ଭୁବନେଶ୍ୱରରେ ନିର୍ମାଣ ହେବ ବହୁତଳବିଶିଷ୍ଟ ରାଜସ୍ୱଭବନ: ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି

ଖର୍ଚ୍ଚ ହେବ ପ୍ରାୟ ୩୪୮ କୋଟି ଟଙ୍କା

ଭୁବନେଶ୍ୱର, ୨୨/୧୧: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱରରେ ଏକ ବହୁତଳ ବିଶିଷ୍ଟ ରାଜସ୍ୱ ଭବନ ନିର୍ମାଣ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ, ଭୁବନେଶ୍ୱରରେ ଏକ ୯ ମହଲା ବିଶିଷ୍ଟ ରାଜସ୍ୱ ଭବନ ନିର୍ମାଣ ହେବ । ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା ସହିତ ନିର୍ମିତ ଏହି ଭବନର ୯ ମହଲା ତଳେ ୨ଟି ବେସମେଣ୍ଟ ଓ ଗୋଟିଏ ଗ୍ରାଉଣ୍ଡଫ୍ଲୋର ରହିବ । ଏଥିପାଇଁ ସମୁଦାୟ ୩୪୭.୮୬ କୋଟି ଟଙ୍କା ଖର୍ଚ୍ଚ ହେବ ।

ଏହି ଭବନରେ ଗୋଟିଏ ସ୍ଥାନରେ ରାଜସ୍ୱ ବିଭାଗର ସମସ୍ତ ପ୍ରଶାସନିକ ବ୍ୟବସ୍ଥା ରହିବା ଦ୍ୱାରା ଏହା ମାଧ୍ୟମରେ ରାଜସ୍ୱ ବ୍ୟବସ୍ଥାର ସୁପରିଚାଳନା ଏବଂ ରାଜସ୍ୱ ଆଦାୟ ପ୍ରକ୍ରିୟା ସହଜ ଓ ସୁବ୍ୟବସ୍ଥିତ ହେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଶାବ୍ୟକ୍ତ କରିଛନ୍ତି ।