୬ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ, ୩୫ ଲକ୍ଷ ଟଙ୍କାର ଥିଲା ପୁରସ୍କାର
ଆତ୍ମସମର୍ପଣକାରୀଙ୍କ ମଧ୍ୟରୁ ୪ ଜଣ ଓଡ଼ିଶାର
ବସ୍ତର, ୧୩/୧୦: ଛତିଶଗଡ଼ର ଦକ୍ଷିଣ ବସ୍ତର ଅଞ୍ଚଳର ବିଜାପୁରରେ ୬ ଜଣ ହାର୍ଡକୋର ମାଓବାଦୀ ଜିଲ୍ଲା ପୁଲିସ ଓ କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳ (ସିଆରପିଏଫ) ନିକଟରେ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ଏହି ମାଓବାଦୀଙ୍କ ମୁଣ୍ଡ ଉପରେ ମୋଟ ୩୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିଲା। ଆତ୍ମସମର୍ପଣ କରିଥିବା ୬ ଜଣଙ୍କ ମଧ୍ୟରେ ୩ ଜଣ ମହିଳା ଅଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣ ଓଡ଼ିଶାରେ ସକ୍ରିୟ ଥିବାବେଳେ ଅନ୍ୟ ୨ ଜଣ ମାଓ ସଂଗଠନର ପଶ୍ଚିମ ବସ୍ତର ଡିଭିଜନ ଛାଡ଼ି ପଳାଇ ଆସିଥିଲେ ବୋଲି ଅଧିକାରୀମାନେ କହିଛନ୍ତି।
ଆତ୍ମସମର୍ପଣ କରିଥିବା ମାଓବାଦୀମାନେ ହେଲେ ରାଣୀ ସୋଢ଼ୀ ଓରଫ ସନ୍ଧ୍ୟା, ପାଣ୍ଡୋ ପୋଡ଼ିୟାମ ଓରଫ ସସ୍ମିତା, ସୁକ୍କୁ କୁଡ଼ିୟମ ଓରଫ ସନ୍ତୋଷ, କୋସା ମାଡ଼ଭି ଓରଫ ସତୀଶ, ଦେବେ ମାଡ଼କାମ ଓରଫ ଜାନି ଏବଂ ଲାଲୁ ତାତି। ସୁରକ୍ଷା ବାହିନୀର ସୂଚନା ଅନୁଯାୟୀ, ଏମାନଙ୍କ ମଧ୍ୟରୁ ୪ ଜଣ ପ୍ରେସ୍ କାଉଣ୍ଟର ମେଜର୍ସ/ପ୍ଲାଟୁନ୍ ପାର୍ଟି କମିଟି ମେମ୍ବର (PPCM) ସ୍ତରରେ କାର୍ଯ୍ୟ କରୁଥିବା ବେଳେ ଅନ୍ୟ ୨ ଜଣ ପାର୍ଟି ମେମ୍ବର (PM) ଥିଲେ।
ବରିଷ୍ଠ ପୋଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ଜିଲ୍ଲା ରିଜର୍ଭ ଗାର୍ଡ (ଡିଆରଜି), ବିଜାପୁର, ସିଆରପିଏଫର ୧୭୦ତମ ବାଟାଲିୟନ ଏବଂ ସ୍ଥାନୀୟ ପୁଲିସର ମିଳିତ ଉଦ୍ୟମରେ ଏହି ଆତ୍ମସମର୍ପଣ ସମ୍ଭବ ହୋଇଛି। ମାଓବାଦୀଙ୍କ ବିରୋଧରେ ଲଗାତାର ଚାଲିଥିବା ସୁରକ୍ଷା ଅଭିଯାନ, ସଂଗଠନ ଭିତରେ ବିଶୃଙ୍ଖଳା ଓ ଗୋଷ୍ଠୀ ବିବାଦ ସହ ହିଂସାତ୍ମକ ବିଚାରଧାରା ପ୍ରତି ମୋହଭଙ୍ଗ ଯୋଗୁଁ ସେମାନେ ହିଂସାର ପଥ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି।
ଆତ୍ମସମର୍ପଣ କରିଥିବା ଏହି ୬ ଜଣଙ୍କୁ ଛତିଶଗଡ଼ ସରକାରଙ୍କ ପୁନର୍ବାସ ନୀତି ଅନୁଯାୟୀ ସହାୟତା ଯୋଗାଇ ଦିଆଯିବ। ଏହି ବ୍ୟବସ୍ଥାରେ ତୁରନ୍ତ ଆର୍ଥିକ ସହାୟତା, ଦକ୍ଷତା ବିକାଶ ପ୍ରଶିକ୍ଷଣ, ଘର ନିର୍ମାଣ ପାଇଁ ସହାୟତା ଏବଂ ନିଯୁକ୍ତି ଯୋଗାଇ ଦିଆଯିବ।