ସ୍କୁଲରେ ଭୟଙ୍କର ବିସ୍ଫୋରଣ: ୬ ଛାତ୍ରଛାତ୍ରୀ ମୃତ, ୯୭ ଆହତ

ଉଦ୍ଧାରକାର୍ଯ୍ୟ ଜାରି, ଆହୁରି ବଢ଼ିପାରେ ମୃତାହତଙ୍କ ସଂଖ୍ୟା

କାବୁଲ, ୨୮/୧୧: ଆଫଗାନିସ୍ତାନର ଏକ ସ୍କୁଲ ନିକଟରେ ଘଟିଛି ଭୟଙ୍କର ବିସ୍ଫୋରଣ। ଏକ ବିଦ୍ୟାଳୟ ନିକଟରେ ଥିବା ଘରେ ବିସ୍ଫୋରଣ ହେବାରୁ ଅତି କମରେ ୬ ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଥିବାବେଳେ ୯୭ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଅନେକ ଛାତ୍ରଛାତ୍ରୀ ଥିବା ଜଣାପଡ଼ିଛି।

ଶନିବାର ସକାଳ ପ୍ରାୟ ୧୦ଟା ସମୟରେ କୁନାର ପ୍ରଦେଶର ଆନ୍ଦାର ସେର ଅଞ୍ଚଳରେ ଥିବା ଏକ ବିଦ୍ୟାଳୟ ନିକଟସ୍ଥ ଘରେ ଏହି ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣରେ ଘରଟି କ୍ଷତିଗ୍ରସ୍ତ ହେବା ସହ ଏହାର ପ୍ରଭାବରେ ଅନେକ ଲୋକ ଆହତ ହୋଇଛନ୍ତି।

କୁନାର ପ୍ରାଦେଶିକ ହସ୍ପିଟାଲର ମୁଖ୍ୟ ମୌଲା ଦାଦ୍ ଆଲ୍‌ ଜଜିରାକୁ କହିଛନ୍ତି ଯେ, ଏହି ବିସ୍ଫୋରଣରେ ଅତି କମରେ ୬ ଜଣ ଛାତ୍ରଙ୍କ ଜୀବନ ଯାଇଛି ଏବଂ ୯୭ ଜଣ ଆହତ ହୋଇଛନ୍ତି। ତେବେ ଏହା ପ୍ରାଥମିକ ଆକଳନ। ଆଗକୁ ମୃତାହତଙ୍କ ସଂଖ୍ୟା ବଢିପାରେ ବୋଲି ସେ ସୂଚନା ଦେଇଛନ୍ତି।

କୁନାର ପ୍ରଦେଶର ସୂଚନା ଓ ସଂସ୍କୃତି ନିର୍ଦ୍ଦେଶକ ମୌଲବୀ ସାମି-ଉଲ୍-ହକ୍‌ଙ୍କ ସୂଚନା ଅନୁଯାୟୀ, ବିସ୍ଫୋରଣ ଘଟିଥିବା ଘରଟି ଖଣି ଖନନ କାର୍ଯ୍ୟରେ ଜଡ଼ିତ କିଛି ଲୋକଙ୍କର। ସେମାନେ ଘରେ ଡାଇନାମାଇଟ୍‌ ଗଚ୍ଛିତ କରି ରଖିଥିଲେ। ଏହି ଡାଇନାମାଇଟ୍‌ ବିସ୍ଫୋରଣର କାରଣ ହୋଇଥାଇପାରେ ବୋଲି ଜଣାପଡ଼ିଛି। ତେବେ କେଉଁ ପରିସ୍ଥିତିରେ ଏହା ବିସ୍ଫୋରଣ ହେଲା, ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ।

ଘଟଣା ପରେ କୁନାର ପ୍ରଦେଶର ତଦନ୍ତକାରୀ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ବିସ୍ଫୋରଣର ପ୍ରକୃତ କାରଣ ଏବଂ କ୍ଷୟକ୍ଷତିର ନେଇ ଅଧିକ ସୂଚନା ଦିଆଯାଇନାହିଁ।