ବେଦାନ୍ତ ଆଲୁମିନିୟମ ଝାରସୁଗୁଡ଼ାରେ ସବାଇ ହସ୍ତଶିଳ୍ପ ପ୍ରଶିକ୍ଷଣ ଜରିଆରେ ଗ୍ରାମୀଣ ଜୀବିକାକୁ ସୁଦୃଢ଼ କରୁଛି
ଛଅ ମାସିଆ ବ୍ୟାପକ ପ୍ରଶିକ୍ଷଣ ସମ୍ପନ୍ନ କଲେ ୩୨ରୁ ଅଧିକ କାରିଗର; ପାରମ୍ପରିକ ହସ୍ତଶିଳ୍ପ ସଂରକ୍ଷଣ ସହ ସୃଷ୍ଟି ହେଉଛି ନୂଆ ଜୀବିକା ସୁଯୋଗ
ଝାରସୁଗୁଡ଼ା, ୦୫/୧୦: ଓଡ଼ିଶାର ସାଂସ୍କୃତିକ ପରମ୍ପରା ସହ ଗଭୀର ଭାବେ ଜଡ଼ିତ ସବାଇ ଘାସ ବୁଣାକାମ ଦଶନ୍ଧି ଧରି ଗ୍ରାମୀଣ ଲୋକଙ୍କ ଜୀବିକାର ଏକ ମୁଖ୍ୟ ଆଧାର ହୋଇଆସିଛି। ହସ୍ତନିର୍ମିତ ଓ ପରିବେଶ ଅନୁକୂଳ ସାମଗ୍ରୀର ଚାହିଦା ବଢ଼ୁଥିବା ବେଳେ ପାରମ୍ପରିକ କାରିଗରମାନେ ନୂଆ ଆର୍ଥିକ ସୁଯୋଗ ହାସଲ କରିବା ପାଇଁ ନୂତନ ପ୍ରକାରର ଉତ୍ପାଦ ଓ କୌଶଳ ଆପଣାଇବାର ସୁଯୋଗ ପାଉଛନ୍ତି।
ଏହି ସମ୍ଭାବନାକୁ ଦୃଷ୍ଟିରେ ରଖି ଭାରତର ସର୍ବବୃହତ୍ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଝାରସୁଗୁଡ଼ାର କୁମୁଡ଼ାପାଲି ସବାଇ ପ୍ରଶିକ୍ଷଣ କେନ୍ଦ୍ରରେ ୬ ମାସିଆ ମୌଳିକ ସବାଇ ଘାସ ହସ୍ତଶିଳ୍ପ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜରିଆରେ ୩୨ ଜଣ କାରିଗରଙ୍କୁ ସହାୟତା ପ୍ରଦାନ କରିଛି।
ସବାଇ ଘାସ ଏକ ବହୁମୁଖୀ ପ୍ରାକୃତିକ ତନ୍ତୁ। ଏହାକୁ ହାତରେ ବୁଣି ବିଭିନ୍ନ ପ୍ରକାରର ପରିବେଶ ଅନୁକୂଳ ସାମଗ୍ରୀ, ଯଥା ଟୋକେଇ, ଦୈନନ୍ଦିନ ବ୍ୟବହାର ଉପକରଣ, ଘରସଜ୍ଜା ସାମଗ୍ରୀ ଏବଂ ଜୀବନଶୈଳୀ ସାମଗ୍ରୀ ତିଆରି କରାଯାଇପାରେ। ସରଳ ପ୍ରାକୃତିକ ସମ୍ବଳକୁ ନିଜ ଦକ୍ଷତା ଓ ଧୈର୍ଯ୍ୟରେ ଉପଯୋଗୀ ତଥା ଆକର୍ଷଣୀୟ ସାମଗ୍ରୀରେ ପରିଣତ କରୁଥିବା କାରିଗରମାନଙ୍କ କୌଶଳର ଏହା ଏକ ଉତ୍କୃଷ୍ଟ ଉଦାହରଣ। ଜୀବିକା ସୁଦୃଢ଼ କରିବା ସହ ସବାଇ ହସ୍ତଶିଳ୍ପ ଓଡ଼ିଶାର ସାଂସ୍କୃତିକ ପରିଚୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବେ ରହିଆସିଛି। ଏହା ଗ୍ରାମୀଣ କାରିଗର ସମୁଦାୟର ପାରମ୍ପରିକ ଜ୍ଞାନ, ସୃଜନଶୀଳତା ଓ କାରିଗରୀ ଦକ୍ଷତାକୁ ପ୍ରତିଫଳିତ କରେ।
