ଜନପ୍ରତିନିଧି ଅସୁରକ୍ଷିତ, ସାଧାରଣ ଲୋକଙ୍କ ସୁରକ୍ଷା ବିପର୍ଯ୍ୟସ୍ତ’: ସରକାରଙ୍କୁ ନବୀନଙ୍କ ଟାର୍ଗେଟ
ପ୍ରଣବଙ୍କ ଉପରେ ଆକ୍ରମଣକୁ ନେଇ ବର୍ଷିଲେ ନବୀନ
ଭୁବନେଶ୍ୱର, ୦୪/୧୦: ଧର୍ମଶାଳାର ପୂର୍ବତନ ବିଧାୟକ ତଥା ବିଜୁ ଜନତା ଦଳର ନେତା ପ୍ରଣବ ବଳବନ୍ତରାୟଙ୍କ ଉପରେ ଆକ୍ରମଣ ଘଟଣାକୁ ନେଇ ସରକାରଙ୍କୁ କଡ଼ା ଭାଷାରେ ଟାର୍ଗେଟ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଜେନାପୁର ଥାନା ଅନ୍ତର୍ଗତ ମଧୁପୁରଗଡ଼ ଅଞ୍ଚଳରେ ପ୍ରଣବ ବଳବନ୍ତରାୟଙ୍କ ଉପରେ ହୋଇଥିବା ଆକ୍ରମଣକୁ ନବୀନ ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଛନ୍ତି।
ନବୀନ କହିଛନ୍ତି, ଖୋଲା ଦିବାଲୋକରେ ଜନପ୍ରତିନିଧିଙ୍କ ଉପରେ ମରଣାନ୍ତକ ଆକ୍ରମଣ ହେଉଛି। ପୋଲିସ ଉପସ୍ଥିତିରେ ଜଣେ ଜନପ୍ରତିନିଧିଙ୍କୁ ଜୀବନରୁ ମାରିଦେବା ଭଳି ଆକ୍ରମଣ କରାଯାଉଥିବା ନେଇ ସେ ପ୍ରଶ୍ନ ଉଠାଇଛନ୍ତି। ଏପରି ଘଟଣା ଘଟାଇବା ପାଇଁ ଅପରାଧୀଙ୍କୁ କିଏ ସାହସ ଦେଉଛି ବୋଲି ନବୀନ ପ୍ରଶ୍ନ କରିଛନ୍ତି।
ସେ ଆହୁରି କହିଛନ୍ତି, ଓଡ଼ିଶାରେ ଶାସନ ଆଇନର ଚାଲିଛି ନା ଗୁଣ୍ଡାଙ୍କର ଚାଲିଛି? ତାଙ୍କ ଅଭିଯୋଗ ଅନୁସାରେ, ବର୍ତ୍ତମାନ ସରକାରରେ ଜନପ୍ରତିନିଧି ଅସୁରକ୍ଷିତ ହୋଇପଡ଼ିଥିବା ବେଳେ ସାଧାରଣ ଲୋକଙ୍କ ସୁରକ୍ଷା ମଧ୍ୟ ବିପର୍ଯ୍ୟସ୍ତ ହୋଇଛି।
ଧର୍ମଶାଳା ସମେତ ସାରା ଓଡ଼ିଶାରେ ଏପରି ଘଟଣା ବାରମ୍ବାର ଘଟୁଥିବା ନେଇ ନବୀନ ଅଭିଯୋଗ କରିଛନ୍ତି। ତେବେ ଏହି ଘଟଣାଗୁଡ଼ିକରେ ସରକାରଙ୍କ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳୁନଥିବା ସେ କହିଛନ୍ତି। ଏଭଳି ଅପରାଧିକ କାର୍ଯ୍ୟକୁ କାହିଁକି ସରକାର ପ୍ରଶ୍ରୟ ଦେଉଛନ୍ତି ଏବଂ କାହିଁକି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି।
ନବୀନ ପଟ୍ଟନାୟକ ଆହୁରି କହିଛନ୍ତି ଯେ, ଓଡ଼ିଶା ଏକ ଶାନ୍ତିପ୍ରିୟ ରାଜ୍ୟ। ତେଣୁ ଏଭଳି ଘଟଣା ମାଧ୍ୟମରେ ରାଜ୍ୟରେ ଅଶାନ୍ତିର ବାତାବରଣ ସୃଷ୍ଟି ହେବାକୁ ଦିଆଯିବା ଉଚିତ ନୁହେଁ। ଆଇନଶୃଙ୍ଖଳା ପରିସ୍ଥିତି ନେଇ ସରକାର ଗୁରୁତର ପଦକ୍ଷେପ ନେବା ଆବଶ୍ୟକ ବୋଲି ନବୀନ ଦାବି କରିଛନ୍ତି।
ଶେଷରେ ନବୀନ କହିଛନ୍ତି, ଓଡ଼ିଶାବାସୀ ସବୁ ଦେଖୁଛନ୍ତି ଏବଂ ସବୁର ହିସାବ ରଖୁଛନ୍ତି। ଏପରି ଅରାଜକତା ଓ କୁଶାସନର ଉଚିତ ଜବାବ ଓଡ଼ିଶାବାସୀ ଦେବେ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ଧର୍ମଶାଳା ଗଡ଼ମଧୁପୁର ପଞ୍ଚାୟତରେ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଥିଲା। ଏହାର ପ୍ରତିବାଦରେ ଏସ୍ ପି ଅଫିସ୍ ଆଗରେ ବିଜେଡି କର୍ମୀମାନେ ଧାରଣା ଦେଇଥିଲେ। ଘଟଣାର ନିରପେକ୍ଷ ତଦନ୍ତ କରି ଆକ୍ରମଣକାରୀଙ୍କୁ ଚିହ୍ନଟ କରାଯାଉ ଏବଂ ଆଇନ ଅନୁଯାୟୀ କଡ଼ା ପଦକ୍ଷେପ ନିଆଯାଉ ବୋଲି ସେମାନେ ଦାବି କରିଛନ୍ତି। ଏହି ଆକ୍ରମଣରେ ବିଜେପି କର୍ମୀଙ୍କ ହାତ ଥିବା ଅଭିଯୋଗ କରିଛି ବିଜେଡ଼ି।
ଏ ନେଇ ପ୍ରଣବ କହିଛନ୍ତି, ବିଜେପି କର୍ମୀ ଆମ ଉପରେ ଆକ୍ରମଣ କରିଛନ୍ତି। ଆମେ ପଦଯାତ୍ରା କରି ଲୋକଙ୍କୁ ପାଖକୁ ଯାଇଥିଲା ବେଳେ ଆକ୍ରମଣ ହୋଇଛି। ଜିଲ୍ଲା ପୋଲିସ ସାହସରେ ସେମାନେ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି ପ୍ରଣବ। ତେବେ ଅଭିଯୋଗ ନେଇ ପୋଲିସ କିମ୍ବା ବିଜେପିର ପ୍ରତିକ୍ରିୟା ମିଳିପାରିନି।