‘ସମାଜ’ର ୧୦୭ତମ ସ୍ୱନକ୍ଷତ୍ର ଦିବସରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

ଗଣମାଧ୍ୟମର ବିଶ୍ୱସନୀୟତା ହ୍ରାସ ପାଇଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୦୪/୧୦: ଗଣମାଧ୍ୟମରେ ଖବର ପରିବେଷଣର ଶୈଳୀ ବଦଳିଛି। ତଥ୍ୟଭିତ୍ତିକ ଖବର ପରିବର୍ତ୍ତେ ମିଥ୍ୟା ଖବର, କୁତ୍ସାରଟନା ଓ ସନ୍‌ସେସନାଲିଜମ୍‌କୁ ଅଧିକ ଗୁରୁତ୍ୱ ଦିଆଯାଉଛି। ଫଳରେ ପୂର୍ବାପେକ୍ଷା ଗଣମାଧ୍ୟମର ବିଶ୍ୱସନୀୟତା ହ୍ରାସ ପାଇଛି। ତେଣୁ ଗଣମାଧ୍ୟମ ସତ୍ୟତା, ନିରପେକ୍ଷତା ଓ ନୈତିକତାକୁ ଗୁରୁତ୍ୱ ଦେବା ସହ ଆଜେଣ୍ଡାମୁକ୍ତ ଭାବେ ଲୋକଙ୍କ ସମସ୍ୟାକୁ ଲୋକଲୋଚନକୁ ଆଣିବା ଆବଶ୍ୟକ। ରବିବାର ଭୁବନେଶ୍ୱରର ରବୀନ୍ଦ୍ର ମଣ୍ଡପଠାରେ ଦୈନିକ ଓଡ଼ିଆ ଖବରକାଗଜ ‘ସମାଜ’ର ୧୦୭ତମ ସ୍ୱନକ୍ଷତ୍ର ଦିବସ ସମାରୋହରେ ଯୋଗଦେଇ ଏଭଳି ମତବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ମୁଖ୍ୟମନ୍ତ୍ରୀ କହିଥିଲେ, ‘ସମାଜ’ କେବଳ ଏକ ଖବରକାଗଜ ନୁହେଁ, ଏହା ଏକ ଅନୁଷ୍ଠାନ ଓ ବିଚାରଧାରା। ଶତାବ୍ଦୀରୁ ଅଧିକ ସମୟର ଯାତ୍ରା ମଧ୍ୟରେ ଅନେକ ଉତ୍ଥାନ-ପତନ ଓ ଆହ୍ୱାନର ସମ୍ମୁଖୀନ ହୋଇଥିଲେ ମଧ୍ୟ ଏହି ଖବରକାଗଜ ସାମ୍ବାଦିକତାର ମୌଳିକ ନୈତିକତା ଓ ଆଦର୍ଶ ସହ କେବେ ସାଲିସ କରିନାହିଁ। ଏହା ହିଁ ‘ସମାଜ’ର ସବୁଠାରୁ ବଡ଼ ବିଶେଷତ୍ୱ। ଏହି ଅବସରରେ ସେ ‘ସମାଜ’ ପରିବାର ଓ ଏହାର ପାଠକପାଠିକାଙ୍କୁ ଶୁଭେଚ୍ଛା ଜଣାଇବା ସହ ଏହାର ପ୍ରତିଷ୍ଠାତା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

୧୯୧୯ ମସିହାରେ ସତ୍ୟବାଦୀର ବକୁଳବନରୁ ଆରମ୍ଭ ହୋଇଥିବା ‘ସମାଜ’ର ଯାତ୍ରା ଆଜି ଏକ ବିଶାଳ ବଟବୃକ୍ଷରେ ପରିଣତ ହୋଇଛି। ପଣ୍ଡିତ ଗୋପବନ୍ଧୁ ଦାସଙ୍କ ମୂଳ ଲକ୍ଷ୍ୟ ଥିଲା ଦେଶସେବା, ସାମାଜିକ ନ୍ୟାୟ ଓ ପରାଧୀନତାର ଶୃଙ୍ଖଳରୁ ଓଡ଼ିଆ ଜାତିକୁ ମୁକ୍ତ କରିବା। ସେହି ଆଦର୍ଶରେ ଅନୁପ୍ରାଣିତ ହୋଇ ‘ସମାଜ’ ଆରମ୍ଭରୁ ଶୋଷିତ, ନିଷ୍ପେଷିତ ଓ ଅବହେଳିତ ଲୋକଙ୍କ ସ୍ୱର ପାଲଟିଥିଲା। ଖବର ପରିବେଷଣ ସହ ସମାଜସେବାକୁ ମଧ୍ୟ ଏହି ଅନୁଷ୍ଠାନ ନିଜର ଅଭିନ୍ନ ଅଂଶ କରି ରଖିଛି।

