୍ମକୁ ଅସ୍ୱୀକାର କରିବା ନୁହେଁ; ବରଂ ନାଗରିକଙ୍କ ଧାର୍ମିକ ସ୍ୱାଧୀନତା ଓ ସମାନତାକୁ ସୁରକ୍ଷା କରିବା । ଏହି କସଟି କେବଳ ବନ୍ଦେ ମାତରମ୍ ପ୍ରସଙ୍ଗରେ ନୁହେଁ, ଧାର୍ମିକ ସଂସ୍ଥା, ଧାର୍ମିକ ସମ୍ପତ୍ତି ଓ ଶିକ୍ଷାନୁଷ୍ଠାନ ସମ୍ବନ୍ଧୀୟ ରାଷ୍ଟ୍ରୀୟ ନୀତିରେ ମଧ୍ୟ ସମାନ ଭାବରେ ପ୍ରଯୁଜ୍ୟ ହେବା ଉଚିତ୍ ।
ବନ୍ଦେ ମାତରମ୍ ପ୍ରସଙ୍ଗରେ ଧର୍ମନିରପେକ୍ଷତାକୁ ଚୟନାତ୍ମକ ଢଙ୍ଗରେ ବ୍ୟବହାର କରାଯାଇପାରିବ ନାହିଁ । ଯଦି ଧାର୍ମିକ ସ୍ୱାଧୀନତା ଗୁରୁତ୍ୱପୂର୍ଣ୍ଣ, ତେବେ ତାହା ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିଆନ, ଶିଖ, ବୌଦ୍ଧ, ଜୈନ ଏବଂ ପ୍ରତ୍ୟେକ ଅନ୍ୟ ନାଗରିକ ପାଇଁ ସମାନ ଭାବରେ ଗୁରୁତ୍ୱପୂର୍ଣ୍ଣ । ଯଦି ରାଷ୍ଟ୍ରୀୟ ପ୍ରତୀକଗୁଡ଼ିକର ସମ୍ମାନ ଆବଶ୍ୟକ, ତେବେ ତାହାର ଆଶା ମଧ୍ୟ ସମସ୍ତଙ୍କଠାରୁ ସମାନ ହେବା ଉଚିତ୍ । ଯଦି ଧାର୍ମିକ ସଂସ୍ଥାଗୁଡ଼ିକୁ ଆଇନ ଅନୁସାରେ ନିଜର ମାମଲାଗୁଡ଼ିକର ପରିଚାଳନା କରିବାର ଅଧିକାର ରହିଛି, ତେବେ ରାଷ୍ଟ୍ରର ନିୟମନ ମଧ୍ୟ ସମାନ ସାମ୍ବିଧାନିକ କସଟି ଉପରେ ହେବା ଉଚିତ୍ । ଧର୍ମନିରପେକ୍ଷତା ଯଦି ପ୍ରକୃତରେ ସମ୍ବିଧାନର ଏକ ମୂଲ୍ୟ, ତେବେ ତାହାକୁ ଅର୍ଦ୍ଧ-ଅଧୁରା ସୁବିଧା ଭାବରେ ନୁହେଁ, ବରଂ ଏକ ପୂର୍ଣ୍ଣ ସାମ୍ବିଧାନିକ ସିଦ୍ଧାନ୍ତ ଭାବରେ ଗ୍ରହଣ କରିବା ଆବଶ୍ୟକ । ନାଗରିକଙ୍କ ଧାର୍ମିକ ସ୍ୱାଧୀନତା ସୁରକ୍ଷିତ ରହୁ, କୌଣସି ସମୁଦାୟ ସହିତ ଧର୍ମର ଆଧାରରେ ପାତରଅନ୍ତର କରା ନ ଯାଉ ଏବଂ ସେହିପରି ରାଷ୍ଟ୍ରୀୟ ପ୍ରତୀକଗୁଡ଼ିକର ସମ୍ମାନ ତଥା ଆଇନର ଶାସନର ସୁରକ୍ଷା ହେଉ—ଏହା ହିଁ ସେହି ସନ୍ତୁଳନ, ଯାହା ଭାରତ ପରି ଏକ ବହୁଧାର୍ମିକ ଗଣତନ୍ତ୍ରର ଆବଶ୍ୟକତା ରହିଛି । ଏଥିରେ କୌଣସି ହିନ୍ଦୁ, ମୁସଲମାନ ବା ଅନ୍ୟ ମତ, ପନ୍ଥ କିମ୍ବା ଧର୍ମର କଥା ନାହିଁ । ଏତିକି ତ ବନ୍ଦେ ମାତରମ୍ର ବିରୋଧ କରୁଥିବା ଭାରତର ନାଗରିକମାନେ ବୁଝିପାରିବେ!
