ଭୁବନେଶ୍ୱର, ୧୧/୧୦: ରାଜଧାନୀ ଭୁବନେଶ୍ୱରର କେଶୁରା ଅଞ୍ଚଳରେ ଘଟିଥିବା ସିରିଜ୍ ଦୁର୍ଘଟଣା ଘଟଣାରେ ଆସିଛି ନୂଆ ମୋଡ଼। ଏହା କେବଳ ଏକ ଦୁର୍ଘଟଣା ନୁହେଁ, ବରଂ ଜାଣିଶୁଣି କାର୍ ଚଢ଼ାଇ ହତ୍ୟା ଉଦ୍ୟମ କରାଯାଇଥିବା ସନ୍ଦେହ ସୃଷ୍ଟି ହୋଇଛି। ସାମ୍ନାକୁ ଆସିଥିବା ସିସିଟିଭି ଫୁଟେଜ୍ରୁ ଘଟଣା ସମ୍ପର୍କରେ ଏଭଳି ସାଂଘାତିକ ତଥ୍ୟ ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଏକ ଢାବାରେ କର୍ମଚାରୀଙ୍କ ସହ ଜଣେ ଯୁବକଙ୍କର ଗଣ୍ଡଗୋଳ ହୋଇଥିଲା। ଏହା ପରେ ଯୁବକ ଜଣକ କାର୍ ନେଇ ଆସି ଲୋକଙ୍କ ଉପରେ ଗାଡ଼ି ଚଢ଼ାଇ ଦେଇଥିବା ଅଭିଯୋଗ ହୋଇଛି। ଫଳରେ ୩ ଜଣ ଆହତ ହୋଇଥିବା ବେଳେ ୭ଟି ବାଇକ୍ ଭାଙ୍ଗିଯାଇଛି।
ଅନ୍ୟପଟେ, ଦୁର୍ଘଟଣା ଘଟାଇବା ପରେ ଅଭିଯୁକ୍ତ ଯୁବକ ଜଣକ ଏକ ବସ୍ରେ ଫେରାର ହେବାକୁ ଉଦ୍ୟମ କରିଥିବା ଜଣାପଡ଼ିଛି। ତେବେ ସ୍ଥାନୀୟ ଲୋକେ ତାଙ୍କୁ କାବୁ କରି ମାଡ଼ ମାରିଥିଲେ। ପରେ ବଡ଼ଗଡ଼ ଥାନା ପୋଲିସ ଯୁବକଙ୍କୁ ଅଟକ ରଖିଛି।
ସିସିଟିଭି ଫୁଟେଜ୍କୁ ଆଧାର କରି ପୋଲିସ ଘଟଣାର ତଦନ୍ତ କରୁଛି। ଢାବାରେ ହୋଇଥିବା ଗଣ୍ଡଗୋଳ ଏବଂ ପରବର୍ତ୍ତୀ ଘଟଣା ମଧ୍ୟରେ କି ସମ୍ପର୍କ ରହିଛି, ତାହା ତଦନ୍ତରୁ ସ୍ପଷ୍ଟ ହେବ। ଏହା ଏକ ଯୋଜନାବଦ୍ଧ ହତ୍ୟା ଉଦ୍ୟମ ଥିଲା କି ନାହିଁ, ପୋଲିସ ତାହା ଯାଞ୍ଚ କରୁଛି।