ପାକିସ୍ତାନରେ ଜରୁରୀକାଳୀନ ପରିସ୍ଥିତି

ଗଭର୍ଣ୍ଣର ଶାସନ ଘୋଷଣା କଲେ ଶେହବାଜ

ଇସଲାମାବାଦ, ୧୧/୧୦: ପାକିସ୍ତାନରେ ଦେଖାଦେଇଛି ରାଜନୈତିକ ସଙ୍କଟ। ଦେଶର ଖାଇବର ପାଖତୁନଖ୍ୱା ପ୍ରଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବା ସହ ଗଭର୍ଣ୍ଣର ଶାସନ ଘୋଷଣା କରିଛନ୍ତି ଦେଶର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ। ଏହା ସହିତ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଦଳ ‘ପାକିସ୍ତାନ ତହରିକ-ଏ-ଇନସାଫ୍’ (ପିଟିଆଇ) ର ଶେଷ ପ୍ରାଦେଶିକ ସରକାର ମଧ୍ୟ କ୍ଷମତାରୁ ହଟିଯାଇଛି।

ପାକିସ୍ତାନର ରାଷ୍ଟ୍ରପତି ଆସିଫ୍ ଅଲି ଜରଦାରୀ ଖାଇବର ପାଖତୁନଖ୍ୱା ପ୍ରଦେଶରେ ଜରୁରୀକାଳୀନ ସ୍ଥିତି ଲାଗୁ କରିବା ପାଇଁ ଅନୁମୋଦନ ଦେଇଛନ୍ତି। ଏହାଦ୍ୱାରା ପ୍ରଦେଶରେ ପିଟିଆଇ (PTI) ଦଳ ଦ୍ୱାରା ପରିଚାଳିତ ସରକାରର ଅନ୍ତ ଘଟିଛି ଏବଂ ପ୍ରଦେଶର ଶାସନଭାର ସିଧାସଳଖ ଗଭର୍ଣ୍ଣରଙ୍କ ହାତକୁ ଚାଲିଯାଇଛି।

କେନ୍ଦ୍ରୀୟ ଶାସକ ଦଳ ଏବଂ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ ସରକାରଙ୍କ କ୍ୟାବିନେଟ୍ ଅଭିଯୋଗ କରିଛି ଯେ, ଖାଇବର ପାଖତୁନଖ୍ୱା ପ୍ରଦେଶ ସରକାର ଆତଙ୍କବାଦ ଦମନ ଏବଂ ଆଇନଶୃଙ୍ଖଳା ରକ୍ଷା କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି।

ଅନ୍ୟପଟେ ଇମ୍ରାନ ଖାନଙ୍କ ମୁକ୍ତି ଦାବି କରି ଏବଂ କେନ୍ଦ୍ର ସରକାରଙ୍କ ବିରୋଧରେ ପିଟିଆଇ ଦଳ ପକ୍ଷରୁ ଏକ ବିରାଟ ଶୋଭାଯାତ୍ରା ଓ ଆନ୍ଦୋଳନର ଡାକରା ଦିଆଯାଇଥିଲା। ଏହି ପ୍ରତିବାଦ ଏବଂ ଉତ୍ତେଜନାପୂର୍ଣ୍ଣ ସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏହି କଠିନ ପଦକ୍ଷେପ ନେଇଛନ୍ତି‌ ବୋଲି କହିଛି ପିଟିଆଇ। ପିଟିଆଇ ଏହି ପଦକ୍ଷେପକୁ ଦୃଢ଼ ବିରୋଧ କରିଛି। ଏହାକୁ ଏକ “ରାଜନୈତିକ ଷଡ଼ଯନ୍ତ୍ର” ଏବଂ ଦଳକୁ ଦୁର୍ବଳ କରିବା ପାଇଁ ଏକ କୌଶଳ ବୋଲି ଅଭିଯୋଗ କରିଛି।

ଖାଇବର ପାଖତୁନଖ୍ୱା ହେଉଛି ପଠାନ ସମ୍ପ୍ରଦାୟର ମୁଖ୍ୟ ଗଡ଼ ଏବଂ ଇମ୍ରାନ ଖାନଙ୍କ ଦଳ ପାଇଁ ଏହା ଏକମାତ୍ର ଶକ୍ତିଶାଳୀ ପ୍ରାଦେଶିକ ସରକାର ଥିଲା, ଯାହାଙ୍କ ହାତରୁ ଏବେ କ୍ଷମତା ଚାଲିଯାଇଛି। ଏହି ନିଷ୍ପତ୍ତି ପାକିସ୍ତାନର ରାଜନୈତିକ ଅସ୍ଥିରତାକୁ ଆହୁରି ଅଧିକ ଜଟିଳ କରିଛି।