ମନ୍ଦିର, ୱାକଫ୍ ସମ୍ପତ୍ତି, ଚର୍ଚ୍ଚ ଓ ଅନ୍ୟାନ୍ୟ ଧାର୍ମିକ ନ୍ୟାସର ପ୍ରଶାସନରେ ରାଷ୍ଟ୍ରର ଭୂମିକା କେଉଁ ଆଇନଗତ ମାନଦଣ୍ଡରେ ନିର୍ଦ୍ଧାରିତ ହେବ—ଏହି ପ୍ରଶ୍ନ ଉପରେ ମଧ୍ୟ ସମାନ ସାମ୍ବିଧାନିକ ଦୃଷ୍ଟିକୋଣ ଆବଶ୍ୟକ । ସେହିପରି, ସମ୍ବିଧାନର ଅନୁଚ୍ଛେଦ ୨୯ ଓ ୩୦ ସଂଖ୍ୟାଲଘୁମାନଙ୍କ ସାଂସ୍କୃତିକ ଓ ଶିକ୍ଷାଗତ ଅଧିକାରକୁ ସୁରକ୍ଷା କରେ । ଏହି ବ୍ୟବସ୍ଥାଗୁଡ଼ିକ ସମାନତାର ବ୍ୟାପକ ସାମ୍ବିଧାନିକ ଧାରଣା ସହ କିପରି ସନ୍ତୁଳିତ ହେବ, ତାହା ନେଇ ମଧ୍ୟ ନିରନ୍ତର ଆଲୋଚନା ଆବଶ୍ୟକ । ରାଷ୍ଟ୍ରୀୟ ପ୍ରତୀକର ସମ୍ମାନ ଗଣତାନ୍ତ୍ରିକ ନାଗରିକତାର ଏକ ଅଂଶ । ତେବେ ସେହି ସମ୍ମାନ ନିଶ୍ଚିତ କରିବା ସମୟରେ ବ୍ୟକ୍ତିର ଧାର୍ମିକ ବିଶ୍ୱାସ ଓ ମୌଳିକ ଅଧିକାରକୁ ମଧ୍ୟ ବିଚାର କରିବାକୁ ହେବ । ଏହି ଦୁଇଟି ମୂଲ୍ୟ ପରସ୍ପର ବିରୋଧୀ ହେବା ଆବଶ୍ୟକ ନୁହେଁ । ଆବଶ୍ୟକତା ହେଉଛି ଏପରି ଏକ ସାମ୍ବିଧାନିକ ସନ୍ତୁଳନ, ଯେଉଁଠାରେ ନାଗରିକଙ୍କ ଧାର୍ମିକ ସ୍ୱାଧୀନତା ସୁରକ୍ଷିତ ରହିବ, କୌଣସି ସମୁଦାୟ ପ୍ରତି ଧର୍ମ ଆଧାରରେ ପାତରଅନ୍ତର ହେବ ନାହିଁ ଏବଂ ରାଷ୍ଟ୍ରୀୟ ପ୍ରତୀକ ପ୍ରତି ସମ୍ମାନ ମଧ୍ୟ ଅବିକଳ ରହିବ । ବନ୍ଦେ ମାତରମ୍ ଭାରତର ସ୍ୱାଧୀନତା ସଂଗ୍ରାମର ଏକ ଐତିହାସିକ ସ୍ମୃତି ଓ ରାଷ୍ଟ୍ରୀୟ ଚେତନାର ପ୍ରତୀକ ତେଣୁ ଏହାକୁ ନେଇ ମତଭେଦ ହେବା ଅନୁଚିତ ା ଆସନ୍ତୁ ଆମେ ସମସ୍ତେ ଏକାଠି ହୋଇ ବନ୍ଦେ ମାତରମ୍ ର ସମସ୍ତ ୬ଟି ଅନ୍ତରାକୁ ଗାଇ ରାଷ୍ଟ୍ରୀୟ ସଂଗୀତକୁ ସମ୍ମାନ ଜଣାଇବା ।