ପୁରୀରେ ‘ପ୍ରତିହାରୀ ନିଯୋଗ’ର “ସମର୍ପଣ – ସେବା ଓ ସେବକ ସମ୍ମାନ-୨୦୨୬” ସମାରୋହ
ଧୂଳି ବାବା ଏବଂ ମହିମା ଗୋସାଇଁଙ୍କ ଆଧ୍ୟାତ୍ମିକ ଚିନ୍ତାଧାରା ଓ ସନ୍ଥ କବି ଭୀମ ଭୋଇଙ୍କ ମହାନ ଦର୍ଶନ ଉପରେ କଲେ ଆଲୋକପାତ
ଜଗନ୍ନାଥ ସଂସ୍କୃତି ହେଉଛି ଜୀବନର ସର୍ବୋଚ୍ଚ ସମର୍ପଣ,ଭକ୍ତି ଓ ସେବାର ନିଚ୍ଛକ ନିଦର୍ଶନ: ଧର୍ମେନ୍ଦ୍ର ପ୍ରଧାନ
ପୁରୀ, ୧୨/୧୦: ଜଗନ୍ନାଥ ସଂସ୍କୃତି କହିଲେ କେବଳ ଆଚାର-ବିଚାର କିମ୍ବା ପୂଜା-ପଦ୍ଧତିକୁ ବୁଝାଏ ନାହିଁ। ଜଗନ୍ନାଥ ସଂସ୍କୃତି ହେଉଛି ଜୀବନର ସର୍ବୋଚ୍ଚ ସମର୍ପଣ, ଭକ୍ତି ଓ ସେବାର ଜୀବନ୍ତ ନିଦର୍ଶନ । ସୋମବାର ପୁରୀ ଠାରେ ଶ୍ରୀମନ୍ଦିରର ଅନନ୍ୟ ସେବକ ସଂଘ ‘ପ୍ରତିହାରୀ ନିଯୋଗ’ ଦ୍ୱାରା ଆୟୋଜିତ “ସମର୍ପଣ – ସେବା ଓ ସେବକ ସମ୍ମାନ-୨୦୨୬”ରେ ଯୋଗଦେବା ଅବସରରେ କହିଛନ୍ତି ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଶ୍ରୀମନ୍ଦିରର ସେବା ପଦ୍ଧତିରେ ଛତିଶା ନିଯୋଗର ଏକ ବିଶେଷ ଓ ଅନନ୍ୟ ମହତ୍ତ୍ୱ ରହିଛି । କିନ୍ତୁ ସେହି ସମସ୍ତ ସେବକ ସମ୍ପ୍ରଦାୟ ମଧ୍ୟରେ ‘ପ୍ରତିହାରୀ ନିଯୋଗ’ ର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ସ୍ୱତନ୍ତ୍ର ଓ ମହାନ । ‘ପ୍ରତିହାରୀ’, ଏହି ଶବ୍ଦଟି ମଧ୍ୟରେ ହିଁ ସୁରକ୍ଷା, ସମର୍ପଣ, ଅନୁଶାସନ ଓ ନିଷ୍ଠାର ଭାବ ଭରି ରହିଛି । ଶ୍ରୀମନ୍ଦିରର ଶ୍ରୀଅଙ୍ଗ ରକ୍ଷା, ଦ୍ୱାର ସୁରକ୍ଷା, ନୀତିକାନ୍ତିକୁ ସୁଚାରୁରୂପେ ପରିଚାଳିତ କରିବା ଏବଂ କୋଟି କୋଟି ଭକ୍ତଙ୍କୁ ମହାପ୍ରଭୁଙ୍କ ଦର୍ଶନ କରାଇବାରେ ପ୍ରତିହାରୀ ସେବକମାନେ ଦିନରାତି ନିଜକୁ ନିୟୋଜିତ କରିଥାନ୍ତି । ଏହି ପରିପ୍ରକ୍ଷୀରେ ଆଜିର ସଭା କିମ୍ବା ଆନୁଷ୍ଠାନିକ କାର୍ଯ୍ୟକ୍ରମ ନୁହେଁ, ବରଂ ଏହା ଶ୍ରୀମନ୍ଦିରର ସହସ୍ର ବର୍ଷର ନିଷ୍ଠାପର ସେବା ପରମ୍ପରା, ଭକ୍ତି, ତ୍ୟାଗ ଓ ଶୃଙ୍ଖଳାର ଏକ ମହାନ ସଂସ୍କୃତିକୁ ପ୍ରଣାମ ଜଣାଇବାର ଏକ ଦିବ୍ୟ ଅବସର ।
