କଲ୍ୟାଣସିଂହପୁର, ୦୧/୧୦(ନିପ୍ର): ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ପଞ୍ଚାୟତରେ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟ ଠାରେ ଆଞ୍ଚଳିକ ସାଧନ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୬ ଅନୁଷ୍ଠିତ ହୋଇଛି । ଆଞ୍ଚଳିକ ସାଧନ ସଂଯୋଜକ ବା ସିଆରସିସି ମଧୁସୂଦନ ସେନାପତିଙ୍କ ତତ୍ୱାବଧାନରେ ଶାନ୍ତି ଶୃଙ୍ଖଳା ସହ ଆୟୋଜିତ ହୋଇଯାଇଛି ।ଏଥିରେମୁଖ୍ୟ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ବିଜୟ କୁମାର ସେଠୀ ରହିଥିବା ବେଳେ ସଂମ୍ମାନୀୟ ଅତିଥିଭାବେ ଓଡିଶା ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ ସଂଗୀତ ପାଲକା, ହରିଜନ ସାହି ବିଦ୍ୟାଳୟର ପ୍ରଧାନଶିକ୍ଷକ ହରେକୃଷ୍ଣ ଭାତ୍ରିଆ, ବଡଦ୍ୱାରସାହି ବିଦ୍ୟାଳୟର ପ୍ରଧାନଶିକ୍ଷକ ସିମାଞ୍ଚଳ କୌଶଲ୍ୟା ମଞ୍ଚାସିନ ରହିଥିଲେ। ଆଞ୍ଚଳିକ ସାଧନା କେନ୍ଦ୍ର କଲ୍ୟାଣସିଂହପୁର ର ୧୩ଟି ବିଦ୍ୟାଳୟ ଉଭୟ ବରିଷ୍ଠ ଓ କନିଷ୍ଠ ବିଭାଗର ଛାତ୍ର ଛାତ୍ରୀ ମାନେ ମୋଟ ୧୫୦ ରୁ ଉର୍ଦ୍ଧ୍ବ ସୁରଭି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଛାତ୍ର ଛାତ୍ରୀ ମାନଙ୍କୁ ନେଇ ୧୩ଟି ପ୍ରତିଯୋଗିତା ଗୁଡିକ ହେଲା କୁଇଜ, ବିତର୍କ, ପ୍ରବନ୍ଧଲିଖନ , ଚିତ୍ରାଙ୍କନ, ସୃଜନଶୀଳ ଲିଖନ, ବକୃତା, ସଂଗୀତ, ଓଡ଼ିଆ ହସ୍ତାକ୍ଷର, ଶ୍ରୁତିଲିଖନ,ଦଳଗତ ନୃତ୍ୟ,ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ଙ୍କ ଚିତ୍ରାଙ୍କନ, ସଂଗୀତ ସଂସ୍କୃତିକ କାର୍ଯ୍ୟକ୍ରମ, ପିଏମ ପୋଷଣ ଓ ମୁଖ୍ୟମନ୍ତ୍ରୀ ପୋଷଣ,ଆୟୋଜନ ହୋଇଛି। ଏଥିରେ କୃତିତ୍ୱ ଅର୍ଜନ କରିଥିବା ସମସ୍ତ ବିଭାଗର କୃତି ପ୍ରତିଯୋଗୀ ମାନଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରିବା ସହ ପ୍ରଥମ ସ୍ଥାନ ଅଧିକାର କରିଥିବା ୧୩ଜଣ ପ୍ରତିଯୋଗୀ ମାନେ ବ୍ଲକ ସ୍ତରୀୟ ସୁରଭିରେ ଭାଗ ନେବେ ବୋଲି ଜଣାପଡିଛି । ଉକ୍ତ କାର୍ଯ୍ୟକ୍ରମରେ ମଞ୍ଚ ପରିଚାଳନା କରିଥିଲେ ଆଦର୍ଶ ବିଦ୍ୟାଳୟର ଅଧ୍ୟାପକ ଆଲୋକ କୁମାର ପଟ୍ଟନାୟକ ଓ ଧନ୍ୟବାଦ ଅର୍ପଣ କରିଥିଲେ ଗୁରୁଦେବ ନାୟକ। କଲ୍ୟାଣ ସିଂହପୁର ଓ କରପା ଦୁଇଟି ଆଞ୍ଚଳିକ ସାଧନା କେନ୍ଦ୍ରରେ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କରାଯାଇଛି।