ଏହି ପଦକ୍ଷେପ ସମ୍ପର୍କରେ ବେଦାନ୍ତ ଆଲୁମିନିୟମ, ଝାରସୁଗୁଡ଼ାର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ସି. ଚନ୍ଦ୍ରୁ କହିଛନ୍ତି, “ପାରମ୍ପରିକ ହସ୍ତଶିଳ୍ପ ଓଡ଼ିଶାର ସାଂସ୍କୃତିକ ଐତିହ୍ୟର ଅବିଚ୍ଛେଦ୍ୟ ଅଂଶ। ଏହା ଗ୍ରାମୀଣ ସମୁଦାୟ ପାଇଁ ସ୍ଥାୟୀ ଜୀବିକାର ସୁଯୋଗ ସୃଷ୍ଟି କରିବାରେ ବିପୁଳ ସମ୍ଭାବନା ରଖେ। କାରିଗରମାନଙ୍କ ଦକ୍ଷତା ବୃଦ୍ଧି ସହ ବଜାର ସହ ସେମାନଙ୍କ ସଂଯୋଗକୁ ସୁଦୃଢ଼ କରିପାରିଲେ ପରିବର୍ତ୍ତିତ ଅର୍ଥନୀତିରେ ପାରମ୍ପରିକ ହସ୍ତଶିଳ୍ପକୁ ପ୍ରାସଙ୍ଗିକ ରଖିବା ସମ୍ଭବ ହେବ। ‘ବେଦକଳା’ ପଦକ୍ଷେପ ଜରିଆରେ ସ୍ଥାନୀୟ ହସ୍ତଶିଳ୍ପ ପରମ୍ପରାର ସଂରକ୍ଷଣ ସହ କାରିଗରମାନଙ୍କୁ ସ୍ଥାୟୀ ଜୀବିକା ଗଢ଼ିବାରେ ସକ୍ଷମ କରିବା ପାଇଁ ଆମେ ପ୍ରତିବଦ୍ଧ।”
ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ବେଦାନ୍ତ ଆଲୁମିନିୟମର ସମୁଦାୟ ବିକାଶ ପଦକ୍ଷେପ ‘ବେଦକଳା’ ଅଧୀନରେ ଆୟୋଜିତ ହୋଇଥିଲା। ପାରମ୍ପରିକ ହସ୍ତଶିଳ୍ପର ସଂରକ୍ଷଣ ଏବଂ ଗ୍ରାମୀଣ ଜୀବିକାକୁ ସୁଦୃଢ଼ କରିବା ଏହି ପଦକ୍ଷେପର ମୁଖ୍ୟ ଲକ୍ଷ୍ୟ। ଝାରସୁଗୁଡ଼ାରେ ସବାଇ ଘାସ ହସ୍ତଶିଳ୍ପ, ବାଉଁଶ ହସ୍ତଶିଳ୍ପ ଓ ସଉରା ଚିତ୍ରକଳା କ୍ଷେତ୍ରରେ ୧୭୫ରୁ ଅଧିକ କାରିଗରଙ୍କୁ ଏହି ପଦକ୍ଷେପ ସହ ଯୋଡ଼ାଯାଇଛି। ଦକ୍ଷତା ବିକାଶ, ଉତ୍ପାଦର ଉନ୍ନତି ଏବଂ ବଜାର ସୁଯୋଗ ଉପଲବ୍ଧ କରାଇବା ଜରିଆରେ କାରିଗରମାନଙ୍କ ଜୀବିକାର ସୁଯୋଗ ବଢ଼ାଇବା ସହ ସ୍ଥାନୀୟ କଳା ଓ ପରମ୍ପରାକୁ ଜୀବନ୍ତ ରଖିବା ଉପରେ ଏହି ପଦକ୍ଷେପ ଗୁରୁତ୍ୱ ଦେଉଛି।