ଶ୍ରୀ ପ୍ରଧାନ କହିଛନ୍ତି, ମହାପ୍ରଭୁଙ୍କ ମନ୍ଦିର ଭିତରେ ଯେଉଁ ଲୋକ ସମର୍ପଣ ଓ ଲୋକ ସମାବେଶ ତିଆରି ହୁଏ, ସେଭଳି ଅନ୍ୟ କୌଣସି ସ୍ଥାନରେ ଦେଖିବାକୁ ମିଳେ ନାହିଁ । ଭଗବାନଙ୍କ ପାଖରେ କୌଣସି କୌଣସି ବିଭେଦ ନାହିଁ ଏବଂ କୌଣସି ବିଭାଜନ ନାହିଁ । ପୁରୀ କେବଳ ଏକ ମନ୍ଦିର ନୁହେଁ, ପୁରୀ ହେଉଛି ମାନବ ଚେତନାର ଏକ ଅନନ୍ୟ କେନ୍ଦ୍ର । ପୁରୀକୁ ମନୁଷ୍ୟର ଆବଶ୍ୟକତା ଅଛି ଶାନ୍ତି, ପରସ୍ପରକୁ ଭଲ ପାଇବା ଏବଂ ବିଶ୍ୱାସ କରିବା – ଏ ସବୁର ପ୍ରୟୋଗଶାଳା ହେଲା ଆମ ପୁରୀ ।
ସେ ଆହୁରି କହିଛନ୍ତି, ଆଜିଠୁ ପ୍ରାୟ ଦୁଇ ଶହ ବର୍ଷ ପୂର୍ବେ ଓଡ଼ିଶାର ଜଣେ ସାଧାରଣ ବ୍ୟକ୍ତି, ଯାହାଙ୍କୁ ପୁରୀରେ ଆପଣମାନେ ‘ଧୂଳି ବାବା’ ଭାବରେ ନାମିତ କରିଥିଲେ, ସେ ପରେ ଯାଇ ମହିମା ଗୋସାଇଁଙ୍କ ଦ୍ୱାରା ପରିଚିତ ଓ ପ୍ରଭାବିତ ହୋଇଥିଲେ । ସେହି ‘ଶୂନ୍ୟ ବ୍ରହ୍ମ’ ଓ ଦାରୁବ୍ରହ୍ମ ଠାରୁ ପ୍ରେରଣା ଲାଭ କରି ଶୂନ୍ୟ ବ୍ରହ୍ମର ପରିକଳ୍ପନାକୁ ବ୍ୟାଖ୍ୟାନ, ପରିଭାଷିତ ଏବଂ ଭାଷ୍ୟ କରିଥିଲେ। ସେହି ମହାନ ପ୍ରେରଣାରୁ ଉଦଭୂତ ହୋଇ ସମ୍ବଲପୁର ଜିଲ୍ଲାର ଏକ ଗ୍ରାମରେ ସନ୍ଥ କବି ଭୀମ ଭୋଇ ଜଣେ ଅନନ୍ୟ ବ୍ୟକ୍ତିତ୍ୱ ଭାବେ ଜନ୍ମନେଇଥିଲେ। ତାଙ୍କର ଅମର ବାଣୀ “ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ” ପ୍ରମାଣ କରେ ଯେ ଓଡ଼ିଶାରେ କୌଣସି ବିଚାର କିମ୍ବା ସାଧନା କେବେବି ସାମାନ୍ୟ କିମ୍ବା ଛୋଟ ହୋଇନଥାଏ।
ମହାପ୍ରଭୁଙ୍କର ଲୀଳା ଓ ଶୂନ୍ୟ ବ୍ରହ୍ମର କଳ୍ପନା ସମଗ୍ର ବିଶ୍ୱକୁ ପ୍ରେରିତ କରୁଛି । ଇତିହାସରେ ଗୁରୁ ନାନକଦେବ ଏବଂ ଆଦି ଶଙ୍କରାଚାର୍ଯ୍ୟଙ୍କଠାରୁ ଆରମ୍ଭ କରି ମହାପ୍ରଭୁଙ୍କ ଦର୍ଶନ ପାଇଁ ଦେଶବିଦେଶରୁ ସନ୍ଥ ଓ ଭକ୍ତମାନେ ଆସିଛନ୍ତି । ଓଡ଼ିଶାରେ ଗ୍ୟାସ୍ଭିତ୍ତିକ ଅର୍ଥନୀତି ଏବଂ ମହାପ୍ରଭୁଙ୍କ କୃପାରୁ ପୁରୀ-କୋଣାର୍କ ସମୁଦ୍ରର ଅନତି ଦୂରରେ ବଡ଼ଧରଣର ଗ୍ୟାସ୍ ଭଣ୍ଡାରର ସମ୍ଭାବନା ଓଡ଼ିଶାକୁ ଆଗକୁ ନେବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ।
