ଓଡ଼ିଶା ହକିକୁ ଅବହେଳା କରୁଛି ବିଜେପି ସରକାର: ବିଜେଡି
ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ଶିଖର ଛୁଇଁଥିଲା ଓଡ଼ିଶା ହକି
ଓଡିଆ ଅସ୍ମିତାକୁ ରକ୍ଷା କରିବାକୁ ଭୁଲି ଗଲେଣି ରାଜ୍ୟ ସରକାର
ଭୁବନେଶ୍ୱର, ୧୨/୧୦: ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ଓଡ଼ିଶା ହକି ଆନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ହୋଇ ଶିଖର ଛୁଇଁଥିଲା କିନ୍ତୁ ବର୍ତ୍ତମାନ ଡବଲ ଇଞ୍ଜିନ ସରକାରଙ୍କ ହକି ପ୍ରତି ଉଦାସୀନତା ମନୋଭାବ ଯୋଗୁଁ ପରିଚୟ ହରାଇବାରେ ଲାଗିଛି । ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଧାୟକ ତଥା ପୂର୍ବତନ କ୍ରୀଡ଼ା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଓ ଗଣମାଧ୍ୟମ ସଂଯୋଜକ ଡ.ଲେନିନ୍ ମହାନ୍ତି ଓଡ଼ିଶାର ହକି ପ୍ରତି ଅବହେଳା ନେଇ ବିଜେପି ସରକାରଙ୍କୁ ସମାଲୋଚନା କରିଛନ୍ତି ।
ବିଧାୟକ ଶ୍ରୀ ବେହେରା କହିଛନ୍ତି ଯେ, ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ନିରନ୍ତର ପ୍ରୟାସ ଫଳରେ ହକିରେ ଓଡ଼ିଶା, ସମଗ୍ର ଭାରତରେ ଶିଖରରେ ପହଞ୍ଚିଥିଲା । ଓଡ଼ିଶାରେ ଦୁଇ ଥର ହକି ବିଶ୍ୱ କପ୍ ଆୟୋଜନ କରାଯାଇଥିଲା । ହକି ଖେଳର ଉନ୍ନତି ପାଇଁ ଓଡ଼ିଶାରେ ଅନ୍ତର୍ଜାତୀୟ ସ୍ତରର ନୂତନ ଷ୍ଟାଡିୟମ୍ ନିର୍ମାଣ କରିଥିଲେ । ଯାହା ପାଇଁ ଦେଶ ବିଦେଶରେ ଓଡ଼ିଶା ହକିର ନୂତନ ପରିଚୟ ହାସଲ କରିଥିଲା । କିନ୍ତୁ ବର୍ତ୍ତମାନର ଡବଲ ଇଞ୍ଜିନ ସରକାରରେ ଗତ ଅଢେଇ ବର୍ଷ ମଧ୍ୟରେ ଓଡ଼ିଶା ହକି ନିଜ ପରିଚୟ ହରାଇଛି । ଓଡ଼ିଶାରେ ହକି ଏକ ଭାବନା । ତାହାକୁ ବିଜେପି ସରକାର ଭୁଲି ଯାଇଛନ୍ତି । ଗତ ଅକ୍ଟୋବର ୬ ତାରିଖରେ ହକି ଇଣ୍ଡିଆର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକ ପରେ ଓଡ଼ିଶା ହକି ସଂଘକୁ ହକି ଇଣ୍ଡିଆ ଆସୋସିଏସନ୍ ଏକ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି । ଯେଉଁଥିରେ ପଚରାଯାଇଛି କାହିଁକି ଓଡ଼ିଶା ହକିର ମାନ୍ୟତା “ସ୍ଥାୟୀ ସଦସ୍ୟ”ରୁ “ସହଯୋଗୀ ସଦସ୍ୟ”କୁ ପୁନଃ ନବୀକରଣ କରିବା, ଜାତୀୟ ମହାସଂଘର ବାଇ-ଲ (ନିୟମାବଳୀ) ପାଳନରେ ଅବହେଳା ହୋଇଛି, ସ୍ଥାୟୀ ସଦସ୍ୟତାକୁ ସହଯୋଗୀ ସଦସ୍ୟତାକୁ ପରିବର୍ତ୍ତନ କରିବା ଆଦି ପ୍ରସ୍ତାବ ରଖାଯାଇଛି । ରାଜ୍ୟ ଓ ଜିଲ୍ଲା ସ୍ତର କମିଟି ମାନେ ସ୍ୱାଧୀନ ଭାବେ କାର୍ଯ୍ୟ କରି ପାରୁନାହାନ୍ତି । ଓଡ଼ିଶା ହକି ଯିଏ ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସା ସାଉଁଟି ଥିବା ବେଳେ ଆଜି କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ବିଜେପି ସରକାରଙ୍କ ପାଇଁ ଓଡ଼ିଶା ଜାତୀୟ ସ୍ତରରେ ଲଜ୍ଜିତ ହେଉଛି । ଓଡ଼ିଆ ଅସ୍ମିତା ରକ୍ଷା କରିବା ପାଇଁ ବିଜେପି ସରକାର ଭୁଲି ଗଲେଣି କି ପ୍ରଶ୍ନ କରିଛନ୍ତି । ହକି ଓଡ଼ିଶାର ଭାବନା ସହ ଜଡ଼ିତ ଥିବା ବେଳେ ଡବଲ ଇଞ୍ଜିନ ସରକାରଙ୍କ ଅପାରଗ ପଣିଆ ପାଇଁ ଆଜି ପରିଚୟ ହରାଇବାକୁ ଯାଉଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ରାଉରକେଲାରେ ହକି ଷ୍ଟାଡିୟମ୍ ହୋଇଥିଲା । ସରକାରୀ ପ୍ରୋତ୍ସାହନ ପାଇ ହକି ଖେଳାଳି ମାନେ ଉନ୍ନତ ମାନର କ୍ରୀଡ଼ା ପ୍ରଦର୍ଶନ କରୁଥିଲେ । କିନ୍ତୁ ବର୍ତ୍ତମାନ ଓଡ଼ିଶାର ପ୍ରାଣକେନ୍ଦ୍ର ହକି ଖେଳ ତାହାର ପରିଚୟ ହରାଇବାକୁ ଲାଗିଛି । ବିଜେପି ସରକାରଙ୍କ ଚରମ ଅବହେଳା ଯୋଗୁଁ ଓଡ଼ିଶା ହକିକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି । ଯାହାକି ଓଡ଼ିଶା ପାଇଁ ଅତି ନିନ୍ଦନୀୟ । ଓଡ଼ିଶାର ହକି ପରିଚୟ ଦିନକୁ ଦିନ ନିମ୍ନଗାମୀ ହେଉଥିବା ବେଳେ ତାହାକୁ ରୋକିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରନ୍ତୁ ।
ଡ଼ ମହାନ୍ତି କହିଛନ୍ତି ଯେ, ଡବଲ ଇଞ୍ଜିନ ସରକାର ନିର୍ବାଚନ ସମୟରେ ଓଡ଼ିଆ ଅସ୍ମିତାର ଡିଣ୍ଡିମ ପିଟୁଥିଲେ । କିନ୍ତୁ ବର୍ତ୍ତମାନ ଓଡ଼ିଆ ଅସ୍ମିତା ରକ୍ଷା କରିବା ପାଇଁ ବିଜେପି ସରକାର ଭୁଲି ଯାଇଛନ୍ତି । ଓଡ଼ିଶାର ବିକାଶ ପାଇଁ ରାଜ୍ୟ ସରକାରଙ୍କ ମାନସିକତା ନାହିଁ । ଯେଉଁ ହକି ଖେଳ ପାଇଁ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶା ଗୌରବ ଅର୍ଜନ କରିଥିଲା । ଓଡ଼ିଶା ସବୁଠି ଆଦୃତ ହେଉଥିଲା । ବିଜେପି ସରକାରଙ୍କ ବିଫଳତା ଯୋଗୁଁ ସେ ପରିଚୟ ହରାଇଛି । ଓଡ଼ିଶାରେ କ୍ରୀଡ଼ାର ବିକାଶ ପାଇଁ କ୍ରୀଡ଼ା ମନ୍ତ୍ରୀ ଭୁଲି ଯାଇଛନ୍ତି । ଦୌଡ଼ ଟ୍ରାକ ଉପରେ ମନ୍ତ୍ରୀ ଗାଡି ଚଳାଇଥିଲେ । ଯାହା ଫଳରେ ହକି ଖେଳ ପ୍ରତି ଲୋକଙ୍କ ବିଶ୍ୱାସ ଭାଙ୍ଗିଯାଇଛି । ସୁନ୍ଦରଗଡ ଜିଲ୍ଲା ହେଉଛି ହକି ଖେଳର ଏନ୍ତୁଡ଼ିଶାଳ । ଯାହାକୁ ଉନ୍ନତି ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ପ୍ରୟାସ ସଦା ପ୍ରଶଂସିତ ରହିଛି । ସୁନ୍ଦରଗଡ ହକି ଖେଳାଳି ଆଗକୁ ଗଲେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଓଡ଼ିଶା ଆହୁରି ପ୍ରସଂଶିତ ହେବ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଜାଣିଥିଲେ । ଯାହାକୁ ନେଇ ସେ ସଦା ଯତ୍ନଶୀଳ ହୋଇ କାର୍ଯ୍ୟ କରୁଥିଲେ । କିନ୍ତୁ ବର୍ତ୍ତମାନ ବିଜେପି ସରକାର ତାହାକୁ ଭୁଲି ଯାଇଛି । ହକି ବିଶ୍ୱ କପ୍ ଓଡ଼ିଶା ଆୟୋଜନ କରିଥିଲା । ଅନ୍ୟ ରାଷ୍ଟ୍ର ମାନେ ବିଶ୍ୱ କପ୍ ନେଇ ଅକ୍ଷମତା ପ୍ରକାଶ କରିଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ତାହାକୁ ଆୟୋଜନ କରି ଓଡ଼ିଶା ହକିକୁ ନୂତନ ପରିଚୟ ପ୍ରଦାନ କରିଥିଲେ । ଗତ ଅଢେଇ ବର୍ଷ ଧରି ହକି ପ୍ରତି ଉଦାସୀନତା ଯୋଗୁଁ ଓଡ଼ିଶାର ହକି ମାନରେ ଅବନତି ଘଟିଛି । ହକି ପ୍ରତି ଅବହେଳା ଯୋଗୁଁ ହକି ଆସୋସିଏସନ୍ ଅଫ୍ ଓଡ଼ିଶାକୁ “ସ୍ଥାୟୀ ସଦସ୍ୟ”ରୁ “ସହଯୋଗୀ ସଦସ୍ୟ”କୁ ପୁନଃବର୍ଗୀକରଣ କରାଯିବ । ଯାହାକୁ ନେଇ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ହକି ଖେଳ ଉତ୍ପତ୍ତି ସ୍ଥଳୀ ଓଡ଼ିଶାକୁ ଯଦି ହକି ଇଣ୍ଡିଆର କାରଣ ଦର୍ଶାଅ ନୋଟିସ୍ ଜାରି କରାଯିବ, ତାହା ଅତି ନିନ୍ଦନୀୟ । ଏହା କଣ ଆମ ଓଡ଼ିଆ ଅସ୍ମିତା ବୋଲି ପ୍ରଶ୍ନ କରିଛନ୍ତି । ଯେଉଁ ହକି ଖେଳକୁ ନେଇ ଓଡ଼ିଆ ଗର୍ବିତ ହେଉଥିବା ବେଳେ ଆଜି କାରଣ ଦର୍ଶାଅ ନୋଟିସ ପାଇଁ ନିନ୍ଦିତ ହେଉଛି । ଡବଲ ଇଞ୍ଜିନ ସରକାର ପାଇଁ ଆଜି ପରିଚୟ ହରାଇବାକୁ ଯାଉଛି । ଏଥି ପାଇଁ ପ୍ରତିଟି ଓଡିଆ ଅପମାନିତ ହେଉଛନ୍ତି । ଏଥି ପ୍ରତି ରାଜ୍ୟ ସରକାର ତୁରନ୍ତ ଦୃଷ୍ଟି ପ୍ରଦାନ କରନ୍ତୁ ବୋଲି ଡ. ମହାନ୍ତି କହିଛନ୍ତି ।