ଯାଜପୁର, ୧୨/୧୦: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଧର୍ମଶାଳାର ସହକାରୀ ବ୍ଲକ୍ ଶିକ୍ଷା ଅଧିକାରୀ (ଏବିଇଓ) ଜୟଦେବ ଜେନାଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ। ଜୟଦେବଙ୍କ ସହ ଜଡ଼ିତ ୭ଟି ସ୍ଥାନରେ ସୋମବାର ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ।
ଭିଜିଲାନ୍ସର ସୂଚନା ଅନୁଯାୟୀ, ବ୍ରହ୍ମପୁରର ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍ଙ୍କ ପକ୍ଷରୁ ଜାରି ସର୍ଚ୍ଚ ୱାରେଣ୍ଟ ଆଧାରରେ ଏହି ଯାଞ୍ଚ ଚାଲିଛି। ଚଢ଼ାଉରେ ୩ ଜଣ ଅତିରିକ୍ତ ଏସ୍ପି, ୪ ଜଣ ଡିଏସ୍ପି, ୯ ଜଣ ଇନ୍ସପେକ୍ଟରଙ୍କ ସମେତ ଅନ୍ୟ କର୍ମଚାରୀ ସାମିଲ ହୋଇଛନ୍ତି।
ଜୟଦେବ ଜେନା ଓ ତାଙ୍କ ସମ୍ପର୍କୀୟଙ୍କ ସହ ଜଡ଼ିତ ଭୁବନେଶ୍ୱର, ଗଞ୍ଜାମ ଓ ଯାଜପୁର ଜିଲ୍ଲାର ୭ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ଯାଞ୍ଚ କରୁଛି। ଏଥିମଧ୍ୟରେ ଭୁବନେଶ୍ୱରର ପାତ୍ରପଡ଼ାରେ ଥିବା ଏକ ତିନି ମହଲା କୋଠା, ଗଞ୍ଜାମ ଜିଲ୍ଲାର ପି. ନୂଆଗାଁରେ ଥିବା ଏକ ଦୁଇ ମହଲା କୋଠା ଏବଂ ସେହି ଅଞ୍ଚଳରେ ଥିବା ଅନ୍ୟ ଏକ କୋଠା ରହିଛି।
ସେହିପରି ଗଞ୍ଜାମ ଜିଲ୍ଲାର ବୁରୁଝରିଠାରେ ଥିବା ତାଙ୍କର ଜଣେ ସମ୍ପର୍କୀୟଙ୍କ ଘର ଏବଂ ଭୁବନେଶ୍ୱରର ଖଣ୍ଡଗିରିସ୍ଥିତ ଜନନୀ ବିହାରରେ ଥିବା ଅନ୍ୟ ଜଣେ ସମ୍ପର୍କୀୟଙ୍କ ଘରେ ମଧ୍ୟ ଚଢ଼ାଉ କରାଯାଇଛି।
ଏହାବ୍ୟତୀତ ଯାଜପୁର ଜିଲ୍ଲାର ଜାରକାଠାରେ ଥିବା ଜୟଦେବ ଜେନାଙ୍କ ଭଡ଼ା ଘର ଏବଂ ତାଙ୍କ କାର୍ଯ୍ୟାଳୟରେ ମଧ୍ୟ ଭିଜିଲାନ୍ସ ଟିମ୍ ଯାଞ୍ଚ ଚଳାଇଛି।