ପ୍ରାକୃତିକ ବିପର୍ଯ୍ୟୟ ହେଉ କି ଅଗ୍ନିକାଣ୍ଡ ଭଳି ଅନ୍ୟାନ୍ୟ ଦୁର୍ଘଟଣା, ବିପନ୍ନ ଲୋକଙ୍କୁ ସହାୟତା ଯୋଗାଇବାରେ ‘ସମାଜ’ର ଭୂମିକାକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ। ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠି ସହ ‘ସମାଜ’ ରିଲିଫ୍‌ ପାଣ୍ଠି ମଧ୍ୟ ବିପନ୍ନଙ୍କୁ ସହାୟତା ପ୍ରଦାନରେ ଅଗ୍ରଣୀ ଭୂମିକା ତୁଲାଇ ଆସିଛି। ଗୋପବନ୍ଧୁଙ୍କ ପରେ ପଣ୍ଡିତ ଲିଙ୍ଗରାଜ ମିଶ୍ର ଓ ଡକ୍ଟର ରାଧାନାଥ ରଥଙ୍କ ଭଳି ବ୍ୟକ୍ତିତ୍ୱ ଏହି ମହାନ ପରମ୍ପରାକୁ ଆଗକୁ ନେଇଥିଲେ। ବିଶେଷକରି ଡକ୍ଟର ରାଧାନାଥ ରଥଙ୍କ ସମ୍ପାଦକୀୟ ନେତୃତ୍ୱ ଓଡ଼ିଆ ସାମ୍ବାଦିକତା ଇତିହାସରେ ସ୍ମରଣୀୟ ହୋଇ ରହିଛି ବୋଲି ସେ କହିଥିଲେ।

ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ ସମ୍ବାଦପତ୍ର ସରକାର ଓ ଜନସାଧାରଣଙ୍କ ମଧ୍ୟରେ ଏକ ମଜବୁତ ସେତୁର କାମ କରିଥାଏ। ସରକାରଙ୍କ ଲୋକାଭିମୁଖୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବା ସହ ତୃଣମୂଳ ସ୍ତରର ସମସ୍ୟା, ଦାବି ଓ ଅଭିଯୋଗକୁ ସରକାରଙ୍କ ଦୃଷ୍ଟିକୁ ଆଣିବା ସମ୍ବାଦପତ୍ରର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ। ତେବେ ଆଜିକାଲି ସମାଲୋଚନା ଓ କୁତ୍ସାରଟନା ମଧ୍ୟରେ ଥିବା ପାର୍ଥକ୍ୟକୁ ଅନେକ ସମୟରେ ଭୁଲିଯାଉଛନ୍ତି। ସରକାରଙ୍କ ନୀତି ଓ କାର୍ଯ୍ୟକ୍ରମର ସମାଲୋଚନା ଗଣମାଧ୍ୟମର ଅଧିକାର ଓ ଦାୟିତ୍ୱ, କିନ୍ତୁ ଏହା ଯେପରି କୌଣସି ନିର୍ଦ୍ଦିଷ୍ଟ ଆଜେଣ୍ଡାର ରୂପ ନ ନିଏ, ସେଥିପ୍ରତି ଧ୍ୟାନ ଦେବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଥିଲେ।

ଟେଲିଭିଜନ ନ୍ୟୁଜ୍‌ ଓ ସୋସିଆଲ ମିଡିଆର ପ୍ରସାର ଯୋଗୁଁ ଖବର ପରିବେଷଣର ଶୈଳୀରେ ବ୍ୟାପକ ପରିବର୍ତ୍ତନ ଆସିଛି। ଇଣ୍ଟରନେଟ୍‌ ଯୁଗରେ ଖବର ଶୀଘ୍ର ପହଞ୍ଚୁଥିବା ବେଳେ ତାହାର ସତ୍ୟତା ଯାଞ୍ଚ କରିବା ଏକ ବଡ଼ ଆହ୍ୱାନ ହୋଇଛି। ମିଥ୍ୟା ଖବର ଓ ଅପପ୍ରଚାର ମଧ୍ୟରେ ତଥ୍ୟଭିତ୍ତିକ ଖବର ପାଇଁ ଛାପା ଗଣମାଧ୍ୟମ ଉପରେ ଲୋକଙ୍କ ଭରସା ଏବେ ବି ରହିଛି। ନିଜ ଉଦାହରଣ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ତାଙ୍କ ଦିନ ଆରମ୍ଭ ହୁଏ ସକାଳର ଖବରକାଗଜ ପଢ଼ିବାରୁ। କାର୍ଯ୍ୟବ୍ୟସ୍ତତା ଯୋଗୁଁ ସବୁ ଖବର ପଢ଼ିବା ସମ୍ଭବ ନ ହେଲେ ମଧ୍ୟ ସେ ମୁଖ୍ୟ ଶିରୋନାମା ଓ ସମ୍ପାଦକୀୟ ପଢ଼ିଥାନ୍ତି ବୋଲି କହିଥିଲେ।

