ମହାପ୍ରଭୁଙ୍କ ସୁନାବେଶର ଆଉ ଏକ ଆଭୂଷଣ ସେଟ୍‌ ତିଆରି ହେବ

ମହାପ୍ରଭୁଙ୍କ ସୁନାବେଶର ଆଉ ଏକ ଆଭୂଷଣ ସେଟ୍‌ ତିଆରି କରାଯିବ । ଏହି ଅତିରିକ୍ତ ସେଟ୍‌ର ପ୍ରାରମ୍ଭିକ ଡିଜାଇନ ପ୍ରସ୍ତୁତ କରାଯାଉଛି । କାର୍ତ୍ତିକ ପୂର୍ଣ୍ଣିମାରେ ମା’ ସୁଭଦ୍ରାଙ୍କ ସୁନାବେଶ ଆଭୂଷଣ ଲାଗି ବେଳେ ଏହି ଆଭୂଷଣର ମାପ ନିଆଯାଇଛି । ଜଉ ସହ ଏହି ଆଭୂଷଣରେ କେତେ ସୁନା ରହିଛି ତାହାର ମଧ୍ୟ ଆକଳନ କରାଯାଇଛି । ଏହି ଆଧାରରେ ମହାପ୍ରଭୁଙ୍କ ସୁନାବେଶର ଆଭୂଷଣ ଗୁଡ଼ିକର ଆଉ ଏକ ସେଟ୍‌ ଜରୁରି ସେବା ନିମନ୍ତେ ତିଆରି କରାଯିବ ।

ଆଉ ଏକ ସୂଚନା ମୁତାବକ, ମହାପ୍ରଭୁଙ୍କ ଶୟନ ବେଦି ବା ରତ୍ନପଲଙ୍କର ଆଉ ଏକ ସେଟ୍‌ ନିର୍ମାଣ କରିବାକୁ ମଧ୍ୟ ପ୍ରସ୍ତୁତି ଚାଲିିଛି। ଏହି ପଲଙ୍କର ଡିଜାଇନ ପ୍ରସ୍ତୁତ ହୋଇ ସାରିଥିବାର ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ଶ୍ରୀଜିଉଙ୍କ ଏହି ସବୁ ଅଳଙ୍କାରର ଡିଜାଇନ ପ୍ରସ୍ତୁତ କରାଯାଉଛି । ଶ୍ରୀମନ୍ଦିର ବଣିଆ ମା’ ସୁଭଦ୍ରାଙ୍କ ସୁନାବେଶ ଅଳଙ୍କାର ଆକଳନ କରିଥିବା ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ତଥା ଶ୍ରୀମନ୍ଦିର ରୁପା ଦ୍ୱାର ନିର୍ମାଣ କମିଟି କର୍ମକର୍ତ୍ତା ମାଧବ ମହାପାତ୍ର ସୂଚନା ଦେଇଛନ୍ତି । ରଥ ଉପରେ ମହାପ୍ରଭୁଙ୍କ ସୁନାବେଶରେ ମୋଟ ୪୫ ପ୍ରକାର ସୁବର୍ଣ୍ଣ ଅଳଙ୍କାର ଲାଗି ହୋଇଥାଏ ।