ଓଡ଼ିଶା ସମୁଦ୍ର ଉପକୂଳରେ ସ୍ଥାପନ ହେବ ଭିଡ଼ିଓ କ୍ୟାମେରା-ଆଧାରିତ ସ୍ୱୟଂଚାଳିତ ବେଳାଭୂମି ନିରୀକ୍ଷଣ ବ୍ୟବସ୍ଥା
ଉପଲବ୍ଧ ହେବ ସାମୁଦ୍ରିକ ଝଡ଼ର ପୂର୍ବାନୁମାନ ଏବଂ ସତର୍କ ସୂଚନା
ଭୁବନେଶ୍ୱର, ୨୨/୧୧: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ ଓଡ଼ିଶାର ସମୁଦ୍ର ଉପକୂଳରେ ସ୍ଥାପନ ହେବ ‘ଭିଡ଼ିଓ କ୍ୟାମେରା-ଆଧାରିତ ସ୍ୱୟଂଚାଳିତ ବେଳାଭୂମି ନିରୀକ୍ଷଣ ବ୍ୟବସ୍ଥା’। ଏହା ସହିତ ଜାତୀୟ ମହାସାଗର ସୂଚନା କେନ୍ଦ୍ରର ଏକ ଆଞ୍ଚଳିକ କେନ୍ଦ୍ର ମଧ୍ୟ ଓଡ଼ିଶାରେ ପ୍ରତିଷ୍ଠା ହେବ।
ଏହି ବ୍ୟବସ୍ଥା ପାଣିପାଗ ସମ୍ୱଳିତ ସଠିକ୍ ତଥ୍ୟ ପ୍ରଦାନ କରିବା ସହିତ ସାମୁଦ୍ରିକ ବିପର୍ଯ୍ୟୟର ପୂର୍ବାନୁମାନ ଏବଂ ପୂର୍ବସଂକେତ ପ୍ରଦାନ କରିବ । ସାମୁଦ୍ରିକ ଗବେଷଣା କ୍ଷେତ୍ର ପାଇଁ ମଧ୍ୟ ଏହା ଖୁବ୍ ସହାୟକ ହେବ ।
ଏଥି ନିମନ୍ତେ ଖୁବ୍ ଶୀଘ୍ର ଭାରତ ସରକାରଙ୍କ ପୃଥିବୀ ବିଜ୍ଞାନ ମନ୍ତ୍ରାଳୟ ଅଧୀନସ୍ଥ ଇଣ୍ଡିଆନ ନ୍ୟାସନାଲ ସେଣ୍ଟର ଫର ଓସିଅନ ଇନଫର୍ମେସନ ସର୍ଭିସ୍ (ଇନ୍କୋଇସ୍) ଏବଂ ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ମଧ୍ୟରେ ଏକ ଚୁକ୍ତିପତ୍ର ସ୍ୱାକ୍ଷର ହେବାକୁ ଯାଉଛି ।