କୁମୁଡ଼ାପାଲି ଗାଁର ସବାଇ ଘାସ ହସ୍ତଶିଳ୍ପ ପ୍ରଶିକ୍ଷଣର ଅନ୍ୟତମ ଅଂଶଗ୍ରହଣକାରୀ ମୀନା ପିଙ୍ଗ କହିଛନ୍ତି, “ସବାଇ ଘାସ ବୁଣାକାମ ପିଢ଼ି ପରେ ପିଢ଼ି ଆମ ଜୀବନର ଅଂଶ ହୋଇଆସିଛି। ଏହି ପ୍ରଶିକ୍ଷଣ ଆମକୁ ପାରମ୍ପରିକ ଭାବେ ମିଳିଥିବା ଦକ୍ଷତାକୁ ଆହୁରି ବିକଶିତ କରିବାରେ ସହାୟତା କରିଛି। ନୂଆ କୌଶଳ ଓ ଡିଜାଇନ ଶିଖିବା ସହ ଆମ ଉତ୍ପାଦ କିପରି ବ୍ୟାପକ ବଜାରରେ ପହଞ୍ଚିପାରିବ, ସେ ସମ୍ପର୍କରେ ମଧ୍ୟ ଆମେ ଜାଣିବାକୁ ପାଇଛୁ। ଏହା ଆମକୁ ନୂଆ ଉତ୍ସାହ ସହ ଏହି ହସ୍ତଶିଳ୍ପକୁ ଜାରି ରଖିବା ଏବଂ ନୂଆ ସୁଯୋଗ ଖୋଜି ପରିବାରର ଆୟକୁ ସହାୟତା କରିବା ପାଇଁ ଆତ୍ମବିଶ୍ୱାସ ଦେଇଛି।”
କାର୍ଯ୍ୟକ୍ରମ ଅବସରରେ ଝାରସୁଗୁଡ଼ା ବ୍ଲକର ବ୍ଲକ କାର୍ଯ୍ୟକ୍ରମ ସଂଯୋଜକ ତଥା ଓଡ଼ିଶା ଜୀବିକା ମିଶନର ସର୍ମିଷ୍ଠା ପରିଚ୍ଛା କହିଛନ୍ତି, “ସବାଇ ହସ୍ତଶିଳ୍ପର ଭବିଷ୍ୟତ କେବଳ ପାରମ୍ପରିକ ଦକ୍ଷତାର ସଂରକ୍ଷଣରେ ସୀମିତ ନୁହେଁ; କଞ୍ଚାମାଲର ଉପଲବ୍ଧତାଠାରୁ ଆରମ୍ଭ କରି ବଜାର ସୁଯୋଗ ପର୍ଯ୍ୟନ୍ତ ସମଗ୍ର ମୂଲ୍ୟ ଶୃଙ୍ଖଳକୁ ସୁଦୃଢ଼ କରିବା ମଧ୍ୟ ଆବଶ୍ୟକ। ସବାଇ ଘାସ ଚାଷକୁ ପ୍ରୋତ୍ସାହନ ଦେବା ଏବଂ ସ୍ଥାନୀୟ ଉତ୍ପାଦକୁ ପ୍ରଦର୍ଶନ କରିବା ପାଇଁ ସୁଯୋଗ ସୃଷ୍ଟି କରିପାରିଲେ କାରିଗରମାନଙ୍କ ସ୍ଥାୟୀ ଜୀବିକା ସୁନିଶ୍ଚିତ କରିବା ସହ ଏହି ସମୃଦ୍ଧ ପରମ୍ପରାକୁ ମଧ୍ୟ ଜୀବନ୍ତ ରଖାଯାଇପାରିବ।”
ବେଦାନ୍ତ ଆଲୁମିନିୟମ ଝାରସୁଗୁଡ଼ାରେ ଜୀବିକା, ଶିକ୍ଷା, ସ୍ୱାସ୍ଥ୍ୟସେବା, କୃଷି, ଉଦ୍ୟମିତା ଏବଂ ସାଂସ୍କୃତିକ ସଂରକ୍ଷଣ ଭଳି କ୍ଷେତ୍ରକୁ କେନ୍ଦ୍ର କରି ବିଭିନ୍ନ ସମାବେଶୀ ବିକାଶମୂଳକ ପଦକ୍ଷେପ ଜାରି ରଖିଛି। ଏହାର ବ୍ୟାପକ ସମୁଦାୟ ବିକାଶ କାର୍ଯ୍ୟକ୍ରମ ଜରିଆରେ ଓଡ଼ିଶା ଓ ଛତିଶଗଡ଼ର ୧୦ ଲକ୍ଷରୁ ଅଧିକ ଲୋକ ଉପକୃତ ହେଉଛନ୍ତି।