ଇରମ ଗୁଳିକାଣ୍ଡ ଥିଲା ଅଧିକ ମହାନ

ରାଜ୍ୟ ସଂଗ୍ରହାଳୟରେ ରକ୍ତତୀର୍ଥ “ଇରମ ଓ ଭାରତର ମୁକ୍ତି ସଂଗ୍ରାମରେ ଓଡ଼ିଶା” ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ

ଭୁବନେଶ୍ୱର, ୦୪/୧୦: ଗତ ଅକ୍ଟୋବର ୩ ତାରିଖ ‌ଦିନ ଭୁବନେଶ୍ୱରସ୍ଥିତ ରାଜ୍ୟ ସଂଗ୍ରହାଳୟରେ ରକ୍ତତୀର୍ଥ “ଇରମ ଓ ଭାରତର ମୁକ୍ତି ସଂଗ୍ରାମରେ ଓଡ଼ିଶା” ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା।

ଏଥିରେ ଉଦବୋଧନ ଦେଇ ବିଶିଷ୍ଟ ଐତିହାସିକ ଓ ଶିକ୍ଷାବିତ ପ୍ରଫେସର ନିହାର ରଞ୍ଜନ ପଟ୍ଟନାୟକ କହିଥିଲେ ଯେ ଜାଲିଆନାୱାଲାବାଗ ହତ୍ୟାକାଣ୍ଡ ଠାରୁ ରକ୍ତତୀର୍ଥ ଇରମ ଘଟଣା ଅଧିକ ମହାନ ଓ ଗୁରୁତ୍ୱପୂର୍ଣ୍ଣ। ଜାଲିଆନାୱାଲାବାଗରେ ଲୋକମାନେ ଜାଣି ନଥିଲେ ଯେ ସେଦିନ ଗୁଳିକାଣ୍ଡର ଆଦେଶ ଦିଆଯିବ ଓ ସେମାନେ ମୃତ୍ୟୁବରଣ କରିବେ। ତେଣୁ ସେମାନେ କୌଣସି ସଂକୋଚ ନକରି ସଭାସ୍ଥଳରେ ପହଞ୍ଚି ଥିଲେ ଓ ଅପ୍ରତ୍ୟାଶିତ ଗୁଳିମାଡ଼ରେ ମୃତ୍ୟୁ ବରଣ କରିଥିଲେ।

କିନ୍ତୁ ଇରମ ଗୁଳିକାଣ୍ଡ ଥିଲା ସ୍ଵତନ୍ତ୍ର। ପୂର୍ବରୁ ଲୋକମାନେ ଜାଣିଥିଲେ ଯେ ଗୁଳିକାଣ୍ଡ ନିଶ୍ଚୟ ଘଟିବ , ତଥାପି ସେମାନେ ମୃତ୍ୟୁକୁ ଭୟ ନକରି ସଭାସ୍ଥଳରେ ରୁଣ୍ଡ ହୋଇଥିଲେ। ସେମାନଙ୍କ ଅନୁମାନ ସତ୍ୟ ହୋଇଥିଲା। ଗୁଳିଚାଳନାର ଆଦେଶ ଦିଆଯାଇଥିଲା ଓ ଗୁଳିକାଣ୍ଡରେ ଜଣେ ମହିଳା ସମେତ ୨୯ ଜଣ ମୃତ୍ୟୁ ବରଣ କରିଥିଲେ। ପ୍ରଫେସର ପଟ୍ଟନାୟକ ବାଞ୍ଛାନିଧି ଚକଲା ଗଠନ ଉପରେ ଆଲୋଚନା କରି କହିଥିଲେ ଯେ ବାସୁଦେବପୁର ଅଞ୍ଚଳ ପାଇଁ ଏକ ସ୍ଵାଧୀନ ସରକାର ସ୍ଥାପନ କରିବା ସେତେବେଳେ ଥିଲା ସମଗ୍ର ଦେଶର ପ୍ରଥମ ଘଟଣା । ସେ ମଧ୍ୟ ଇରମ ଗୁଳିକାଣ୍ଡରେ ସହିଦ ହୋଇଥିବା ପରୀ ବେଓୟା ବିଷୟରେ ସବିଶେଷ ସୂଚନା ଦେଇଥିଲେ । ଅନ୍ୟତମ ଅତିଥି ବିଶିଷ୍ଟ ସ୍ତମ୍ଭକାର ପ୍ରହଲ୍ଲାଦ ସିଂହ ଭାରତୀୟ ସ୍ଵାଧୀନତା ସଂଗ୍ରାମରେ ଓଡ଼ିଶାର ଭୂମିକା ବିଷୟରେ ଆଲୋଚନା କରିଥିଲେ। ସମ୍ମାନିତ ବକ୍ତା ଭାବେ ବିଶିଷ୍ଟ ସାହିତ୍ୟିକ ଓ ଅନୁବାଦକ ଡଃ ସଂଗ୍ରାମ ଜେନା ମହାତ୍ମାଗାନ୍ଧୀଙ୍କ ବିନା ସ୍ଵାଧୀନତା ହାସଲ ଏତେ ଶୀଘ୍ର ସମ୍ଭବ ହୋଇ ନଥାନ୍ତା ବୋଲି ଦର୍ଶାଇ ଥିଲେ। ରାଜ୍ୟ ସଂଗ୍ରହାଳୟର ଅଧିକ୍ଷକ ଡକ୍ଟର ଭାରତୀ ପାଲ ସଭାରେ ଅଧ୍ୟକ୍ଷତା କରି ସ୍ବାଗତ ଭାଷଣରେ ଭାରତଛାଡ଼ ଆନ୍ଦୋଳନ ଓଡ଼ିଶାରେ କିପରି ଗଭୀର ପ୍ରଭାବ ପକାଇ ଥିଲା ତାହା ଦର୍ଶାଇ ଥିଲେ।