ଅନ୍ୟପକ୍ଷରେ ଖବରକାଗଜର ବ୍ୟବସାୟୀକରଣ ଯୋଗୁଁ ଅନେକ ସମୟରେ ଗୁରୁତ୍ୱପୂର୍ଣ୍ଣ ଖବର ପଛକୁ ଚାଲିଯାଉଛି ଏବଂ ଚମକପ୍ରଦ ଖବରକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ଏପରିକି ଭୁଲ୍‌ ତଥ୍ୟ ଆଧାରିତ ଖବର ପ୍ରକାଶ ପରେ କ୍ଷମାପ୍ରାର୍ଥନା କରିବାର ଘଟଣା ମଧ୍ୟ ଦେଖିବାକୁ ମିଳୁଛି। ଏହି ପରିସ୍ଥିତିରେ ସାମ୍ବାଦିକତାର ମୌଳିକ ନୀତି ଓ ନୈତିକତାକୁ ବଜାୟ ରଖିବା ସହ ଜନସ୍ୱାର୍ଥ ସମ୍ପର୍କିତ ପ୍ରସଙ୍ଗକୁ ନିରପେକ୍ଷ ଭାବେ ଉପସ୍ଥାପନ କରିବା ଜରୁରୀ। ସ୍ୱାଧୀନତା ଆନ୍ଦୋଳନ ଓ ଜରୁରୀ ପରିସ୍ଥିତି ସମୟରେ ଭାରତୀୟ ଗଣମାଧ୍ୟମ ଯେଉଁ ସାହସିକ ଭୂମିକା ନିର୍ବାହ କରିଥିଲା, ସେହି ପରମ୍ପରାକୁ ଆଗକୁ ନେବାକୁ ସେ ଆହ୍ୱାନ ଦେଇଥିଲେ।

ଏହି ଅବସରରେ ଓଡ଼ିଶାର ବିକାଶ ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ମଧ୍ୟ ମତ ରଖିଥିଲେ ମୁଖ୍ୟମନ୍ତ୍ରୀ। ଶିକ୍ଷା, ସ୍ୱାସ୍ଥ୍ୟ, ଶିଳ୍ପ, ଭିତ୍ତିଭୂମି, କ୍ରୀଡ଼ା, ସେମିକଣ୍ଡକ୍ଟର, କୃତ୍ରିମ ବୁଦ୍ଧିମତ୍ତା (AI) ଓ କୃଷି କ୍ଷେତ୍ରରେ ଓଡ଼ିଶା ଆଗକୁ ବଢ଼ୁଛି ବୋଲି ସେ କହିଥିଲେ। ଗ୍ରାମାଞ୍ଚଳର ବିକାଶ, ପ୍ରାଥମିକ ଶିକ୍ଷାର ସୁଦୃଢ଼ୀକରଣ, ଯୁବବର୍ଗଙ୍କ ପାଇଁ ରୋଜଗାର ସୁଯୋଗ, କ୍ରୀଡ଼ା ଭିତ୍ତିଭୂମିର ସମ୍ପ୍ରସାରଣ ଓ ବିପର୍ଯ୍ୟୟ ପରିଚାଳନାକୁ ସରକାର ଗୁରୁତ୍ୱ ଦେଉଛନ୍ତି। ଏହି ଯୋଜନାଗୁଡ଼ିକର ସଠିକ୍‌ କାର୍ଯ୍ୟାନ୍ୱୟନ ଓ ସଫଳତାକୁ ଲୋକଙ୍କ ପାଖରେ ପହଞ୍ଚାଇବାରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ।

