ଅନୁଗୋଳ ଠାରେ ‘ସେବା ଜ୍ୟୋତି ଯାତ୍ରା’ରେ ସାମିଲ ହେଲେ ସାଂସଦ
ଆଭାସୀ ମାଧ୍ୟମରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନକୁ ଶୁଣିଲେ, 'ସେବା ଜ୍ୟୋତି ପ୍ରଜ୍ଜ୍ୱଳନ' କରିବା ସହ ‘ସେବା ଜ୍ୟୋତି ସ୍ଥାପନା’ ପଦଯାତ୍ରାରେ ହେଲେ ସାମିଲ
ପ୍ରଧାନମନ୍ତ୍ରୀଙ୍କ “ୱି ୱିଲ ଡୁ ଇଟ” ଆତ୍ମବିଶ୍ୱାସ ମନ୍ତ୍ରକୁ ପାଥେୟ କରି ଆଗକୁ ବଢ଼ିବା: ଧର୍ମେନ୍ଦ୍ର ପ୍ରଧାନ
ଅନୁଗୋଳ, ୦୭/୧୦: ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ନିରନ୍ତର ୨୫ ବର୍ଷର ନିଷ୍ଠାପର ଜନସେବା, ସୁଶାସନ ଓ ବିକାଶ ପୂର୍ତ୍ତି ଅବସରରେ ଅନୁଗୋଳ ଠାରେ ‘ସେବା ଜ୍ୟୋତି ଯାତ୍ରା’ ଓ ‘ସେବା ସଙ୍କଳ୍ପ ଅଭିଯାନ’ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ସାଂସଦ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ‘ସେବା ଜ୍ୟୋତି ସ୍ଥାପନା’ ଉଦ୍ଦେଶ୍ୟରେ ଆୟୋଜିତ ବିଶାଳ ପଦଯାତ୍ରାର ନେତୃତ୍ୱ ନେଇଥିଲେ ।
କାର୍ଯ୍ୟକ୍ରମ ଅବସରରେ ମାନ୍ୟବର ପ୍ରଧାନମନ୍ତ୍ରୀ ଆଭାସୀ ମାଧ୍ୟମରେ ସମଗ୍ର ଦେଶବାସୀଙ୍କୁ ସମ୍ବୋଧନ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ଏହି ସମ୍ବୋଧନକୁ ଶୁଣିବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ, ୨୦୦୧ ମସିହା ଅକ୍ଟୋବର ୭ ତାରିଖରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ମୋଦୀଜୀ ଯେଉଁ ‘ସେବା ଯାତ୍ରା’ ଆରମ୍ଭ କରିଥିଲେ, ତାହା ଆଜି ସାରା ଦେଶକୁ ବିକାଶର ଏକ ନୂଆ ଦିଶା ଦେଖାଇଛି । ଦେଶବାସୀଙ୍କ ବିଶ୍ୱାସ ଓ ନିଷ୍ଠା ହିଁ ପ୍ରଧାନମନ୍ତ୍ରୀଙ୍କ ସବୁଠାରୁ ବଡ଼ ଶକ୍ତି । କେବଳ ବ୍ୟକ୍ତିଗତ ପଦବୀ ନୁହେଁ, ବରଂ ‘ରାଷ୍ଟ୍ର ପ୍ରଥମ’ ଓ ମିଶନ ଭାବନାକୁ ନେଇ କାର୍ଯ୍ୟ କରିବା ଦ୍ୱାରା ହିଁ ଆଜି ଭାରତ ବିଶ୍ୱ ଦରବାରରେ ଏକ ଆତ୍ମନିର୍ଭର ଓ ଶକ୍ତିଶାଳୀ ରାଷ୍ଟ୍ର ଭାବେ ଉଭା ହୋଇପାରିଛି ।
