ନୂଆଦିଲ୍ଲୀ, ୧୨/୧୦: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୬ଟି ରାଜ୍ୟରେ ନୂଆ ରାଜ୍ୟପାଳଙ୍କ ନିଯୁକ୍ତି ଓ ବଦଳି ଘୋଷଣା କରିଛନ୍ତି। ଏହି କ୍ରମରେ ଝାଡ଼ଖଣ୍ଡର ବରିଷ୍ଠ ବିଜେପି ନେତା ବ୍ରଜମୋହନ ରାମଙ୍କୁ ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି। ଏଥିସହ କେରଳମ୍, ତାମିଲନାଡୁ, କର୍ଣ୍ଣାଟକ, ଉତ୍ତରାଖଣ୍ଡ ଓ ସିକିମ୍ର ରାଜ୍ୟପାଳ ପଦରେ ମଧ୍ୟ ପରିବର୍ତ୍ତନ ହୋଇଛି। ରାଷ୍ଟ୍ରପତି ଭବନ ପକ୍ଷରୁ ଏ ନେଇ ବିଜ୍ଞପ୍ତି ଜାରି ହୋଇଛି।
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜମୋହନ ରାମ ଝାଡ଼ଖଣ୍ଡର ପଲାମୁ ଅଞ୍ଚଳର ଜଣେ ବରିଷ୍ଠ ବିଜେପି ନେତା। ସେ ୧୯୯୧ରୁ ୧୯୯୫ ପର୍ଯ୍ୟନ୍ତ ଅବିଭକ୍ତ ବିହାର ବିଧାନସଭାର ସଦସ୍ୟ ଥିଲେ। ପରେ ୧୯୯୬ରେ ପ୍ରଥମ ଥର ପାଇଁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୧୯୯୮ ଓ ୧୯୯୯ରେ ମଧ୍ୟ ସେ ପଲାମୁ ଲୋକସଭା ଆସନରୁ ବିଜୟୀ ହୋଇଥିଲେ।
ସାଂସଦ ଭାବେ କାର୍ଯ୍ୟ କରିବା ସମୟରେ ସେ କୋଇଲା, ଶକ୍ତି, ରେଳବାଇ ଓ ଇସ୍ପାତ ମନ୍ତ୍ରଣାଳୟ ସମ୍ପର୍କିତ ବିଭିନ୍ନ କମିଟିରେ ସାମିଲ ହୋଇଥିଲେ। ଅନୁସୂଚିତ ଜାତି ସମ୍ପ୍ରଦାୟର ନେତା ଭାବେ ମଧ୍ୟ ଦଳୀୟ ସଂଗଠନରେ ତାଙ୍କର ଭୂମିକା ରହିଥିଲା। ସେ ରାଞ୍ଚିରେ ବନାଞ୍ଚଳ ପ୍ରଦେଶ ଅନୁସୂଚିତ ଜାତି ମୋର୍ଚ୍ଚାର ଅଧ୍ୟକ୍ଷ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ।
ରାଷ୍ଟ୍ରପତି ଭବନର ଘୋଷଣା ଅନୁସାରେ, ଓଡ଼ିଶା ସମେତ ଛଅଟି ରାଜ୍ୟରେ ନୂଆ ରାଜ୍ୟପାଳଙ୍କ ନିଯୁକ୍ତି କରାଯାଇଛି। ଏଥିରେ ଦୁଇଜଣ କାର୍ଯ୍ୟରତ ରାଜ୍ୟପାଳଙ୍କୁ ଅନ୍ୟ ରାଜ୍ୟକୁ ବଦଳି କରାଯାଇଥିବା ବେଳେ ଅନ୍ୟ ଚାରିଜଣଙ୍କୁ ନୂଆ ଦାୟିତ୍ୱ ମିଳିଛି।
– ଓଡ଼ିଶା: ବ୍ରଜମୋହନ ରାମ
– କେରଳମ୍: ଓମ୍ପ୍ରକାଶ ମାଥୁର
– ତାମିଲନାଡୁ: ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର
– କର୍ଣ୍ଣାଟକ: ଡକ୍ଟର ସୁଧା ଯାଦବ
– ଉତ୍ତରାଖଣ୍ଡ: ଡକ୍ଟର ଧଳସିଂହ ବିଶେନ
– ସିକ୍କିମ୍: ଦୁଶ୍ୟନ୍ତ ଗୌତମ
ସିକ୍କିମ୍ର ରାଜ୍ୟପାଳ ଓମ୍ପ୍ରକାଶ ମାଥୁରଙ୍କୁ କେରଳମ୍କୁ ବଦଳି କରାଯାଇଛି। କେରଳମ୍ର ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ତାମିଲନାଡୁର ଦାୟିତ୍ୱ ଗ୍ରହଣ କରିବେ। ସେହିପରି ଦୁଶ୍ୟନ୍ତ ଗୌତମ ସିକିମ୍ର ନୂଆ ରାଜ୍ୟପାଳ ହେବେ।