ପୁରୀକୁ ଏବଂ ଶ୍ରୀମନ୍ଦିରକୁ ପ୍ଲାଷ୍ଟିକ୍ ମୁକ୍ତ କରିବା ପାଇଁ ଆମକୁ ମନ୍ଦିର ଭିତରୁ ସଫେଇ ଅଭିଯାନ ଆରମ୍ଭ କରିବାକୁ ପଡ଼ିବ। ପ୍ଲାଷ୍ଟିକ୍ କାରଣରୁ ପରିବେଶ, ଜଳବାୟୁ ଏବଂ ସମୁଦ୍ର ଜଳସମ୍ପଦ ପ୍ରଭାବିତ ହେଉଛି। ତେଣୁ ବଡ଼ଦାଣ୍ଡ ଏବଂ ଶ୍ରୀମନ୍ଦିର ପରିସରକୁ ପ୍ଲାଷ୍ଟିକ୍ ମୁକ୍ତ କରିବା ପାଇଁ ଆମ ସମସ୍ତଙ୍କୁ ମିଳିମିଶି କାମ କରିବାକୁ ପଡ଼ିବ। ଭାରତ ସରକାରଙ୍କ ‘ଜ୍ଞାନ ଭାରତମ୍’ ଯୋଜନା ମାଧ୍ୟମରେ ହଜାର କୋଟିରୁ ଅଧିକ ଟଙ୍କା ବ୍ୟୟରେ ଦେଶର ସମସ୍ତ ପୁରଣା ପୋଥି ଓ ଗ୍ରନ୍ଥଗୁଡ଼ିକୁ ଏକାଠି କରି ଡିଜିଟାଲାଇଜ୍ ଏବଂ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ଜରିଆରେ ସେଗୁଡ଼ିକର ଭାଷ୍ୟ ପ୍ରସ୍ତୁତ କରାଯାଉଛି। ଏହି ଅଭିଯାନ ମାଧ୍ୟମରେ ଆଜିର ପିଢ଼ିକୁ ସନାତନ ପରମ୍ପରାରେ ମଜବୁତ୍ କରାଯିବ ।
ଏହି ଅବସରରେ ଶ୍ରୀ ପ୍ରଧାନ ମଞ୍ଚରେ ପ୍ରଦର୍ଶିତ ଓଡ଼ିଶାର ପାରମ୍ପରିକ ତଥା ବିଲୁପ୍ତ ପ୍ରାୟ ‘ମାହାରୀ’ ନୃତ୍ୟକୁ ଜୀବନରେ ପ୍ରଥମ ଥର ପାଇଁ ଦେଖିବା ସହ ଏହାର ପ୍ରଶଂସା କରିଥିଲେ ।
ଆଜିର ଏହି କାର୍ଯ୍ୟକ୍ରମରେ ରାଜ୍ୟର ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଉଚ୍ଚଶିକ୍ଷା, କ୍ରୀଡ଼ା-ଯୁବସେବା ଓ ସଂସ୍କୃତି ମନ୍ତ୍ରୀ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ସୂରଜ, ପୁରୀର ସାଂସଦ ଡକ୍ଟର ସମ୍ବିତ ପାତ୍ର, ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ଜୟନ୍ତ କୁମାର ଷଡ଼ଙ୍ଗୀ, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ସମେତ ସେବାୟତମାନେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଯୋଗଦେବା ପୂର୍ବରୁ ଶ୍ରୀ ପ୍ରଧାନ ମହାପ୍ରଭୁଙ୍କ ଦର୍ଶନ କରିଥିଲେ ।