ବିଧାନସଭା ପରିସରରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ଜୟନ୍ତୀ ପାଳିତ
ଶାଶ୍ୱତୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ଦେଶାତ୍ମବୋଧକ ସଂଗୀତ ପରିବେଷିତ
ଭୁବନେଶ୍ୱର, ୦୯/୧୦: ମାନବସେବାକୁ ଜୀବନର ବ୍ରତ ଭାବେ ଗ୍ରହଣ କରିଥିବା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ନିରାଶ୍ରୟ ଓ ନିଃସହାୟ ବ୍ୟକ୍ତିମାନଙ୍କର ସେବାକରି ନିଜର ସେବା ମନୋବୃତ୍ତିକୁ ଯେଭଳି ଚରିତାର୍ଥ କରିଥିଲେ, ସେଭଳି ଯୁବସମାଜକୁ ଆଦର୍ଶ ମାର୍ଗରେ ଗଢ଼ିତୋଳିବା ପାଇଁ ସର୍ବଦା ତତ୍ପର ଥିଲେ । ବନ୍ୟା, ବାତ୍ୟା, ମରୁଡ଼ି, ଦୁର୍ବିପାକରେ ପ୍ରପୀଡ଼ିତ ଜନତାଙ୍କୁ ନିଃସ୍ୱାର୍ଥ ସେବା, ସାହାଯ୍ୟ ଓ ସହାନୁଭୂତି ଯୋଗାଇଦେଇ ପଣ୍ଡିତ ଗୋପବନ୍ଧୁ ମାନବୀୟ ଗୁଣ ଏବଂ ଚିନ୍ତା-ଚେତନାରେ ଉତ୍କଳୀୟ ଭାବନା ରଖି ଜାତୀୟତାର ଉଦାହରଣ ସୃଷ୍ଟି କରିଯାଇଛନ୍ତି ।
ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୯ତମ ଜୟନ୍ତୀ ପାଳନ ଅବସରରେ ଆଜି ବିଧାନସଭା ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ, ବିଧାୟକ ଶ୍ରୀ ବାବୁ ସିଂ ଓ ଶ୍ରୀ ଛବି ମଲ୍ଲିକ, ପୂର୍ବତନ ମନ୍ତ୍ରୀ ଶ୍ରୀ ଅରବିନ୍ଦ ଢାଲି, ପୂର୍ବତନ ବିଧାୟକ ଶ୍ରୀ ପଦ୍ମଚରଣ ନାୟକ ଓ ଶ୍ରୀ ପି୍ରୟଦର୍ଶୀ ମିଶ୍ର, ଉତ୍କଳ ସମ୍ମିଳନୀର କାର୍ଯ୍ୟକର୍ତ୍ତା, ପୂଜ୍ୟପୂଜା ସଂସଦର ବରିଷ୍ଠ ସଦସ୍ୟ, ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା, ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ ଶ୍ରୀ ସଞ୍ଜୟ କୁମାର ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାର୍ଘ୍ୟ ଅର୍ପଣପୂର୍ବକ ଶ୍ରାଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।
ଏହି ଅବସରରେ ଶାଶ୍ୱତୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ଦେଶାତ୍ମବୋଧକ ସଂଗୀତ ପରିବେଷିତ ହୋଇଥିଲା । ଲୋକସମ୍ପର୍କ ଅଧିକାରୀ ଅଂଶୁମାନ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।