ମାନନୀୟ ପ୍ରଧାନମନ୍ତ୍ରୀ ଆଜି ଦେଶବାସୀଙ୍କୁ “We Will Do It” ର ନୂଆ ଆତ୍ମବିଶ୍ୱାସ ମନ୍ତ୍ର ଦେଇଛନ୍ତି । ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ, ପ୍ରଯୁକ୍ତିବିଦ୍ୟା ଓ ସମସ୍ତ କ୍ଷେତ୍ରରେ ଶ୍ରେଷ୍ଠତା ହାସଲ କରିବା ଆମ ସମସ୍ତଙ୍କର ସାମୂହିକ ସଂକଳ୍ପ । ଏହି ପ୍ରେରଣାଦାୟୀ ବାର୍ତ୍ତା ପ୍ରତ୍ୟେକ ଭାରତୀୟଙ୍କ ମନରେ ନୂତନ ଉତ୍ସାହ ଭରିଛି । ଆଦରଣୀୟ ପ୍ରଧାନମନ୍ତ୍ରୀ ଜନସେବା ଓ ସୁଶାସନର ୨୫ ବର୍ଷ ପୂରଣ କରିବା ଆମ ସମସ୍ତ ଭାରତୀୟଙ୍କ ପାଇଁ ଗର୍ବର ବିଷୟ । ପ୍ରଧାନମନ୍ତ୍ରୀଙ୍କ ‘ସେବା ମନ୍ତ୍ର’ ଓ ‘ସ୍ୱଦେଶୀ’ ଭାବନାକୁ ଆପଣେଇ ଆମକୁ ‘ବିକଶିତ ଓଡ଼ିଶା’ ଏବଂ ‘ବିକଶିତ ଭାରତ’ର ସ୍ୱପ୍ନକୁ ସାକାର କରିବାକୁ ହେବ । ଏହି ଅବସରରେ ଶ୍ରୀ ପ୍ରଧାନ ମହାପ୍ରଭୁ ଓ ମାଆ ସମଲେଇଙ୍କ ପାଖରେ ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରିଛନ୍ତି ।
ଏହି ଯାତ୍ରାର ଏକ ମୁଖ୍ୟ ଅଂଶ ଭାବେ ଅନୁଗୋଳ ଠାରେ ଆୟୋଜିତ ‘ସେବା ଜ୍ୟୋତି ପ୍ରଜ୍ଜ୍ୱଳନ’ ଏବଂ ‘ସେବା ଜ୍ୟୋତି ସ୍ଥାପନା’ ପଦଯାତ୍ରାରେ ଶ୍ରୀ ପ୍ରଧାନ ଶ୍ରଦ୍ଧା ଓ ଉତ୍ସାହର ସହ ସାମିଲ ହୋଇଥିଲେ । ଏହି ପଦଯାତ୍ରା କେବଳ ଏକ ଚାଲିବା କାର୍ଯ୍ୟକ୍ରମ ନୁହେଁ, ବରଂ ଜନଭାଗୀଦାରୀ ଓ ରାଷ୍ଟ୍ର ନିର୍ମାଣର ଏକ ଶକ୍ତିଶାଳୀ ସଂକଳ୍ପ ବୋଲି ସେ କହିଛନ୍ତି ।
‘ସେବା ସଙ୍କଳ୍ପ ଅଭିଯାନ’ ଅନ୍ତର୍ଗତ ଶ୍ରୀ ପ୍ରଧାନ ଅନୁଗୋଳ ଜିଲ୍ଲା ତୁରଙ୍ଗ ସ୍ଥିତ ଅଙ୍ଗନଓ୍ୱାଡ଼ି(ଖ) କେନ୍ଦ୍ର ପରିଦର୍ଶନ କରିବା ସହ ଶିଶୁ, ଅଙ୍ଗନଓ୍ୱାଡ଼ି, ଆଶା କର୍ମୀ ଏବଂ ହିତାଧିକାରୀଙ୍କ ସହ ସମୟ ଅତିବାହିତ କରିଥିଲେ । ସେଠାରେ ଶିଶୁ ସୁରକ୍ଷା, ମାତୃ କଲ୍ୟାଣ, ସ୍ୱଚ୍ଛତା ଓ ନିଶା ନିବାରଣ ପାଇଁ ସାମୂହିକ ଶପଥ ଗ୍ରହଣ କରାଯାଇଥିଲା। ଶ୍ରୀ ପ୍ରଧାନ କହିଛନ୍ତି ଯେ, ସରକାରୀ ଯୋଜନା ସହ ସମାଜର ଆନ୍ତରିକ ସହଯୋଗ ମିଶିଲେ ହିଁ ଆମ ଶିଶୁମାନଙ୍କ ସଠିକ୍ ପୋଷଣ, ଉତ୍ତମ ଯତ୍ନ ଓ ଉଜ୍ଜ୍ୱଳ ଭବିଷ୍ୟତ ନିଶ୍ଚିତ ହୋଇପାରିବ। ଆମର ଆଗାମୀ ପିଢ଼ି ହିଁ ୨୦୩୬ ‘ବିକଶିତ ଓଡ଼ିଶା’ ଓ ୨୦୪୭ ‘ବିକଶିତ ଭାରତ’ର ପ୍ରକୃତ ମୂଳଦୁଆ। ଡବଲ ଇଞ୍ଜିନ ସରକାର ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଶିଶୁଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ ମାତୃ ସୁରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ ।