ରାଜ୍ୟସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଆୟୋଜିତ

ସାରା ରାଜ୍ୟରେ ୧୦ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ

ରାଜ୍ୟସ୍ତରରେ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କଲେ ମନ୍ତ୍ରୀ

ଭୁବନେଶ୍ବର, ୧୨/୧୦: ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ୟୁନିଟ୍- ୧ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ହୋଇଯାଇଛି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇ ସେବା ସଂକଳ୍ପ ଅଭିଯାନରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅଂଶଗ୍ରହଣ ଓ ସହଭାଗିତାକୁ ପ୍ରଶଂସା କରିଛନ୍ତି ।

ସମ୍ମାନନୀୟ ଅତିଥି ଭାବେ ଭୁବନେଶ୍ବର (ଏକାମ୍ର) ବିଧାୟକ ଶ୍ରୀ ବାବୁ ସିଂ, ଭୁବନେଶ୍ବର (ମଧ୍ୟ) ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ୱାର୍ଡ ନଂ ୪୦ ର କର୍ପୋରେଟର୍ ଆସିୟା ବେଗମ୍, ବିଭାଗୀୟ ଆୟୁକ୍ତ ତଥା ଶାସନ ସଚିବ ଡଃ ଏନ୍.ତିରୁମାଲା ନାୟକ, ସ୍ବତନ୍ତ୍ର ଶାସନ ସଚିବ ଶ୍ରୀ ଦୁର୍ଗା ପ୍ରସାଦ ମହାପାତ୍ର, ଓସେପାର ଭାରପ୍ରାପ୍ତ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀମତୀ ସଙ୍ଗୀତା ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

ସେବା ସଂକଳ୍ପ ଅଭିଯାନରେ ଅନେକ ସେବାମୂଳକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ରାଜ୍ୟ ସରକାର । ସ୍ବଚ୍ଛତା, ସେବା ଓ ସଂକଳ୍ପକୁ ପାଥେୟ କରି ରାଜ୍ୟରେ ବିଭିନ୍ନ କାର୍ଯ୍ୟ କରାଯାଉଛି । ଏହିକ୍ରମରେ ୪୮ ହଜାରରୁ ଅଧିକ ବିଦ୍ୟାଳୟରେ ସେବା ସଂକଳ୍ପ ଅଭିଯାନ ଅବସରରେ “ମୋ ସ୍ବପ୍ନର ଭାରତ” ବିଷୟବସ୍ତୁକୁ ନେଇ ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ କରାଯାଇଥିଲା । ଏଥିରେ ୧୦ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ସାମିଲ୍ ହୋଇଥିଲେ । ଛାତ୍ରଛାତ୍ରୀମାନେ ତୂଳୀ, କାଗଜ ମାଧ୍ୟମରେ ନିଜ ନିଜ ସ୍ବପ୍ନର ଭାରତକୁ ଆଙ୍କିଥିଲେ । ବିକଶିତ ଭାରତ ଗଠନରେ ନିଜର ପରିକଳ୍ପନାକୁ ଚିତ୍ରାଙ୍କନ ମାଧ୍ୟମରେ ଛାତ୍ରଛାତ୍ରୀମାନେ ଜୀବନ୍ତ କରିପାରିଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ମତ ବ୍ୟକ୍ତ କରିଛନ୍ତି ।

ସେହିପରି ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇ ବିଧାୟକ ଶ୍ରୀ ବାବୁ ସିଂ କହିଛନ୍ତି, ପୂର୍ବସୂରୀମାନଙ୍କ ନୀତି ଓ ଆଦର୍ଶକୁ ବିକଶିତ ଓଡ଼ିଶା ଗଠନରେ ବ୍ୟବହାର କରିବାର ଆବଶ୍ୟକତା ରହିଛି । ଛାତ୍ରଛାତ୍ରୀଙ୍କ ଅବଦାନରେ ପ୍ରତି କ୍ଷେତ୍ରରେ ରାଜ୍ୟ ବିକାଶ ଲାଭ କରିବ ଓ ଦେଶର ସର୍ବୋତ୍ତମ ରାଜ୍ୟ ଭିତରେ ଓଡ଼ିଶା ରହିବ ବୋଲି ସେ ମତପ୍ରକାଶ କରିଛନ୍ତି । ସେହିପରି ବିଧାୟକ ଶ୍ରୀ ଅନନ୍ତ ଜେନା ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ବିଭାଗର ପ୍ରୟାସକୁ ପ୍ରଶଂସା କରିଛନ୍ତି ।

ଏହି ଅବସରରେ ବିଭାଗର ଆୟୁକ୍ତ ତଥା ଶାସନ ସଚିବ ସ୍ବାଗତ ଅଭିଭାଷଣ ରଖିବା ସହ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମରେ ବିଭାଗର ସଫଳତାକୁ ବର୍ଣ୍ଣନା କରିଛନ୍ତି । ସେ କହିଛନ୍ତି, ରାଜ୍ୟର ୩୦ ଗୋଟି ଜିଲ୍ଲାର ସମସ୍ତ ବିଦ୍ୟାଳୟରେ ମୋଟ୍ ୧୨ ଲକ୍ଷ ୫୦ ହଜାର ଛାତ୍ରଛାତ୍ରୀ, ଅଭିଭାବକ, ସମୁଦାୟ, ଶିକ୍ଷକ-ଶିକ୍ଷୟିତ୍ରୀ ଅଂଶଗ୍ରହଣ କରିଥିଲେ । ସେବା ସଂକଳ୍ପ ଅଭିଯାନକୁ ନେଇ ପ୍ରଥମେ ବିଦ୍ୟାଳୟସ୍ତରୀୟ, ପରେ ପରେ ବ୍ଲକ, ଜିଲ୍ଲା ଓ ରାଜ୍ୟସ୍ତରରେ ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଏଥିସହ ଛାତ୍ରଛାତ୍ରୀମାନଙ୍କ ଚିତ୍ରାଙ୍କନକୁ ନେଇ ପ୍ରଦର୍ଶନୀ ମଧ୍ୟ ଆୟୋଜିତ କରାଯାଇଥିବା ନେଇ ବିଭାଗୀୟ ସଚିବ ସୂଚନା ଦେଇଛନ୍ତି । ଏଥିସହ ରାଜ୍ୟସ୍ତରର ପ୍ରତିଯୋଗିତାରେ ଆଜି ୧୮୦ ଜଣ କୃତି ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ସେମାନଙ୍କ ମଧ୍ୟରୁ ତିନୋଟି ବିଭାଗରେ ଉଭୟ ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତାର ଶ୍ରେଷ୍ଠ ୧୮ ଜଣଙ୍କୁ ପୁରସ୍କୃତ କରାଯାଇଛି ।