ଗରିବ ଓ ଅସହାୟ ଲୋକଙ୍କ କଲ୍ୟାଣକୁ ସରକାର ପ୍ରାଥମିକତା ଦେଉଥିବା କହି ସେ ମାଗଣା ଅତିରିକ୍ତ ଚାଉଳ, ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା, ଆବାସ ଯୋଜନା ଓ ଅନ୍ତ୍ୟୋଦୟ ଗୃହ ଯୋଜନା ଭଳି ପଦକ୍ଷେପର ଉଲ୍ଲେଖ କରିଥିଲେ। ଆର୍ଥିକ ଦୁର୍ବଳ ଶ୍ରେଣୀର ପରିବାର, ଝିଅମାନଙ୍କ ଶିକ୍ଷା ଓ ବିବାହ, ଏବଂ ଘରହୀନ ଅସହାୟ ଲୋକଙ୍କୁ ସହାୟତା ଦେବା ଏହି ଯୋଜନାଗୁଡ଼ିକର ଲକ୍ଷ୍ୟ ବୋଲି ସେ କହିଥିଲେ।

ଶିକ୍ଷା କ୍ଷେତ୍ରରେ ‘କେଜିରୁ ପିଜି’ ପର୍ଯ୍ୟନ୍ତ ମାଗଣା ଶିକ୍ଷା ଓ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଭଳି ପଦକ୍ଷେପ ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ। ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ଲୋକଙ୍କୁ ନଗଦବିହୀନ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଥିବା ସେ କହିଥିଲେ।

ସେହିପରି ମଧୁବାବୁ ପେନସନ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା ଯୋଗାଇବା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୬୦ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତ ଯୋଗ୍ୟ ବ୍ୟକ୍ତିଙ୍କୁ ଭତ୍ତା ପ୍ରଦାନ ପାଇଁ ସରକାର ପଦକ୍ଷେପ ନେଇଛନ୍ତି। ଏପର୍ଯ୍ୟନ୍ତ ୫ ଲକ୍ଷରୁ ଅଧିକ ଲୋକଙ୍କ ନାମ ତାଲିକାଭୁକ୍ତ ହୋଇଥିବା ବେଳେ ଯୋଗ୍ୟ ହିତାଧିକାରୀଙ୍କୁ ଆଉ ମାସ ମାସ ଧରି ଭତ୍ତା ପାଇଁ ଅପେକ୍ଷା କରିବାକୁ ପଡ଼ିବ ନାହିଁ ବୋଲି ସେ ଆଶ୍ୱାସନା ଦେଇଥିଲେ। ବନ୍ୟା ଓ ବାତ୍ୟା ଭଳି ବିପର୍ଯ୍ୟୟ ସମୟରେ ସରକାରୀ ପ୍ରତିନିଧିମାନେ ଲୋକଙ୍କ ପାଖରେ ପହଞ୍ଚି ସେମାନଙ୍କ ସମସ୍ୟା ବୁଝୁଥିବା କହିବା ସହ ଏଥିପାଇଁ ଗୋପବନ୍ଧୁଙ୍କ ସେବା ଆଦର୍ଶ ପ୍ରେରଣା ଯୋଗାଉଥିବା ସେ ଉଲ୍ଲେଖ କରିଥିଲେ।

୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଏବଂ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ ପୂରଣ ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହି ଲକ୍ଷ୍ୟ ହାସଲରେ ସରକାରଙ୍କ ସହ ଗଣମାଧ୍ୟମର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭାଗୀଦାରି ରହିଛି। ଦାୟିତ୍ୱବାନ ଓ ଅଗ୍ରଣୀ ସମ୍ବାଦପତ୍ର ଭାବେ ‘ସମାଜ’ ଆଗାମୀ ଦିନରେ ମଧ୍ୟ ନିଜର ଆଦର୍ଶ ଓ ଜନସେବାର ପରମ୍ପରା ବଜାୟ ରଖିବ ବୋଲି ସେ ଦୃଢ଼ ବିଶ୍ୱାସ ପ୍ରକାଶ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ଉଚ୍ଚଶିକ୍ଷା ଏବଂ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଲୋକସେବକ ମଣ୍ଡଳର ସଭାପତି ରାଜକୁମାର, ଉପସଭାପତି ଦୀପକ ମାଲବ୍ୟ, ସମ୍ପାଦକ ରମାନାଥ ଝା, ‘ସମାଜ’ର ମୁଦ୍ରାକର ତଥା ପ୍ରକାଶକ ରାଜେନ୍ଦ୍ର କୁମାର ଜେନା, ସମ୍ପାଦକ ବାମାପଦ ତ୍ରିପାଠୀ ଓ ମୁଖ୍ୟ ପରିଚାଳକ ଗୋପୀନାଥ ବାରିକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।