ଭାରତୀୟ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଉପରେ ରୁଷର ଡ୍ରୋନ୍ ଆକ୍ରମଣ
କୁସୁମ ଗ୍ରୁପର ଫାର୍ମା ପ୍ଲାଣ୍ଟ ସମ୍ପୂର୍ଣ୍ଣ ଧ୍ୱଂସ
ନୂଆଦିଲ୍ଲୀ, ୦୪/୧୦: ୟୁକ୍ରେନରେ ଭାରତୀୟ ଔଷଧ ନିର୍ମାଣକାରୀ କମ୍ପାନୀ ଉପରେ ରୁଷର ଭୟଙ୍କର ଡ୍ରୋନ୍ ଆକ୍ରମଣ। ୟୁକ୍ରେନର ସୁମି ସହରରେ ଅବସ୍ଥିତ ଭାରତୀୟ ଫାର୍ମାସ୍ୟୁଟିକାଲ୍ କମ୍ପାନୀ କୁସୁମ ଗ୍ରୁପ୍ର ଔଷଧ ଉତ୍ପାଦନ କାରଖାନା ଏହି ଆକ୍ରମଣରେ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥିବା ଖବର ମିଳିଛି। କାରଖାନାଟି ସମ୍ପୂର୍ଣ୍ଣ ଧ୍ୱଂସ ହୋଇଥିବା ରିପୋର୍ଟ ହୋଇଥିବାବେଳେ, ଏହି ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୬ ଜଣ ଆହତ ହୋଇଛନ୍ତି।
ୟୁକ୍ରେନର ସୁମି ଅଞ୍ଚଳରେ ଥିବା କୁସୁମ ଗ୍ରୁପ୍ର ଫାର୍ମା କମ୍ପାନୀର ରୁଷର ଡ୍ରୋନ୍ ଆକ୍ରମଣ ପରେ କାରଖାନାର ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। ୪୦୦ କୋଟି ଟଙ୍କାରୁ ଅଧିକ କ୍ଷୟକ୍ଷତି ହୋଇଥିବା ଆକଳନ କରାଯାଇଛି।
ସୂଚନାଯୋଗ୍ୟ, କୁସୁମ ଗ୍ରୁପ୍ ହେଉଛି ଭାରତୀୟ ଔଷଧ ନିର୍ମାଣକାରୀ କମ୍ପାନୀ। ୧୯୯୪ ମସିହାରେ ୟୁକ୍ରେନକୁ ଭାରତୀୟ ଔଷଧ ରପ୍ତାନି ଓ ବିତରଣରୁ ଏହାର କାର୍ଯ୍ୟ ଆରମ୍ଭ ହୋଇଥିଲା। ପରେ ନିଜସ୍ୱ ବ୍ରାଣ୍ଡର ଔଷଧ ବିକ୍ରି ଏବଂ ଉତ୍ପାଦନ କ୍ଷେତ୍ରରେ କମ୍ପାନୀ ପ୍ରବେଶ କରିଥିଲା। ୨୦୦୭ରେ ଭାରତରେ ଏବଂ ୨୦୦୯ରେ ୟୁକ୍ରେନର ସୁମି ଅଞ୍ଚଳରେ ଏହା ଔଷଧ ଉତ୍ପାଦନ କାରଖାନା ସ୍ଥାପନ କରିଥିଲା। କମ୍ପାନୀ ୫୦ରୁ ଅଧିକ ପ୍ରକାରର ଔଷଧ ଉତ୍ପାଦନ କରୁଥିବାବେଳେ ୟୁକ୍ରେନ ସମେତ ଉଜବେକିସ୍ତାନ, କାଜାଖସ୍ତାନ ଓ ଫିଲିପାଇନ୍ସ ଭଳି ଦେଶରେ ଏହାର ବଜାର ରହିଛି।